ଆଜି ତଦନ୍ତକାରୀ କମିଟି ନିକଟରେ ହାଜର ହେବେ କୁସ୍ତି ଯୋଦ୍ଧା ସଂଘ ସଭାପତି ବ୍ରିଜ ଭୂଷଣ

ନୂଆଦିଲ୍ଲୀ: ଆଜି ତଦନ୍ତକାରୀ କମିଟି ନିକଟରେ ହାଜର ହେବେ ଭାରତୀୟ କୁସ୍ତି ଯୋଦ୍ଧା ମହାସଙ୍ଘ ସଭାପତି ବ୍ରିଜ ଭୂଷଣ ଶରଣ ସିଂ । ଯୌନ କେଳେଙ୍କାରୀ ବିବାଦରେ ଫସିଥିବା ବ୍ରିଜଭୂଷଣଙ୍କ ଇସ୍ତଫା ଦାବିରେ ଦିଲ୍ଲୀରେ ଜୋରଦାର ବିକ୍ଷୋଭ ହେବା ପରେ ଗଠିତ ହୋଇଥିଲା କମିଟି । ସ୍ପୋର୍ଟସ୍ ଅଥରିଟି ଅଫ ଇଣ୍ଡିଆ କାର୍ଯ୍ୟାଳୟରେ ଉପସ୍ଥିତ ରହି ସେ ନିଜର ବୟାନ ରଖିବେ ବୋଲି ସୂଚନା ମିଳିଛି । ଜେରାବେଳେ ପୂର୍ବତନ ରେସଲର ବବିତା ଫୋଗାଟ ମଧ୍ୟ ଉପସ୍ଥିତ ରହିପାରନ୍ତି । ଗତମାସରେ ଦିଲ୍ଲୀ ଯନ୍ତରମନ୍ତରରେ ଯୌନ କେଳେଙ୍କାରୀ ଓ ଅର୍ଥ ତୋଷରପାତ ଅଭିଯୋଗ କ୍ରମେ ବଜରଙ୍ଗ ପୁନିଆ ଓ ବିନେଶ ଫୋଗାଟଙ୍କ ନେତୃତ୍ବରେ ହୋଇଥିଲା ବିକ୍ଷୋଭ ।

ବବିତା ହେଉଛନ୍ତି ଉଭୟ ବିନେଶ ଓ ବଜରଙ୍ଗଙ୍କ ସମ୍ପର୍କୀୟ । ଅଭିଯୋଗର ତଦନ୍ତ ଲାଗି କ୍ରୀଡ଼ା ମନ୍ତ୍ରାଳୟ ନିର୍ଦ୍ଦେଶ କ୍ରମେ ମେରିକମଙ୍କ ନେତୃତ୍ୱରେ ଗତ ଜାନୁଆରୀ ୨୩ରେ ଗଠିତ ହୋଇଥିଲା କମିଟି । ମନ୍ତ୍ରାଳୟ ନିକଟରେ ରିପୋର୍ଟ ଦାଖଲ ନହେବା ଯାଏ ସମସ୍ତ ପ୍ରକାର କାର୍ଯ୍ୟକଳାପରୁ ଦୂରେଇ ରହିବା ଲାଗି ତାଙ୍କୁ ନିର୍ଦ୍ଦେଶ ଦିଆଯାଇଥିଲା । ତଦନ୍ତକାରୀ ପ୍ୟାନେଲରେ ଥିବା ସଦସ୍ୟମାନେ ହେଲେ ଯୋଗେଶ୍ବର ଦତ୍ତ, ତୃପ୍ତି ମୁରୁଗୁନ୍ଦେ, ରାଧିକା ଶ୍ରୀମାନ, ରାଜେଶ ରାଜାଗୋପାଳନ, ବବିତା ଫୋଗାଟ । ରିପୋର୍ଟ ଦାଖଲ ଲାଗି ୬ ସପ୍ତାହ ସମୟ ନିଆଯାଇଥିଲା ।