’ହିଜାବ’ ବିବାଦର ରାୟ ଶୁଣାଇଥିବା ବିଚାରପତିଙ୍କୁ ମିଳିବ Y ସିକ୍ୟୁରିଟି

Y Category Security To All The Judges Who Gave Hijab Verdict

ବେଙ୍ଗଳୁରୁ: ହିଜାବ ବିବାଦର ରାୟ ଶୁଣାଇଥିବା ବିଚାରପତିଙ୍କୁ ଧମକ ମିଳିବାରେ ଲାଗିଛି । ଏପରିକି ବେଙ୍ଗଳୁରୁ ହାଇକୋର୍ଟର ମୁଖ୍ୟ ବିଚାରପତି ରିତୁରାଜ ଅବସ୍ଥିଙ୍କୁ ଧମକ ଦେଉଛନ୍ତି ଦୁର୍ବୃତ୍ତ । କର୍ଣ୍ଣାଟକ ହାଇକୋର୍ଟର ଓକିଲ ଉମାପତି ସୋସିଆଲ୍ ମିଡିଆରେ ଏକ ଭିଡିଓ ପାଇଛନ୍ତି । ଯେଉଁଥିରେ କୁହାଯାଇଛି, ଆମେ ଜାଣିଛୁ ଚିଫ୍ ଜଷ୍ଟିସ୍ ମର୍ଣ୍ଣିଂ ୱାକରେ କୁଆଡ଼େ ଯାଉଛନ୍ତି । ଆଇନଜୀବୀ ଜଣଙ୍କ ଏନେଇ ଚିଠି ଲେଖି ରେଜିଷ୍ଟ୍ରାରଙ୍କୁ ସୂଚନା ଦେଇଛନ୍ତି । ଏହାପରେ ପୋଲିସ ଅଜଣା ଅଭିଯୁକ୍ତଙ୍କ ବିରୋଧରେ ମାମଲା ରୁଜୁ କରିଛି ।

ଧମକ ପରେ କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ବସବରାଜ ବୋମ୍ମଇ ବିଚାରପତିଙ୍କୁ ୱାଇ କ୍ୟାଟେଗୋରୀ ସୁରକ୍ଷା ଯୋଗାଇ ଦେବାକୁ ଘୋଷଣା କରିଛନ୍ତି । ମୁଖ୍ୟମନ୍ତ୍ରୀ କହିଛନ୍ତି, ହିଜାବ ମାମଲାର ରାୟ ଶୁଣାଇଥିବା ସମସ୍ତ ୩ ଜଣ ବିଚାରପତିଙ୍କୁ ଆମେ ୱାଇ କ୍ୟାଟେଗୋରୀ ସୁରକ୍ଷା ଦେବାକୁ ନିଷ୍ପତ୍ତି ନେଇଛୁ । ଏଥିସହ ବିଚାରପତିଙ୍କୁ ମିଲୁଥିବା ଧମକକୁ ନେଇ ଯାଞ୍ଚ କରିବାକୁ ଆଇଜିଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ।

 Y Category Security To All The Judges Who Gave Hijab Verdict

ରେଜିଷ୍ଟ୍ରାରଙ୍କୁ ଆଇନଜୀବୀ ଜଣଙ୍କ ଚିଠି ଲେଖି କହିଛନ୍ତି, ମୋତେ ସକାଳ ୯ଟା ୪୫ରେ ଏକ ହ୍ୱାଟ୍ସଆପରେ ଏକ ଭିଡିଓ ଆସିଥିଲା । ଭିଡିଓରେ ହିଜାବ ବିବାଦ ଉପରେ ନିଷ୍ପତ୍ତି ଶୁଣାଇଥିବା ବିଚାରପତି ଓ କର୍ଣ୍ଣାଟକ ହାଇକୋର୍ଟର ମୁଖ୍ୟ ବିଚାରପତିଙ୍କୁ ହତ୍ୟା କଥା କୁହାଯାଇଥିଲା । ଓକିଲଙ୍କ ଅଭିଯୋଗ ଏହି ଭିଡିଓଟି ତାମିଲନାଡ଼ୁର । ଏବଂ ଭିଡିଓର ବ୍ୟାକଗ୍ରାଉଣ୍ଡରେ ଝାଡ଼ଖଣ୍ଡରେ ବିଚାରପତିଙ୍କୁ ହତ୍ୟା କଥା ମଧ୍ୟ କୁହାଯାଉଛି ।

ଝାଡ଼ଖଣ୍ଡରେ ଗତବର୍ଷ ଏକ ଅଟୋରିକ୍ସାରେ ଜଣେ ବିଚାରପତିଙ୍କୁ ହତ୍ୟା କରାଯାଇଥିଲା । ଏପରିକି ହତ୍ୟାର ସିସିଟିଭି ଭିଡିଓ ବି ସାମ୍ନାକୁ ଆସିଥିଲା । ଯାହାପରେ ମାମଲା ସିବିଆଇକୁ ହସ୍ତାନ୍ତର କରାଯାଇଥିଲା । ଏବେ ମିଳିଥିବା ଭିଡିଓରେ କୁହାଯାଇଛି ଆମକୁ ଜଣାଅଛି ସକାଳ ମର୍ଣ୍ଣିଂ ୱାକରେ ମୁଖ୍ୟ ବିଚାରପତି କେଉଁ ଆଡ଼େ ଯାଆନ୍ତି ।