ଆଜିଠୁ ଆରମ୍ଭ ମହିଳା ପ୍ରିମିୟର ଲିଗ୍, ପ୍ରଥମ ମ୍ୟାଚରେ ମୁହାଁମୁହିଁ ହେବେ ମୁମ୍ବାଇ-ଗୁଜୁରାଟ

1 min read

ମୁମ୍ବାଇ: ମହିଳା କ୍ରିକେଟ ପାଇଁ ଆଜି ଐତିହାସିକ ଦିନ । ଆଜିଠାରୁ ଆରମ୍ଭ ହେବାକୁ ଯାଉଛି ମହିଳା ପ୍ରିମିୟର ଲିଗ୍ । ୨୩ ଦିନ ଧରି ହେବାକୁ ଥିବା  ଏହି ପ୍ରତିଯୋଗିତାରେ ୫ଟି ଦଳ ଭାଗ ନେଉଛି । ଆଜି WPLର ଉଦଘାଟନୀ ମ୍ୟାଚରେ ମୁହାଁମୁହିଁ ହେବେ ଗୁଜୁରାଟ ଜାଏଣ୍ଟସ୍ ଓ ମୁମ୍ବାଇ ଇଣ୍ଡିଆନ୍ସ । ଗୁଜୁରାଟ ଜାଏଣ୍ଟସର ନେତୃତ୍ୱ ବେଥ ମୁନି ନେଉଥିବାବେଳେ ମୁମ୍ବାଇ ଇଣ୍ଡିଆନ୍ସର ନେତୃତ୍ୱ ନେଉଛନ୍ତି ଭାରତୀୟ ଦଳର ଅଧିନାୟକ ହରମନପ୍ରୀତ କୌର । ଏହି ମ୍ୟାଚ ଆଜି ସନ୍ଧ୍ୟା ୭.୩୦ରେ ମୁମ୍ବାଇର ଡି ଓ୍ୱାଇ ପାଟିଲ ଷ୍ଟାଡିୟମରେ ଖେଳାଯିବ । ଆଜି ମ୍ୟାଚ ପୂର୍ବରୁ ଏକ ରଙ୍ଗାରଙ୍ଗ କାର୍ଯ୍ୟକ୍ରମ କରାଯାଇ ଏହି ମେଗା ଟୁର୍ଣ୍ଣାମେଣ୍ଟର ଉଦଘାଟନ କରାଯିବ । ଏହି ରଙ୍ଗାରଙ୍ଗ କାର୍ଯ୍ୟକ୍ରମରେ ମୁଖ୍ୟ ଆକର୍ଷଣ ସାଜିବେ ଅଭିନେତ୍ରୀ କ୍ରିତି ସାନନ୍, କିଆରା ଆଡଭାନୀ ଓ ଏପି ଧିଲୋନ୍ ।

ଇଂଲଣ୍ଡର ଦି ହଣ୍ଡ୍ରେଡ୍ ମହିଳା ପ୍ରତିଯୋଗିତା ଓ ଅଷ୍ଟ୍ରେଲିଆର ମହିଳା ବିଗ୍ ବାସ୍ ଲିଗ୍ ପରେ ଭାରତରେ ଏହି WPL ଆୟୋଜନ କରାଯାଉଛି । ୫ଟି ଦଳକୁ ନେଇ ୨୩ ଦିନ ଧରି ଚାଲିବ ଏହି ମେଗା ଟୁର୍ଣ୍ଣାମେଣ୍ଟ । ଏହି ଟୁର୍ଣ୍ଣାମେଣ୍ଟରେ ପ୍ରତ୍ୟେକ ଦଳ ପରସ୍ପର ମଧ୍ୟରେ ୨ଟି ଲେଖାଏଁ ଲିଗ୍ ମ୍ୟାଚ୍ ଖେଳିବେ । ଲିଗ୍ ପର୍ଯ୍ୟାୟ ପରେ ପଏଣ୍ଟ ଟେବୁଲରେ ଶୀର୍ଷରେ ଥିବା ଦଳ ସିଧାସଳଖ ଫାଇନାଲରେ ନିଜ ସ୍ଥାନ ପକ୍କା କରିବ । ଦ୍ୱିତୀୟ ଓ ତୃତୀୟ ସ୍ଥାନରେ ଥିବା ଦଳ ମଧ୍ୟରେ ଏଲିମିନେଟର ଖେଳାଯିବ । ଏଲିମିନେଟର ଦଳର ବିଜେତା ଫାଇନାଲକୁ ପ୍ରବେଶ କରିବ ।