ବଲିଉଡର ପ୍ରଖ୍ୟାତ ଅଭିନେତ୍ରୀ ଓ୍ବାହିଦା ରେହମାନ ପାଇବେ ଦାଦା ସାହେବ ଫାଲକେ ଆଓ୍ବାର୍ଡ

ନନ୍ଦିଘୋଷ ବ୍ୟୁରୋ: ବଲିଉଡର ପ୍ରଖ୍ୟାତ ଅଭିନେତ୍ରୀ ଓ୍ବାହିଦା ରେହମାନ ପାଇବେ ଦାଦା ସାହେବ ଫାଲକେ ଆଓ୍ବାର୍ଡ । ୨୦୨୧ ମସିହା ପାଇଁ ତାଙ୍କୁ ସମ୍ମାନିତ କରାଯିବ। ଏନେଇ ସୂଚନା ଓ ପ୍ରସାରଣ ମନ୍ତ୍ରୀ ଅନୁରାଗ ଠାକୁର ସୂଚନା ଦେଇଛନ୍ତି । ଗାଇଡ୍, ପ୍ୟାସା, କାଗଜ କେ ଫୁଲ୍, ଚୌଦୁଭିଁ କା ଚାନ୍ଦ ଭଳି ଫିଲ୍ମ ପାଇଁ ଲୋକଙ୍କ ହୃଦୟରେ ରାଜ୍ କରିଛନ୍ତି ଓ୍ବାହିଦା। ୫ଦଶନ୍ଧୀ ଧରି ବଡ଼ ପରଦାରେ ଚମତ୍କାର ଅଭିନୟର ଯାଦୁ ଦେଖାଇଛନ୍ତି ।

ପୂର୍ବରୁ ତାଙ୍କୁ ପଦ୍ମଶ୍ରୀ, ପଦ୍ମଭୂଷଣରେ ସମ୍ମାନିତ କରାଯାଇଛି । ଏବେ ଚଳଚ୍ଚିତ୍ର ପାଇଁ ଦେଶର ସର୍ବୋଚ୍ଚ ପୁରସ୍କାର ଦାଦା ସାହେବ ଫାଲକେ ସମ୍ମାନରେ ସମ୍ମାନିତ ହେବେ ଓ୍ବାହିଦା। ଭାରତୀୟ ସିନେମାକୁ ତାଙ୍କ ଅବଦାନ ଅତୁଳନୀୟ। ପେଶାରେ ସେ ନର୍ତ୍ତକୀ ଭାବେ ମଧ୍ୟ ସେ ଭଲଭାବେ ଜଣାଶୁଣା  । ଚମତ୍କାର ଅଭିନୟ ପାଇଁ ତାଙ୍କୁ ଥରେ ଜାତୀୟ ଫିଲ୍ମ ସମ୍ମାନ ଓ ତିନିଥର ଫିଲ୍ମ ଫେୟାର ସମ୍ମାନ ମିଳିଛି  । ୯୦ରୁ ଅଧିକ ଫିଲ୍ମରେ ସେ ତାଙ୍କର ଅଭିନୟର ଯାଦୁଗରୀ ଦେଖାଇଛନ୍ତି  ।

ତେଲୁଗୁ ଫିଲ୍ମ ରୋଜୁଲୁ ମରାୟୀରେ ୧୯୫୫ରେ ଡେବ୍ୟୁ କରିଥିଲେ  । ତେବେ ୧୯୫୭ରେ ମହାନ ନିର୍ଦ୍ଦେଶକ ତଥା ଅଭିନେତା ଗୁରୁ ଦତ୍ତଙ୍କ ଦ୍ବାରା ନିର୍ଦ୍ଦେଶିତ ରୋମାଣ୍ଟିକ ଡ୍ରାମା ପ୍ୟାସାରେ ସେ ବଲିଉଡରେ ପରିଚିତି ହାସଲ କରିପାରିଥିଲେ  । ଏହ ପରେ ସେ ଆଉ ପଛକୁ ଫେରି ଚାହିଁନଥିଲେ  । କାଗଜ କେ ଫୁଲ, ଚୌଦୁଭିଁ କା ଚାନ୍ଦ ଭଳି ଫିଲ୍ମରେ ଅଭିନୟ କରି ନିଜକୁ ସିଲଭର ସ୍କ୍ରିନ କୁଇନ ଭାବେ ପରିଚିତ କରାଇପାରିଥିଲେ  । ଏବେ ବି ସେ ପରଦାରେ ସକ୍ରିୟ ଅଛନ୍ତି  ।