ତୃତୀୟ ଥର ଚୀନର କ୍ଷମତା ସମ୍ଭାଳିବେ ସି ଜିନପିଙ୍ଗ !

ବେଜିଂ: ଆଜିଠାରୁ ଚୀନ କମ୍ୟୁନିଷ୍ଟ ପାର୍ଟିର ୨୦ ତମ ମହାଅଧିବେଶନ ଆରମ୍ଭ । ଚୀନ ରାଷ୍ଟ୍ରପତି ଭାବେ ଲଗାତାର ତୃତୀୟ ଥର ଲାଗି ପୁନଃନିର୍ବାଚିତ ହୋଇପାରନ୍ତି ସି ଜିନପିଙ୍ଗ ।  ସମ୍ମିଳନୀରେ ସାମିଲ ହୋଇଛନ୍ତି ପ୍ରାୟ ୩ ହଜାର ପ୍ରତିନିଧି । ସମସ୍ତ ପ୍ରତିନିଧି ଜିନପିଙ୍ଗ ସପକ୍ଷବାଦୀ ହୋଇଥିବାରୁ ୬୯ ବର୍ଷ ବୟସ୍କ ଜିନିପିଙ୍ଗ ତୃତୀୟ ଥର ଲାଗି ରାଷ୍ଟ୍ରପତି ହେବା ନିଶ୍ଚିତ ହୋଇଛି ।

ଚୀନ କମ୍ୟୁନିଷ୍ଟ ପାର୍ଟିର ନୀତି ଅନୁସାରେ 68 ବର୍ଷ ବୟସ ପରେ କୌଣସି ବ୍ୟକ୍ତି ରାଷ୍ଟ୍ରପତି ହୋଇପାରିବେ ନାହିଁ । ମାତ୍ର ଜିନପିଙ୍ଗଙ୍କ କ୍ଷେତ୍ରରେ ଏହି ନିୟମ କାର୍ଯ୍ୟକାରୀ ହୋଇନାହିଁ । ପୂର୍ବତନ କମ୍ୟୁନିଷ୍ଟ ଶାସକ ମାଓ ଜେଦୁଙ୍ଗଙ୍କ ପରେ ସବୁଠାରୁ ଶକ୍ତିଶାଳୀ ନେତାର ମାନ୍ୟତା ଲାଭ କରିଆସୁଛନ୍ତି ଜିନପିଙ୍ଗ । ଗ୍ରେଟ୍ ହଲ୍ ଅଫ୍ ଦି ପିପୁଲ୍ ସମ୍ମିଳନୀ କକ୍ଷରେ ଅଧିବେଶନରେ ସମସ୍ତ ପ୍ରତିନିଧି ଯୋଗ ଦେଇଥିବା ବେଳେ ଜିନପିଙ୍ଗ ତାଇଓ୍ବାନକୁ ଟାର୍ଗେଟ କରିଛନ୍ତି । ୨୦୧୩ରୁ ରାଷ୍ଚ୍ରପତି ଦାୟିତ୍ବ ତୁଲାଇ ଆସୁଥିବା ଜିନପିଙ୍ଗକୁ ନେଇ ବିଶ୍ବ ରାଜନୀତି ପୁଣି ଚଳଚଞ୍ଚଳ ହୋଇଛି ।

ସମ୍ମିଳନୀ ଆସନ୍ତା ୨୨ ତାରିଖ ଯାଏଁ ଚାଲିବ । ଅଧିବେଶନରେ ୨୦୦ ଜଣିଆ ସେଣ୍ଟ୍ରାଲ କମିଟି ଓ  ୨୫ ଜଣିଆ ସର୍ବଶକ୍ତିମାନ ପଲିଟିବ୍ୟୁରୋ ଗଠନ ହେବ । ଭୟଙ୍କର କୋଭିଡ ଯୋଗୁଁ ଦେଶରେ ଅର୍ଥନୈତିକ ମାନ୍ଦାବସ୍ଥା ପରିଲକ୍ଷିତ ହୋଇଛି । କୋଭିଡ କାରଣରୁ ଦେଶର ବୈଦେଶିକ ବାଣିଜ୍ୟ ମଧ୍ୟ ସଂକଟଗ୍ରସ୍ତ ହୋଇଛି । ଏଦୃଷ୍ଟିରୁ ଜିନପିଙ୍ଗଙ୍କ ଉଦବୋଧନ ଉପରେ ସମସ୍ତଙ୍କ ରହିଛି ନଜର । ମାଓ ଜେଦୁଙ୍ଗ ୧୯୪୯ରୁ ୧୯୫୯ ଯାଏଁ ରାଷ୍ଟ୍ରପତି ଥିବାବେଳେ ଜିନପିଙ୍ଗ ହେବେ ସବୁଠାରୁ ଦୀର୍ଘକାଳୀନ ରାଷ୍ଟ୍ରପତି ।