ଛତିଶଗଡ଼ ନକ୍ସଲ ଆକ୍ରମଣରେ ସହିଦ ଯବାନଙ୍କୁ ‘ବେତନଭୋଗୀ’ କହି ଲେଖିକା ଗିରଫ

ଗୌହାଟୀ: ଛତିଶଡରେ ନକ୍ସଲଙ୍କ ବର୍ବର ଆକ୍ରମଣରେ ସହିଦ ହୋଇଥିବା ଯବାନଙ୍କୁ କ’ଣ ପାଇଁ ମିଡିଆ ସହିଦ ଆଖ୍ୟା ଦେଉଛି ? ସେମାନେ ନିଜ କାମ ପାଇଁ ଦରମା ପାଉଥିଲେ ତେଣୁ ସେମାନଙ୍କୁ ସହିଦ ବୋଲି କହିବା ଠିକ୍ ନୁହେଁ । ଫେସବୁକରେ ଏମିତି କିଛି ପୋଷ୍ଟ୍ କରି ଆମେରିକାର ଜଣେ ତଥାକଥିତ ବୁଦ୍ଧିଜୀବି ତଥା ଲେଖିକା ଗିରଫ ହୋଇଛନ୍ତି । ଛତିଶଗଡରେ ନକ୍ସଲ ଆକ୍ରମଣର ଶିକାର ଯବାନଙ୍କୁ ଯେଉଁଭଳି ଭାବେ ସହିଦ କୁହାଯାଉଛି ତାହା ଠିକ୍ ନୁହେଁ ବୋଲି ଶିଖା ଶର୍ମା ତାଙ୍କ ପୋଷ୍ଟରେ ଲେଖିଥିଲେ । ତେବେ ତାଙ୍କର ଏହି ପୋଷ୍ଟକୁ ଅନେକ ୟୁଜର୍ସ ବିରୋଧ କରିଥିଲେ । ଏହାକୁ ନେଇ ସୋସିଆଲ ମିଡିଆରେ ତାଙ୍କୁ ବିରୋଧର ସମ୍ମୁଖୀନ ହେବାକୁ ପଡିଥିଲା । ନିଜ ପୋଷ୍ଟରେ ଶିଖା ଶର୍ମା ସହିଦ ଯବାନଙ୍କୁ ‘ବେତନଭୋଗୀ ପେଶାଦାର’ ବୋଲି କହିଥିଲେ ।

ଶିଖା କ’ଣ କହିଛନ୍ତି ?
ଡ୍ୟୁଟି କାଳରେ ମୃତ୍ୟୁବରଣ କରିଥିବା ବେତନଭୋଗୀ ପେଷାଦାରଙ୍କୁ ସହିଦ ବୋଲି କୁହାଯାଇ ପାରିବ ନାହିଁ । ଏହି ତର୍କ ଆଧାରରେ ବିଦ୍ୟୁତ ବିଭାଗର କୌଣସି କର୍ମଚାରୀ କାମ ବେଳେ ମୃତ୍ୟୁ ବରଣ କଲେ ତାଙ୍କୁ ମଧ୍ୟ ସହିଦ କୁହାଯିବା ଉଚିତ । ମିଡିଆ ଲୋକଙ୍କ ଭାବନା ସହିତ ଖେଳିବା ଉଚିତ ନୁହେଁ ବୋଲି ଶିଖା ତାଙ୍କ ଅଜବ ଯୁକ୍ତିରେ ଦର୍ଶାଇ ଥିଲେ ।

ଦେଶଦ୍ରୋହ ମାମଲାରେ ଗିରଫ

ନିଜକୁ ଲେଖିକା ବୋଲି କହୁଥିବା ଏହି ତଥାକଥିତ ବୁଦ୍ଧିଜୀବୀ ଶସସ୍ତ୍ର ବାହିନୀର ଯବାନ ଓ ବେସାମରିକ କର୍ମଚାରୀଙ୍କ ମଧ୍ୟରେ କୌଣସି ଫରକ ମଧ୍ୟ ଦେଖି ପାରିନଥିଲେ । ତାଙ୍କ ପୋଷ୍ଟ୍ ଭାଇରାଲ ହେବା ପରେ ଗୌହାଟି ହାଇକୋର୍ଟର ଦୁଇଜଣ ଓକିଲ ଉମି ଡେକା ଓ କଙ୍ଗକନା ଗୋସ୍ୱାମୀ ଦିସପୁର ଥାନାରେ ଏତଲା ଦେଇଥିଲେ । ଦିସପୁର ପୋଲିସ ଶିଖାଙ୍କୁ ଦେଶଦ୍ରୋହ ଅଭିଯୋଗରେ ଗିରଫ କରିଛି । ଏପ୍ରିଲ ୮ ତାରିଖରେ ତାଙ୍କୁ ଅଦାଲତରେ ହାଜର କରାଯିବ । ସୂଚନାଯୋଗ୍ୟ ଯେ, ଶିଖା ପୂର୍ବରୁ ଅଲ ଇଣ୍ଡିଆ ରେଡିଓ ପାଇଁ କାମ କରୁଥିଲେ ।

Leave a Reply