ଡକ୍ଟର ଗାୟତ୍ରୀବାଳା ପଣ୍ଡାଙ୍କୁ ମର୍ଯ୍ୟାଦାଜନକ ଭଞ୍ଜଭାରତୀ ଜୟଦେବ ଷଡଙ୍ଗୀ ସ୍ମୃତି ସମ୍ମାନ ୨୦୨୧ ପ୍ରଦାନ

Gayatribala Panda

ଭୁବନେଶ୍ୱର: ବିଶିଷ୍ଟ ସାରସ୍ୱତ ସାଧିକା ଡକ୍ଟର ଗାୟତ୍ରୀବାଳା ପଣ୍ଡାଙ୍କୁ ମର୍ଯ୍ୟାଦାଜନକ ଭଞ୍ଜଭାରତୀ ଜୟଦେବ ଷଡଙ୍ଗୀ ସ୍ମୃତି ସମ୍ମାନ ୨୦୨୧ ପ୍ରଦାନ କରାଯାଇଛି । ଅଗ୍ରଣୀ ସାରସ୍ୱତ ଅନୁଷ୍ଠାନ ଭୁବନେଶ୍ୱର ଭଞ୍ଜଭାରତୀ ପକ୍ଷରୁ ଆୟୋଜିତ ତ୍ରିଦିବସୀୟ ଓଡ଼ିଆ ସାହିତ୍ୟ ସମାରୋହର ଶେଷ ସନ୍ଧ୍ୟାରେ ସମ୍ମାନ ପ୍ରଦାନ କରାଯାଇଛି । ଯୁବପିଢୀଙ୍କୁ ସାହିତ୍ୟ ଏବଂ ଓଡ଼ିଆ ଭାଷା ସଂସ୍କୃତି ପ୍ରତି ଆକୃଷ୍ଠ କରିବା ପାଇଁ ଅନୁଷ୍ଠାନ ପକ୍ଷରୁ ଏହି ସମାରୋହର ଆୟୋଜନ କରାଯାଇଥିଲା ।

‘ଭାବପ୍ରବଣତା ହେଲେ ମୁଁ କବିତା ଲେଖେ । ଛେଚି ଛେଚି ଏକ ଆକାର ନେଉଥିବା ଯନ୍ତ୍ରଣାକୁ କବିତା ଆକାରରେ ପ୍ରକାଶ କରେ । କବିତା ହେଉଛି ମୋର କାନ୍ଦ, କ୍ରୋଧ ଏବଂ ତାଡ଼ନାର ଏକ ପ୍ରତିବିମ୍ବ । ନିଜ ଚାରିପଟେ ଘଟୁଥିବା ଘଟଣା ଏବଂ ସାମାଜିକ ସମସ୍ୟାକୁ କବିତା ମାଧ୍ୟମରେ ପ୍ରକାଶ କରିବା ଜଣେ କବିର କର୍ତ୍ତବ୍ୟ । ଆଉ ତାହା ମୁଁ କରୁଛି ।’ ସମ୍ମାନ ପାଇବା ଅବସରରେ ଏଭଳି କହିଛନ୍ତି ଡକ୍ଟର ଗାୟତ୍ରୀବାଳା ପଣ୍ଡା । ସମ୍ମାନୀତ ହୋଇ ଭାଷଣ ଦେବା ବେଳେ ଏମିତି ଭାବାତ୍ମକ ଭାଷାରେ ନିଜ ବକ୍ତବ୍ୟ ରଖିଥିଲେ ଡକ୍ଟର ଗାୟତ୍ରୀ । ଯୁବ କବି ଭାବରେ ଅନୁଷ୍ଠାନ ତାଙ୍କୁ ଏହି ସମ୍ମାନରେ ସମ୍ମାନୀତ କରିଥିବାରୁ ସେ ଅନୁଷ୍ଠାନକୁ କୃତଜ୍ଞତା ଜଣାଇଛନ୍ତି ।

ସାହିତ୍ୟର ଅବକ୍ଷୟ ଧାରାକୁ ପୁନର୍ବାର ଯୁବପୀଢିଙ୍କ ନିକଟରେ ନୂଆକରି ପରିବେଷଣ କରିବା ପାଇଁ ଏଭଳି ଓଡ଼ିଆ ସାହିତ୍ୟ ସମାରୋହ ଆୟୋଜନ କରିଥିଲା ଭୁବନେଶ୍ୱର ଭଞ୍ଜଭାରତୀ ଅନୁଷ୍ଠାନ । ଯୁକ୍ତି ସଂଗତ ଏବଂ ପ୍ରାସଙ୍ଗିକତା ଆଲୋଚନା କରି ସାହିତ୍ୟକୁ ଲୋକାଭିଭୁଖୀ କରିବା ଅନୁଷ୍ଠାନର ଲକ୍ଷ୍ୟ ବୋଲି ସଂପାଦକ କୃଷ୍ଣକେଶବ ଶତପଥି କହିଛନ୍ତି । ଆଗାମୀ ଦିନରେ ଏଭଳି ସମାରୋହ ଓଡ଼ିଶାର ବିଭିନ୍ନ ପ୍ରାନ୍ତରରେ କରିବାକୁ ଲକ୍ଷ୍ୟ ରଖିଛି ଅନୁଷ୍ଠାନ । ତିନିଦିନ ଧରି ଚାଲିଥିବା ଓଡ଼ିଆ ସାହିତ୍ୟ ସମାରୋହର ଶେଷ ସନ୍ଧ୍ୟାରେ ରାଜ୍ୟ ମୁଖ୍ୟ ସୂଚନା ଆୟୁକ୍ତ ସୁନୀଲ କୁମାର ମିଶ୍ର ଯୋଗଦେଇ ସାହିତ୍ୟ ପ୍ରତି ଯୁବପୀଢିଙ୍କୁ ଉତ୍ସାହିତ କରିଥିଲେ ।

Leave a Reply