ଖେଳ ମନ୍ତ୍ରୀ ଅନୁରାଗ ଠାକୁରଙ୍କୁ ଭେଟି ୫ ଦାବି ରଖିଲେ କୁସ୍ତିଯୋଦ୍ଧା
ନୂଆଦିଲ୍ଲୀ: ବିଜେପି ସାଂସଦ ଏବଂ କୁସ୍ତି ମହାସଂଘର ଅଧ୍ୟକ୍ଷ ବ୍ରିଜଭୂଷଣ ଶରଣ ସିଂଙ୍କ ବିରୋଧରେ ଯୌନ ଶୋଷଣ ଅଭିଯୋଗ ଆଣି ବିରୋଧ ପ୍ରଦର୍ଶନ କରୁଥିବା କୁସ୍ତିଯୋଦ୍ଧାମାନେ ଆଜି କେନ୍ଦ୍ରୀୟ ଖେଳ ମନ୍ତ୍ରୀ ଅନୁରାଗ ଠାକୁରଙ୍କୁ ଭେଟି ୫ଟି ଦାବି ରଖିଛନ୍ତି । କୁସ୍ତିଯୋଦ୍ଧାମାନେ କହିଛନ୍ତି, କୌଣସି ମହିଳାଙ୍କୁ ହିଁ ଭାରତୀୟ କୁସ୍ତି ମହାସଂଘର ମୁଖିଆ କରାଯାଉ । ଗତକାଲି ବିଳମ୍ବିତ ରାତିରେ ଖେଳ ମନ୍ତ୍ରୀ ଟ୍ୱିଟ୍ କରି ଆଲୋଚନା ପାଇଁ କୁସ୍ତିଯୋଦ୍ଧାଙ୍କୁ ଆମନ୍ତ୍ରଣ କରିଥିଲେ । ଏହାପରେ ଆଜି କୁସ୍ତିଯୋଦ୍ଧା ବଜରଙ୍ଗ ପୁନିଆ ଏବଂ ସାକ୍ଷୀ ମଲିକ ଖେଳ ମନ୍ତ୍ରୀ ଅନୁରାଗ ଠାକୁରଙ୍କୁ ତାଙ୍କ ଘରେ ଯାଇ ଭେଟି ଆଲୋଚନା କରିଛନ୍ତି । ପାଞ୍ଚ ଦିନ ଭିତରେ କୁସ୍ତିଯୋଦ୍ଧା ଏବଂ ସରକାରଙ୍କ ମଧ୍ୟରେ ଏହା ଦ୍ୱିତୀୟ ବୈଠକ ଥିଲା ।
ଏହା ପୂର୍ବରୁ ଶନିବାର ବିଳମ୍ବିତ ରାତିରେ ଗୃହମନ୍ତ୍ରୀ ଅମିତ ଶାହଙ୍କୁ ମଧ୍ୟ ଭେଟିଥିଲେ କୁସ୍ତିଯୋଦ୍ଧା ଏବଂ ଯୌନ ଶୋଷଣର ଅଭିଯୁକ୍ତ ବ୍ରିଜଭୂଷଣଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରିଥିଲେ । ଆଜିର ବୈଠକରେ କୁସ୍ତିଯୋଦ୍ଧାମାନେ ଖେଳ ମନ୍ତ୍ରୀଙ୍କ ପାଖରେ ପାଞ୍ଚଟି ଦାବି ରଖିଥିଲେ । ଦାବି ମଧ୍ୟରେ ଭାରତୀୟ କୁସ୍ତି ମହାସଂଘ ପାଇଁ ସ୍ୱତନ୍ତ୍ର ଏବଂ ନିରପେକ୍ଷ ଏବଂ ଜଣେ ମହିଳା ପ୍ରମୁଖଙ୍କ ନିଯୁକ୍ତି ସାମିଲ ରହିଛି । କୁସ୍ତିଯୋଦ୍ଧା ଏହା ମଧ୍ୟ ଦାବି ରଖିଥିଲେ ଯେ ବ୍ରିଜଭୂଷଣ ବା ତାଙ୍କ ପରିବାରର କୌଣସି ସଦସ୍ୟ ଡବ୍ଲୁଏଫଆଇର ଅଂଶ ନହୁଅନ୍ତୁ । ଏହା ବ୍ୟତୀତ ୨୮ ମଇରେ କୁସ୍ତିଯୋଦ୍ଧାଙ୍କ ବିରୋଧରେ ହୋଇଥିବା ଏଫଆଇଆର ରଦ୍ଦ କରିବା ଏବଂ ବ୍ରିଜଭୂଷଣ ଶରଣ ସିଂହଙ୍କ ଗିରଫଦାରୀ ଦାବି କରିଛନ୍ତି । ଆଜିର ଆଲୋଚନାରେ ବିନେଶ ଫୋଗାଟ ସାମିଲ ନଥିଲେ ।