କୁସ୍ତି ମହାସଂଘ ମୁଖିଆ ବ୍ରିଜଭୂଷଣଙ୍କ ବିରୋଧରେ ୨ଟି ମାମଲା ରୁଜୁ କଲା ଦିଲ୍ଲୀ ପୋଲିସ୍

ନୂଆଦିଲ୍ଲୀ: ଭାରତୀୟ କୁସ୍ତି ମହାସଂଘ ମୁଖିଆ ବ୍ରିଜଭୂଷଣ ସିଂଙ୍କ ବିରୋଧରେ ମାମଲା ରୁଜୁ କରିଛି ଦିଲ୍ଲୀ ପୋଲିସ । କୁସ୍ତିଯୋଦ୍ଧାଙ୍କ ଅଭିଯୋଗକ୍ରମେ ୨ଟି ମାମଲା ରୁଜୁ କରିଛି ପୋଲିସ । ପ୍ରଥମ ଏଫଆଇଆର ନାବାଳିକା କୁସ୍ତିଯୋଦ୍ଧାଙ୍କ ଅଭିଯୋଗ ଆଧାରରେ ରୁଜୁ କରାଯାଇଛି, ଯେଉଁଥିରେ ପକ୍ସୋ ଆକ୍ଟ ମଧ୍ୟ ଲଗାଯାଇଛି । ଦିଲ୍ଲୀ ପୋଲିସ କହିଛି ଯେ ଦ୍ୱିତୀୟ ଏଫଆଇଆର ମହିଳା କୁସ୍ତିଯୋଦ୍ଧାଙ୍କ ଅଭିଯୋଗରେ ହୋଇଛି । ଉଭୟ ମାମଲାକୁ ନେଇ ତଦନ୍ତ ଆରମ୍ଭ କରି ଦିଆଯାଇଛି ।

ଏହା ପୂର୍ବରୁ ଦିନରେ ଦିଲ୍ଲୀର ଜନ୍ତରମନ୍ତରରେ ଧାରଣା ଦେଇଥିବା କୁସ୍ତିଯୋଦ୍ଧାଙ୍କ ଆବେଦନ ଉପରେ ସୁପ୍ରିମକୋର୍ଟ ଶୁଣାଣି କରିଥିଲେ । ଏହି ସମୟରେ ଦିଲ୍ଲୀ ପୋଲିସ କହିଥିଲା ଯେ ଖୁବଶୀଘ୍ର ଯୌନ ନିର୍ଯାତନା ମାମଲାରେ ଏଫଆଇଆର ରୁଜୁ କରାଯିବ । ସୂଚନା ଥାଉକି ଜଣେ ନାବାଳିକା ସମେତ ୭ ମହିଳା କୁସ୍ତିଯୋଦ୍ଧାଙ୍କ ସହ କୁସ୍ତି ସଂଘ ଅଧ୍ୟକ୍ଷ ବ୍ରିଜଭୂଷଣ ଯୌନ ନିର୍ଯାତନା କରିଥିବା ଅଭିଯୋଗ ହୋଇଛି । ଭାରତର ଷ୍ଟାର କୁସ୍ତିଯୋଦ୍ଧା, ବିନେଶ ଫୋଗାଟ, ସାକ୍ଷୀ ମଲ୍ଲିକ ଏବଂ ବଜରଙ୍ଗ ପୁନିଆ ପ୍ରମୁଖ ନ୍ୟାୟ ଦାବିରେ ଦିଲ୍ଲୀ ଜନ୍ତରମନ୍ତରରେ ଧାରଣାରେ ବସିଛନ୍ତି ।

ଏହା ପୂର୍ବରୁ ଦିଲ୍ଲୀ ପୋଲିସ ସେମାନଙ୍କ ଅଭିଯୋଗ ନେଉନଥିବା କହିଥିଲେ ଧାରଣାରତ କୁସ୍ତିଯୋଦ୍ଧାମାନେ । ଶୁକ୍ରବାର ସୁପ୍ରିମକୋର୍ଟରେ ଶୁଣାଣି ପରେ କୁସ୍ତିଯୋଦ୍ଧା ବିନେଶ ଫୋଗାଟ କହିଥିଲେ ଯେ ସେପର୍ଯ୍ୟନ୍ତ ଧାରଣା ଜାରି ରଖିବୁ ଯେପର୍ଯ୍ୟନ୍ତ ସୁଦ୍ଧା ବ୍ରିଜଭୂଷଣଙ୍କୁ ଜେଲକୁ ପଠା ନଯାଇଛି । ସେ କହିଥିଲେ ଯେ ବ୍ରିଜଭୂଷଣର ସ୍ଥାନ ଜେଲରେ ଅଟେ ଏବଂ ତାଙ୍କୁ ସମସ୍ତ ପଦରୁ ହଟାଯିବା ଆବଶ୍ୟକ । ନଚେତ୍ ସେ ନିଜ ପଦର ଦୁରୁପଯୋଗ କରି ଯାଞ୍ଚ ପ୍ରଭାବିତ କରିବେ ।