ପାକିସ୍ତାନ : ସଙ୍କଟରେ ଇମ୍ରାନ୍ ସରକାର, ଦାନା ବାନ୍ଧିଲାଣି ବିରୋଧୀ ମେଳି  

ଇସଲାମାବାଦ: ପାକିସ୍ତାନରେ ଇମ୍ରାନ୍‌ ସରକାରଙ୍କ ପାଇଁ ଏବେ ସବୁଠାରୁ ବଡ଼ ରାଜନୈତିକ ସଙ୍କଟ ଦେଖାଦେଇଛି । ପାକିସ୍ତାନ ସରକାର ଏବଂ ସେନା ବି‌ରୋଧରେ ଏବେ  ସାରା ଦେଶରେ ବିଦ୍ରୋହ ଆରମ୍ଭ ହୋଇଯାଇଛି । ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ୍‌ଙ୍କ ଇସ୍ତଫା ଦାବିରେ ଏବେ ସବୁ ବିରୋଧୀ ଦଳ ଏକଜୁଟ୍‌ ହୋଇଛନ୍ତି ।

ଇମ୍ରାନ୍‌ଙ୍କ ଇସ୍ତଫା ଦାବି କରି ପ୍ରାୟ ୧୧ ଟି ବିରୋଧୀ ଦଳ ମେଣ୍ଟ କରିଛନ୍ତି ଏବଂ ସେମାନେ ନିକଟରେ ୨ଟି ବିଶାଳ ରାଲି କରି ସରକାରରେ କମ୍ପନ ସୃଷ୍ଟି କରିଛନ୍ତି । ପାକିସ୍ତାନରେ ଏବେ ଏକ ହାଇ ପ୍ରୋଫାଇଲ୍‌ ଅପହରଣ ଘଟଣାକୁ ନେଇ ଉଭୟ ସରକାର ଏବଂ ସେନା ଅଡ଼ୁଆରେ ପଡ଼ି ଯାଇଛନ୍ତି । ପାକିସ୍ତାନରେ ସିନ୍ଧ୍‌ ପ୍ରଦେଶ ପୁଲିସ ମୁଖ୍ୟଙ୍କୁ ରେଂଜର୍‌ସଙ୍କ ଦ୍ୱାରା ଅପହରଣ କରିନିଆଯାଇଛି ବୋଲି ଅଭିଯୋଗ ହୋଇଛି ।

ପାକ୍‌ ଅର୍ଦ୍ଧସାମରିକ ବଳ ସିନ୍ଧ୍‌ ପ୍ରଦେଶ ଆଇଜିପି ମୁସ୍ତାକ୍‌ ଅହମଦ ମହରଙ୍କ ବାସଭବନରେ ଚଢ଼ଉ କରିଥିଲା । ସେମାନେ ଆଇଜିପିଙ୍କୁ ଅପହରଣ କରିନେଇଥିଲେ ଏବଂ ବିରୋଧୀ ନେତା ସଫଦାର ଆୱାନ୍‌ , ମୁସ୍ତାଫା ନୱାଜ୍‌ ଖୋକରଙ୍କୁ ଗିରଫ କରିବାପାଇଁ ଏକ ନିର୍ଦ୍ଦେଶରେ ସ୍ୱାକ୍ଷର କରିବାକୁ ବାଧ୍ୟ କରିଥିଲେ ବୋଲି ଅଭିଯୋଗ ‌ହୋଇଛି । ତେବେ ସିନ୍ଧ୍‌ ପ୍ରଦେଶ ପୋଲିସ ଏହି ଘଟଣାକୁ ଜୋର୍‌ଦାର ବିରୋଧ କରି ରାସ୍ତାକୁ ଓହ୍ଲାଇଛି । ସେମାନେ ଏହି ଘଟଣା ପାଇଁ ପାକ୍‌ ସେନା ବିରୋଧରେ ଖୋଲା ବିଦ୍ରୋହ କରିଛନ୍ତି । ସିନ୍ଧ୍‌ ପ୍ରଦେଶର ସମସ୍ତ ପୁଲିସ ଅଧିକାରୀ ସାମୂହିକ ଛୁଟି ଆବେଦନ କରିଛନ୍ତି ।

Leave a Reply