କଟକ ଜନନୀ ନର୍ସିଂହୋମରେ ଭୁଲ ଅସ୍ତ୍ରୋପଚାର ଘଟଣା, ସିଡିଏମଓଙ୍କୁ ଭେଟିଲେ ପୀଡିତାଙ୍କ ସ୍ବାମୀ

କଟକ: କଟକ ମଙ୍ଗଳାବାଗ ଅଂଚଳର ଜନନୀ ନର୍ସିଂ ହୋମରେ ଭୁଲ ଅସ୍ତ୍ରୋପଚାର କରି ଜଣେ ମହିଳାଙ୍କ ମଳଦ୍ବାର ନଳି କାଟି ଦେଇଥିବା ଅଭିଯୋଗରେ ଆଜି ପିଡିତାଙ୍କ ସ୍ବାମୀ କଟକ ଆସି ସିଡିଏମଓଙ୍କୁ ଭେଟିଛନ୍ତି । ଏନେଇ ମଙ୍ଗଳାବାଗ ଥାନାରେ ଅଭିଯୋଗ କରିଥିଲେ ସୁଦ୍ଧା ନ୍ୟାୟ ମିଳି ନଥିବାରୁ ତୁରନ୍ତ ନିରପେକ୍ଷ ତଦନ୍ତ କରିବାକୁ ଦାବି କରିଛନ୍ତି । ଏପରିକି ମେଡିକାଲ କର୍ତ୍ତୃପକ୍ଷ କିଛି କାଗଜ ପତ୍ରକୁ ଚଞ୍ଚକତା କରି ବଦଳେଇ ଦେଇଛନ୍ତି ବୋଲି ସେ ଅଭିଯୋଗ କରିଛନ୍ତି। ତେଣୁ ତୁରନ୍ତ ଘଟଣାର ତଦନ୍ତ କରି ତାଙ୍କ ପରିବାରକୁ ନ୍ୟାୟ ଦେବାକୁ ସେ ଅନୁରୋଧ କରିଛନ୍ତି ।
ସେପଟେ ତଦନ୍ତ କରୁଥିବା ଡାକ୍ତରୀ ଟିମ ୩ ଦିନ ମଧ୍ଯରେ ରିପୋର୍ଟ ଦେବେ। ଏହାକୁ ତର୍ଜମା କରାଯିବା ସହ ପୋଲିସକୁ ପ୍ରଦାନ କରାଯିବ ବୋଲି କଟକ ସିଡିଏମଓ କହିଛନ୍ତି । ଯଦି ଅବହେଳା କି ତ୍ରୁଟି ପରିଲକ୍ଷିତ ହୁଏ ତେବେ କାର୍ଯ୍ୟାନୁଷ୍ଠାନ ହେବ ବୋଲି ସେ ସ୍ପଷ୍ଟ କରିଛନ୍ତି।
ସୂଚନା ଅନୁଯାୟୀ, ପ୍ରସୂତି ସମସ୍ୟା ନେଇ ନର୍ସିଂହୋମକୁ ଆସିଥିଲେ ମାହାଙ୍ଗା ଅଞ୍ଚଳର ମହିଳା। ଡାକ୍ତର ଭୁଲରେ ତାଙ୍କ ମଳଦ୍ବାର ନଳି ଅପରେସନ କରିଥିଲେ। ଏନେଇ ଗତ ୪ ତାରିଖରେ ମଙ୍ଗଳାବାଗ ଥାନାରେ ଅଭିଯୋଗ କରିଥିଲେ ମହିଳାଙ୍କ ପରିବାର। ଘରଣାର ଗୁରୁତ୍ବକୁ ଦେଖି ଡିସିପି ସ୍ବାସ୍ଥ୍ୟ ବିଭାଗକୁ ଘଟଣାର ବୈଷୟିକ ତଦନ୍ତ ପାଇଁ ଚିଠି ଲେଖିଥିଲେ । କଟକ ସିଡିଏମଓଙ୍କ ନିର୍ଦ୍ଦେଶରେ ୩ ଜଣିଆ ଟିମ ତଦନ୍ତ କରିଛନ୍ତି । ନର୍ସିଂହୋମ ଯାଇ ବିଭିନ୍ନ କାଗଜପତ୍ର ଯାଞ୍ଚ କରିବା ସହ କର୍ତ୍ତୃପକ୍ଷ ଓ କର୍ମଚାରୀଙ୍କୁ ପଚରାଉଚୁରା କରିଛନ୍ତି । ଅସ୍ତ୍ରୋପଚାର ଥିଏଟର ବୁଲି ଦେଖିଛି ଟିମ୍।