ଫୁଟିଲା ଆଗ୍ନେୟଗିରି, ବାହାରିଲା ଜାହାଜ

1 min read

ଟୋକିଓ: ପ୍ରଶାନ୍ତ ମହାସାଗରରେ ହଠାତ ଦେଖାଗଲା ଦ୍ବିତୀୟ ବିଶ୍ବଯୁଦ୍ଧର ଜାହାଜ । ଜାପାନରେ ଟୋକିଓରେ ଦେଖିବାକୁ ମିଳିଛି ଏକ ଆଶ୍ଚର୍ଯ୍ୟକର ଘଟଣା । ଜାପାନର ଏକ ସାମୁଦ୍ରିକ ଆଗ୍ନେୟଗିରି ବିସ୍ଫୋରଣ ହେବା ପରେ ଦେଖିବାକୁ ମିଳିଛି ଏକ ଆଶ୍ଚର୍ଯ୍ୟଚକିତ କଲା ପରି ଦୃଶ୍ୟ । ଜାପାନ ରାଜଧାନୀ ଟୋକିଓର ୧୨୦୦ କିଲୋମିଟର ଦକ୍ଷିଣରେ ପ୍ରଶାନ୍ତ ମହାସାଗରରେ ଏକ ଆଗ୍ନେୟଗିରି ବିସ୍ଫୋରଣ ହୋଇଥିଲା । ଏହାପରେ ଦ୍ବିତୀୟ ବିଶ୍ବଯୁଦ୍ଧ ସମୟରେ ବୁଡ଼ି ଯାଇଥିବା ଦୁଇ ଡଜନ ଭୂତ ଜାହାଜ ବାହାରିଥିଲା । ପ୍ରଶାନ୍ତ ମହାସାଗରରେ ଥିବା ଆଇଓ ଜିମା ଦ୍ବୀପ ନିକଟରେ ଦ୍ବିତୀୟ ବିଶ୍ବଯୁଦ୍ଧ ଜାହାଜ ଦେଖାଯାଇଛି ।

ତେବେ ଦ୍ବିତୀୟ ବିଶ୍ବଯୁଦ୍ଧ ସମୟରେ ଏଠାରେ ଘଟିଥିବା ଯୁଦ୍ଧକୁ ଆଇଓ ଜିମା ଯୁଦ୍ଧ କୁହାଯାଏ । ୧୯୪୫ରେ ହୋଇଥିବା ଏହି ଭୟଙ୍କର ଯୁଦ୍ଧରେ ଆମେରିକା ସେନା ଏଠାରେ ଅନେକ ଜାହାଜ ବୁଢ଼ାଇଥିଲା । ଏହି ଯୁଦ୍ଧ ସମୟରେ ୭୦ ହଜାର ଆମେରିକୀୟ ମେରାଇନ ସୈନିକଙ୍କ ସହ  ଜାପାନର ୨୦ ହଜାର ସୈନିକଙ୍କ ଲଢ଼େଇ ହୋଇଥିଲା । ଏହି ଯୁଦ୍ଧ ଶେଷ ହେବା ବେଳକୁ ୨୦ ହଜାର ଆମେରେକୀୟ ସୈନିକ ଆହାତ ହୋଇଥିବା ବେଳେ ୭୦୦୦ ସୈନିକ ମୃତ୍ୟୁ ବରଣ କରିଥିଲେ । ଅନ୍ୟପଟେ ଜାପାନ କଥା ଯଦି କହିବା ଯୁଦ୍ଧ ଶେଷ ବେଳକୁ ମାତ୍ର ୨୧୬ ଜଣ ସୈନିକ ହିଁ ଜୀବନ୍ତ ଥିଲେ । ତେବେ ସମୁଦ୍ରରୁ ବାହାରିଥିବା ଅଧିକାଂଶ ଜାହାଜ ହେଉଛି ପରିବହନ ଜାହାଜ ।  ଯାହାକୁ ଆମେରିକାର ସେନା ଜବତ କରିଛି । ଆମେରିକା ଜାତୀୟ ଅଭିଲେଖାଗାରା ଅନୁଯାୟୀ ଏହି ଜାହାଜଗୁଡିକୁ ଆମେରିକୀୟ ସେନା ବମ୍ ମାଧ୍ୟମରେ ବୁଡାଇ ଦିଆଯାଇଥିଲା ।  ଆଇଓ ଜିମାରେ କୌଣସି ବନ୍ଦର ନଥିଲା ତେଣୁ ଜାହାଜଗୁଡିକ ସମୁଦ୍ର ତଳେ ଯାଇ ଦ୍ବୀପ ସହ ସମାନ୍ତରାଳ ଭାବରେ ବୁଡିଯାଇଥିଲା ।

ଅନ୍ୟପକ୍ଷରେ ଜାପାନ ସରକାରଙ୍କ ସେଣ୍ଟର ଫର ଇଣ୍ଟିଗ୍ରେଟେଡ ଆଗ୍ନେୟଗିରି ଅନୁସନ୍ଧାନର ନିର୍ଦ୍ଦେଶକ ସେଟସୁୟା ନାକଡା କହିଛନ୍ତି ଯେ ଚଳିତ ବର୍ଷ ଅଗଷ୍ଟରୁ ଫୁକୁଟୁକୁ-ଓକାନୋବା ଆଗ୍ନେୟଗିରି ସମୁଦ୍ର ତଳେ କ୍ରମାଗତ ଭାବରେ ବିସ୍ଫୋରଣ ହେତୁ ବାରମ୍ବାର ଭୂକମ୍ଫ ହୁଏ । ଯେଉଁଥିପାଇଁ ଜାହାଜଗୁଡିକ ଉପରକୁ ଆସିଛି । ଯଦି ଆମେ ଏହି ଦ୍ବୀପ କଥା କହିବେ ତାହାଲେ ଆଇଓ ଜିମା ଦ୍ବୀପ ବୋନିନ୍ ଦ୍ବୀପପୁଞ୍ଜର ଏକ ଅଂଶ । ଏଠାରେ ପ୍ରାୟ ୩୦ଟି ଦ୍ବୀପପୁଞ୍ଜ  ରହିଛି ।  ପ୍ରଶାନ୍ତ ମହାସାଗରରେ ଅବସ୍ଥିତ ଥିବା ପ୍ରଶାନ୍ତ ଟେକ୍ଟୋନିକ୍ ପ୍ଲେଟ ଏବଂ ଫିଲିପାଇନ୍ସ ସାଗର ପ୍ଲେଟର ଧକ୍କା ଦ୍ବାରା ଏହି ଦ୍ବୀପପୁଞ୍ଜ ଗଠିତ ହୋଇଛି। ଏହି ଦ୍ବୀପପୁଞ୍ଜ ଅଞ୍ଚଳରେ ବାରମ୍ବାର ଭୂକମ୍ପ ଓ ଆଗ୍ନେୟଗିରି ଉଦ୍ଗୀରଣ ହେବାର ସମ୍ଭାବନା ମଧ୍ୟ ଅଧିକ ଥାଏ । ଯଦି ଆମେ ଜାପାନ ପାଣିପାଗ ବିଭାଗ କଥା କହିବା ତାହାଲେ ଜାପାନ ପାଣିପାଗ ବିଭାଗ ଅନୁଯାୟୀ ଆଇଓ ଜିମା ଦ୍ବୀପ ନିକଟରେ ୭ ଅକ୍ଟୋବର ୨୦୨୧ରେ ୫.୯ ରିକ୍ଟରର ଏକ ଭୂକମ୍ପ ହୋଇଥିଲା । ଯେଉଁଥିପାଇଁ ଟୋକିଓ ସମେତ ସମଗ୍ର ଜାପାନରେ ଏହା ଅନୁଭୁତି ହୋଇଥିଲା । ତେବେ ଏଠାରେ ଆଉ ଏକ ଆଗ୍ନେୟଗିରି ଦ୍ବୀପ ମଧ୍ୟ ଅଛି । ଯାହାର ନାମ ନିଶିନୋଶିମା । ୨୦୧୩ଠାରୁ କ୍ରମାଗତ ଭାବରେ  ଉଦ୍ଗୀରଣ ହେଉଛି । ତେବେ ଜାପାନ ସରକାରଙ୍କ ସେଣ୍ଟର ଫର ଇଣ୍ଟିଗ୍ରେଟେଡ ଆଗ୍ନେୟଗିରି ଅନୁସନ୍ଧାନର ନିର୍ଦ୍ଦେଶକ ସେଟସୁୟା ନାକଡା କହିଛନ୍ତି କି ଆପଣ ଏହି ୩୦ଟି ଦ୍ବୀପପୁଞ୍ଜ ନିକଟରେ ସମୁଦ୍ରରେ ଅନେକ ରଙ୍ଗ ଦେଖିବାକୁ ପାଇବେ । ସମୁଦ୍ର ଭିତରେ ଆଗ୍ନେୟଗିରି ଉଦ୍ଗୀରଣ ହେତୁ ଏହା ହେଉଛି ବୋଲି କହିଛନ୍ତି ସେଟସୁୟା । ସେ ଆହାରି କହିଛନ୍ତି କି ଆଇଓ ଜିମା ଦ୍ବୀପରେ ଏକ ବଡ଼ ବିସ୍ଫୋରଣ ଯେକୌଣସି ସମୟରେ ହୋଇପାରେ । ତେବେ ଏହି ଉଦ୍ଗୀରଣ ଫଳରେ ସମୁଦ୍ର ଚଟାଣ ଯଦି ଭୁଶୁଡି ପଡ଼େ ତେବେ ଅନେକ ସାମୁଦ୍ରିକ ଧନ ବାହାରକୁ ଆସିପାରେ ବୋଲି ସେଟସୁୟା ନାକଡା କହିଛନ୍ତି ।

Leave a Reply