ସେହି ବ୍ୟକ୍ତି ଯିଏ ଗୁମ୍ଫାରେ ରହୁଥିଲେ,ଏବେ ତାଙ୍କ ପାଇଁ ଦୁନିଆ ଲକଡାଉନ୍ ଭିତରେ ଜିଇଁବାକୁ ବାଧ୍ୟ…

ସି ଜିନ୍ ପିଙ୍ଗ୍ । ଚୀନର ରାଷ୍ଟ୍ରପତି । ପିପୁଲ’ସ ଲିବରେସନ୍ ଆର୍ମିର ସୁପ୍ରିମ କମାଣ୍ଡର । ଆଉ ଏବେ ଦୁନିଆର ଖଳନାୟକ । କରୋନାକୁ ଦୁନିଆ ନଜରରୁ ଲୁଚାଇ ରଖିଥିବା ବ୍ୟକ୍ତି । ଦୁନିଆଠାରୁ ସତକୁ ଲୁଚାଇ ରଖି ମହାମାରୀ ଆତଙ୍କ ଭିତରକୁ ୭ଶହ କୋଟି ଲୋକଙ୍କୁ ଠେଲି ଦେଇଥିବା ବ୍ୟକ୍ତି ହେଉଛନ୍ତି ସି ଜିନ୍ ପିଙ୍ଗ । ସେଇ ବ୍ୟକ୍ତି ଯିଏ ଏବେ ଭାରତୀୟ ସୀମାରେ ନିଜ ମଶଲ ପାୱାର ଦେଖାଉଛନ୍ତି । ଆମେରିକାକୁ ଆଖି ଦେଖାଉଛନ୍ତି । ପଡୋଶୀଙ୍କୁ ଡରାଇ ରଖିବା ପାଇଁ ଉଦ୍ୟମ କରୁଛନ୍ତି । ପୂରା ଦୁନିଆ ଯେତେବେଳେ ଉହାନରୁ ବାହାରିଥିବା ଚାଇନିଜ୍ ଭାଇରସ ପାଇଁ ତାଙ୍କ ଆଡକୁ ଆଙ୍ଗୁଳି ଉଠାଉଛି ସେତେବେଳେ ସି ଜିନ୍ ପିଙ୍ଗ୍ ହଂକଂ, ତାଇୱାନ ଓ ଲଦାଖରେ ଶକ୍ତି ପ୍ରଦର୍ଶନ କରି ଦେଶ ଭିତର ଓ ବାହାରର ଦୃଷ୍ଟି କରୋନାଠାରୁ ହଟାଇବା ପାଇଁ ଉଦ୍ୟମ କରୁଛନ୍ତି । ତେବେ ଏଇଠି ଅନେକଙ୍କ ମନରେ ପ୍ରଶ୍ନ ଉଠୁଥିବ ସି ଜିନ୍ ପିଙ୍ଗ୍ କିଏ ? କେଉଁଠୁ ଆସିଲେ ? ଓ କେମିତି ସେ ଚୀନର ସର୍ବେସର୍ବା ହୋଇଗଲେ ? ଆସନ୍ତୁ ସେ ସବୁ ପ୍ରଶ୍ନର ଉତ୍ତର ଖୋଜିବା ଇତିହାସ ପୃଷ୍ଠାରୁ ।

ଚାଷରୁ ଜୀବନ ଆରମ୍ଭ

୫ ଦଶକ ତଳେ ଚୀନରେ ଚାଲିଥିଲା ସାଂସ୍କୃତିକ ବିପ୍ଲବର ପର୍ବ । କମ୍ୟୁନିଷ୍ଟ ଚୀନର ପ୍ରତିଷ୍ଠାତା ମାଓ ଦଳ ଭିତରୁ ନିଜ ବିରୋଧୀଙ୍କୁ ସବୁଦିନ ପାଇଁ ହଟାଇବାକୁ ଆରମ୍ଭ କରିଥିଲେ ଏହି ନାଟକ । ସବୁ ପୁରୁଣା ପରମ୍ପରାକୁ ବୁର୍ଜୟା ଚିନ୍ତାଧାରା ଆଖ୍ୟା ଦେଇ ସେ ଆରମ୍ଭ କରିଥିଲେ ଆତଙ୍କରାଜ । ଦଳ ଭିତରେ ଯେଉଁମାନଙ୍କୁ ସେ ପସନ୍ଦ କରୁନଥିଲେ, ସେମାନଙ୍କୁ ବୁର୍ଜୟା କହି ହତ୍ୟା କରାଯାଉଥିଲା କିମ୍ବା ଲେବର କ୍ୟାମ୍ପକୁ ପଠାଇ ଦିଆଯାଉଥିଲା । ସେହି ସମୟରେ ଜଣେ ୧୫ ବର୍ଷୀୟ ପିଲାର ବାପାଙ୍କୁ ମଧ୍ୟ ଦଳ ବିରୋଧୀ କାର୍ଯ୍ୟ ଅଭିଯୋଗରେ ନିର୍ଯାତନା ଦିଆଯାଇଥିଲା । ସେହି ପିଲା ନିଜ ବିଲରେ କାମ କରି ଆଗକୁ ବଢିଥିଲା । ଯିଏ ପରବର୍ତ୍ତୀ କାଳରେ ସି ଜିନ୍ ପିଙ୍ଗ୍ ଭାବେ ପରିଚିତ ହୋଇଥିଲେ ।

ସି ଜିନପିଙ୍ଗଙ୍କ ଗାଁ ଥିଲା ଚୀନ ଗୃହଯୁଦ୍ଧ କାଳରେ କମ୍ୟୁନିଷ୍ଟଙ୍କ ଗଡ । ଚୀନ୍ ଏବେ ସୁପରପାୱାର ହେବାକୁ ଉଦ୍ୟମ କରୁଛି । ଚୀନ, ବିଶ୍ୱ ଜିଓ ପଲିଟିକ୍ସରେ ଆମେରିକାକୁ ଟକ୍କର ଦେବାକୁ ଉଦ୍ୟମ କରୁଛି । କିନ୍ତୁ ସି ଜିନ୍ ପିଙ୍ଗଙ୍କ ଗାଁ  ୫୦ ବର୍ଷ ତଳେ ଯେମିତି ଥିଲା ଏବେ ମଧ୍ୟ ସେମିତି ଅଛି ।  କାରଣ ହେଉଛି ଏହା କମ୍ୟୁନିଷ୍ଟଙ୍କ ତୀର୍ଥକ୍ଷେତ୍ର । ସେମାନେ ତାଙ୍କ ଗାଁକୁ ଗୋଟିଏ ଜୀବନ୍ତ ମ୍ୟୁଜିୟମରେ ପରିଣତ କରିଛନ୍ତି ।

ସାଧାରଣ ଜୀବନରେ ଜବରଦସ୍ତ ଅଭିନୟ

ସି ଜିନ୍ ପିଙ୍ଗଙ୍କ ବିରୋଧୀ କୁହନ୍ତି ସେ ରାଜନୀତିରେ ଜଣେ ଅଭିନେତା । ସେ ସାଧାରଣ ଲୋକଙ୍କ ସହ ଥିବାର ଅଭିନୟ କରିପାରନ୍ତି କିନ୍ତୁ ପ୍ରକୃତରେ ସେ କ୍ଷମତାଲୋଭୀ । ମାଓଙ୍କ ଅତ୍ୟାଚାରର ଶିକାର ହୋଇଥିବା ସି ଜିନ୍ ପିଙ୍ଗ୍ କେବେ ମଧ୍ୟ ତାଙ୍କ ଅସନ୍ତୋଷକୁ ଜାହିର ହେବାକୁ ଦେଇନଥିଲେ । ୧୯୬୮ରେ ମାଓ ଚୀନର ଯୁବାବର୍ଗଙ୍କୁ କହିଥିଲେ ଗାଁ’କୁ ଚାଲ । ଜିନ୍ ପିଙ୍ଗ୍ ମଧ୍ୟ ଗାଁକୁ ଯାଇଥିଲେ । ସେତେବେଳେ ସେ ମାଓଙ୍କ ରେଡ୍ ବୁକ୍ ପଢୁଥିଲେ । ମାଓ ତାଙ୍କ ଆଦର୍ଶ ଥିଲେ ବୋଲି ଦେଖାଇ ହେଉଥିଲେ ।

ମାଓଙ୍କ ଅତ୍ୟାଚାର କରିଥିଲା ଶକ୍ତ

୬୦ ଦଶକର ଅନ୍ତିମ ଭାଗରେ ମାଓ ପାଗଳାମି କରୁଥିଲେ । ଦଳରେ ନିଜର ଆଧିପତ୍ୟ ପ୍ରତିଷ୍ଠା ପାଇଁ ସେ ସମ୍ଭାବ୍ୟ ଶତ୍ରୁଙ୍କୁ ନିପାତ ନୀତି ଆପଣାଇଥିଲେ । ଖୋଦ ସି ଜିନପିଙ୍ଗଙ୍କ ପିତାଙ୍କୁ ଦଳ ବିରୋଧୀ କାମ ପାଇଁ ଜେଲ ପଠାଇ ଦିଆଯାଇଥିଲା । ଏହି ସମୟରେ ତାଙ୍କର ଜଣେ ଭଉଣୀଙ୍କର ମୃତ୍ୟୁ ହୋଇଥିଲା । ନିଜେ ସି ଜିନ୍ ପିଙ୍ଗ ରେଡ୍ ଗାର୍ଡଙ୍କ ଭୟରେ ଲୁଚିକି ବୁଲୁଥିଲେ । ତେବେ ଏହି ଆତଙ୍କ ଓ ଅତ୍ୟାଚାର ତାଙ୍କୁ ଅଧିକ ଶକ୍ତ କରିଥିଲା । ମାଓଙ୍କ ଅତ୍ୟାଚାରର ଶିକାର ହୋଇଥିଲେ ମଧ୍ୟ ଜିନପିଙ୍ଗ୍ କେବେ ମଧ୍ୟ ଖୋଲାଖୋଲି ମାଓ କିମ୍ବା ଦଳୀୟ ନୀତିକୁ ବିରୋଧ କରିନଥିଲେ । କାରଣ ସେ ଜାଣିଥିଲେ କ୍ଷମତା ପାଇଁ ଅଭିନୟ ଜରୁରୀ ।

ଗୁମ୍ଫାରେ ରହୁଥିଲେ, ଡିବି ଆଲୁଅରେ ପଢୁଥିଲେ

୬୦ ଦଶକ ଚୀନରେ ଗାଁକୁ ବିଜୁଳି ଯାଇନଥିଲା । ସିଙ୍କର ନିଜର ଘର ନଥିଲା । ଅନେକ ଚୀନ ନାଗରିକଙ୍କ ଭଳି ସେ ଗୁମ୍ଫାରେ ନିଜ ପରିବାର ସହ ରହୁଥିଲେ । ଡିବି ଆଲୁଅରେ ପାଠ ପଢୁଥିଲେ । କିନ୍ତୁ ଏହି ସମୟରେ ସେ ବନ୍ଧ ମରାମତିଠାରୁ ରାସ୍ତା ତିଆରି କାମ ଶିଖି ଥିଲେ । ଯେଉଁ ଗୁମ୍ଫାରେ ସେ ରହୁଥିଲେ ସେହି ଗୁମ୍ଫାରେ ତାଙ୍କ ସହିତ ଅନ୍ୟ ତିନିଜଣ ରହୁଥିଲେ । ଗୁମ୍ଫା ଭିତରେ ବିଛଣା ନଥିଲା । ଇଟା ଉପରେ ତାଙ୍କୁ ଶୋଇବାକୁ ପଡୁଥିଲା ।

ରାଷ୍ଟ୍ରପତି ଜିନ୍ ପିଙ୍ଗ୍

୨୦୧୨ ଆସୁ ଆସୁ ସି ଜିନ୍ ପିଙ୍ଗ୍ ଚୀନର ରାଷ୍ଟ୍ରପତି ହୋଇସାରିଥିଲେ । ଏହା ସହ ଦଳ ମୁଖ୍ୟ ଓ ସେନାର ସୁପ୍ରିମ କମାଣ୍ଡର । ରାଷ୍ଟ୍ରପତି ହେବା ସହ ଚୀନରେ ନିଜ ନୀତିକୁ ଲାଗୁ କରିବା ଆରମ୍ଭ କରିଥିଲେ ଜିନ୍ ପିଙ୍ଗ୍ । ଅନେକ ଆଇନରେ ପରିବର୍ତ୍ତନ ଆସିଥିଲା ଓ ଆଇନକୁ କଠୋରତାର ସହ ଲାଗୁ କରାଯାଇଥିଲା । ଖର୍ଚ୍ଚକାଟ ପାଇଁ ସେ ରାଜକୀୟ ଭୋଜି ଉପରେ ପ୍ରତିବନ୍ଧକ ଲାଗୁ କରିଥିଲେ । ସି ଜିନପିଙ୍ଗ୍ ଦୁଇଥର ବିବାହ କରିଛନ୍ତି । ଜଣେ କମ୍ୟୁନିଷ୍ଟ ପାର୍ଟି ନେତାଙ୍କ ଝିଅ ସହିତ ତାଙ୍କ ପ୍ରଥମ ବିବାହ ବିଫଳ ହୋଇଥିଲା । ଏହାପରେ ସେ ଚୀନର ଜଣେ ପ୍ରସିଦ୍ଧ ଗାୟିକାଙ୍କୁ ବିବାହ କରିଥିଲେ ।

ରାଷ୍ଟ୍ରପତି ହେବା ପରେ ଜିନ୍ ପିଙ୍ଗ୍ ଦଳର ବାକି ନେତାଙ୍କୁ ନିଜ ନିୟନ୍ତ୍ରଣରେ ରଖିବାକୁ ଉଦ୍ୟମ କରିଥିଲେ । କେଉଁ ନେତାଙ୍କ ଅଫିସ ସାଇଜ୍ କେତେ ହେବ, ସରକାରୀ ଭୋଜନରେ କେଉଁ ନେତାଙ୍କୁ କେଉଁ ପ୍ରକାର ଓ କେତେ ସଂଖ୍ୟାରେ ବାସନରେ ଖାଦ୍ୟ ପରିବେଷଣ କରାଯିବ ସେ ନେଇ ମଧ୍ୟ ଜିନ୍ ପିଙ୍ଗ୍ ନିୟମ ତିଆରି କରିଛନ୍ତି ।

କରୋନା ଓ ଜିନ୍ ପିଙ୍ଗ୍

କରୋନା ବିରୋଧରେ ଯୁଦ୍ଧ ଲଢୁଛି ବିଶ୍ୱ । ଚୀନର ଉହାନରୁ ଜନ୍ମ ନେଇଥିବା କରୋନା ପାଇଁ ଦୁନିଆ ଲକଡାଉନ୍ ଭିତରେ ରହିଛି । ଆମେରିକାଠାରୁ ଭାରତ ସବୁ ଦେଶ ଆର୍ଥିକ ସଂକଟ ଦେଇ ଗତି କରୁଛନ୍ତି । କିନ୍ତୁ ଚୀନ ଏହା ଭିତରେ ମନି ବ୍ୟାଗ୍ ନେଇ ସପିଂରେ ବାହାରିଛି । ବିଶ୍ୱ ବଜାରର ମାନ୍ଦାବସ୍ଥା ଭିତରେ ଦୁର୍ବଳ ହୋଇପଡିଥିବା କଂପାନୀଙ୍କୁ ଶସ୍ତାରେ ଚୀନ୍ କଂପାନୀ ମାନେ ଟେକ୍ ଓଭର କରୁଛନ୍ତି । କୁହାଯାଉଛି ଯେ, ଏସବୁ ଚୀନର ଚାଲ । ଚୀନ୍ ଦୁନିଆର ସବୁ ଦେଶର ଅର୍ଥନୀତିକୁ ଡୁବାଇ ନିଜେ ସୁପର ପାୱାର ହେବାକୁ ଉଦ୍ୟମ କରୁଛି । କରୋନାକୁ ଟ୍ରମ୍ପ ଚୀନ୍ ଭାଇରସ୍ କହୁଛନ୍ତି । ଜିନ୍ ପିଙ୍ଗ୍ ଏହି ଅସ୍ଥିରତା ଭିତରୁ ଲାଭ ଉଠାଇବାକୁ ଉଦ୍ୟମ କରୁଛନ୍ତି ।

ଚୀନର ଏହି କରୋନା ଚାଲକୁ ଦୁନିଆ ବୁଝିସାରିଲାଣି । କାରଣ ଜିନ୍ ପିଙ୍ଗ୍ ଜଣେ ଜବରଦସ୍ତ ଅଭିନେତା । ଏମିତି ଅଭିନେତା ଯିଏ ପିତାଙ୍କ ପତନ ପାଇଁ ଦାୟୀ ମାଓଙ୍କୁ ମଧ୍ୟ କେବେ ଜୀବନରେ ବିରୋଧ କରିନଥିଲେ । ଚୁପଚାପ ବସିଥିଲେ ସୁଯୋଗ ଅପେକ୍ଷାରେ । ଥରେ ସୁଯୋଗ ପାଇବା ପରେ ନିଜ ବିରୋଧୀଙ୍କୁ ହଟାଇ ପାଲଟିଯାଇଥିଲେ ଚୀନ କମ୍ୟୁନିଷ୍ଟ ପାର୍ଟିର ସର୍ବେସର୍ବା । ଏମିତିରେ ଜିନ୍ ପିଙ୍ଗ୍ ଆଗାମୀ ଦିନରେ କଣ କରୁଛନ୍ତି ତାହା ଉପରେ ପୂରା ଦୁନିଆର ନଜର ରହିବ ।

Leave a Reply