ଗୋଲାପ ଫୁଲ ଓ ଚକୋଲେଟ୍ ଦେଇ ସଡ଼କ ସୁରକ୍ଷା ନିୟମ ମାନିବାକୁ ସଚେତନତା ବାର୍ତ୍ତା ଦେଲେ ଯମରାଜ

ନବରଙ୍ଗପୁର: ଯମରାଜ ବାଣ୍ଟିଲେ ସୁରକ୍ଷା ସଚେତନତା ବାର୍ତ୍ତା । ଗାଡ଼ି ଚାଳକଙ୍କୁ କଲେ ସଚେତନ । ଗୋଲାପ ଫୁଲ ଓ ଚକୋଲେଟ୍ ଦେଇ ସଡ଼କ ସୁରକ୍ଷା ନିୟମ ମାନିବାକୁ ଦେଲେ ନିର୍ଦେଶ । ଏଭଳି ଅଭିନବ ଢଙ୍ଗରେ ସଡ଼କ ସୁରକ୍ଷା ସପ୍ତାହ ପାଳନ କରିଛି ନବରଙ୍ଗପୁର ଜିଲ୍ଲା ଉମରକୋଟ ପୋଲିସ । ଜଣେ ବ୍ୟକ୍ତି ଯମବେଶରେ ସଜ୍ଜିତ ହୋଇ ହେଲମେଟ୍‌ ପିନ୍ଧି ନଥିବା ବାଇକ୍‌ ଅରୋହୀଙ୍କୁ ଅଟକାଇ ହେଲମେଟ ପିନ୍ଧିବାକୁ ନିର୍ଦ୍ଦେଶ ଦେବା ସହ ଗୋଲାପ ଫୁଲ ଓ ଚକଲେଟ ଦେଇ ସଚେତନ କରିଥିଲେ । ଉମରକୋଟ ପୋଲିସର ଏଭଳି ଅଭିନବ ସଚେତନତା କାର୍ଯ୍ୟକ୍ରମକୁ ପ୍ରଶଂସା କରାଯାଉଛି । ପୋଲିସ କର୍ମଚାରୀ ଏବଂ ବିଦ୍ୟାଳୟର ଛାତ୍ରଛାତ୍ରୀମାନେ ସହର ପରିକ୍ରମା କରିବା ସହ ଲୋକଙ୍କୁ ଲିଫଲେଟ ବାଣ୍ଟି ସଡ଼କ ସୁରକ୍ଷା ବିଷୟରେ ସଚେତନ କରାଇଥିଲେ ।