XE ଭାରିଆଣ୍ଟ ନୁହଁନ୍ତି ମୁମ୍ବାଇରୁ ଚିହ୍ନଟ କରୋନା ସଂକ୍ରମିତ, ଯାଞ୍ଚ ପାଇଁ ତଥ୍ୟ ମାଗିଲା ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ

1 min read
XE Variant Not Detected In Mumbai Say Health Ministry

ମୁମ୍ବାଇ: ମୁମ୍ବାଇରେ ଚିହ୍ନଟ ହୋଇନି କରୋନାର XE ଭାରିଆଣ୍ଟ । XE ଭାରିଆଣ୍ଟ ଚିହ୍ନଟ ଜଣାପଡ଼ିବାର କିଛି ଘଣ୍ଟା ମଧ୍ୟରେ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଏ କଥାକୁ ଟାଳି ଦେଇଛି । ସୂତ୍ର ଅନୁସାରେ, ମୁମ୍ବାଇରେ XE ଭାରିଆଣ୍ଟ ସଂକ୍ରମିତ ଚିହ୍ନଟ ହୋଇନାହାନ୍ତି । INSACOGର ଜିନୋମିକ ବିଶେଷଜ୍ଞ ଯାଞ୍ଚ ବେଳେ ପାଇଥିଲେ XE ଭାରିଆଣ୍ଟ ଜିନୋମିକ ଚିତ୍ର ସହ ମେଳ ଖାଉନାହିଁ । ଅନ୍ୟପଟେ ବିଏମସି INSACOGର ବୈଠକ ପରେ ଜିନୋମ ସ୍ୱିକ୍ୱେନ୍ସିଂ ତଥ୍ୟକୁ ନ୍ୟାସନାଲ ଇନଷ୍ଟିଚ୍ୟୁଟ୍ ଅଫ୍ ବାୟୋମେଡିକାଲ୍ ଜିନୋମିକ୍ସକୁ ପଟାଇ ଦେଇଛି । ଫଳରେ XE ଭାରିଆଣ୍ଟ ଚିହ୍ନଟ ନେଇ ନିଶ୍ଚିତ କରାଯାଇପାରିବ ।

ମୁମ୍ବାଇରେ ଜଣେ ୫୦ ବର୍ଷିଅ ମହିଳା XE ଭାରିଆଣ୍ଟ ସଂକ୍ରମିତ ହୋଇଥିବା କୁହାଯାଉଛି । ମହିଳା ଜଣଙ୍କ କୋଭିଡ୍ ଟିକାର ୨ଟି ଯାକ ଡୋଜ୍ ନେଇଛନ୍ତି । ମହିଳାଙ୍କ ଠାରେ କୋଭିଡର କୌଣସି ଲକ୍ଷଣ ମଧ୍ୟ ନାହିଁ । କିନ୍ତୁ ବିଏମସିର ସେରୋ ସର୍ଭେର ସମସ୍ତ ରିପୋର୍ଟରେ ଦାବି କରାଯାଇଛି କି ମହିଳା ଜଣଙ୍କ XE ଭାରିଆଣ୍ଟ ସଂକ୍ରମିତ ।

XE Variant Not Detected In Mumbai Say Health Ministry

XE ଭାରିଆଣ୍ଟରେ ସଂକ୍ରମିତ ମହିଳା ଜଣଙ୍କ ପେଶାରେ ଫ୍ୟାସନ୍ ଡିଜାଇନର । ସୂଚନା ଅନୁସାରେ ମହିଳା ଜଣଙ୍କ ଗତ ଫେବ୍ରୁଆରୀ ୧୦ରେ ଦକ୍ଷିଣ ଆଫ୍ରିକାରୁ ଫେରିଛନ୍ତି । ଦକ୍ଷିଣ ଆଫ୍ରିକା ଛଡ଼ା ତାଙ୍କର ଅନ୍ୟ କୌଣସି ଗସ୍ତ ବିବରଣୀ ନାହିଁ । ବିଦେଶରୁ ଫେରିବା ପରେ ତାଙ୍କର କୋଭିଡ୍ ଟେଷ୍ଟ କରାଯାଇଥିଲା । ପ୍ରଥମେ ରିପୋର୍ଟ ନେଗେଟିଭ୍ ଆସିଥିଲା । ପୁଣି ଥରେ ୨ ମାର୍ଚ୍ଚରେ କୋଭିଡ୍ ଟେଷ୍ଟ ରିପୋର୍ଟ ପଜିଟିଭ୍ ଆସିଲା । ତାଙ୍କୁ କ୍ୱାରେଣ୍ଟାଇନରେ ରଖାଯାଇ ୩ ତାରିଖରେ ପୁଣି ଟେଷ୍ଟ କରିବାରୁ ରିପୋର୍ଟ ନେଗେଟିଭ୍ ଆସିଥିଲା ।

ବିଏମସିର ସେରୋ ସର୍ଭେ ଅନୁସାରେ, ମହିଳାଙ୍କ ରିପୋର୍ଟ XE ଭାରିଆଣ୍ଟ ସହ କପ୍ପା ଭାରିଆଣ୍ଟ ସଂକ୍ରମିତ ଥିବା ଦାବି କରାଯାଉଛି । ୩୭୬ଟି ନମୁନା ଜିନୋମ ସିକ୍ୱେନ୍ସିଂ ପାଇଁ ପଠା ଯାଇଥିଲା । ଯେଉଁଥିରୁ ୨୩୦ଟି ନମୁନା ମୁମ୍ବାଇର ରହିଥିଲା । ୨୩୦ରୁ ୨୨୮ଟି ନମୁନା ଓମିକ୍ରନ୍ ସଂକ୍ରମିତ ହୋଇଥିବା ବେଳେ ଗୋଟିଏ କପ୍ପା ଭାରିଆଣ୍ଟ ଓ ଅନ୍ୟଟି XE ଭାରିଆଣ୍ଟ ।