କରୋନା କାଳରେ ସଂଘର୍ଷ କରୁଥିଲେ ଏହି ୫ ବିଭାଗ, ତେଣୁ ବଦଳିଲେ ମୁହଁ

ନୂଆଦିଲ୍ଲୀ: କରୋନା ସଂକଟ କାଳରେ କେନ୍ଦ୍ର ସରକାରଙ୍କ ୫ ବିଭାଗ ଆଶା ମୁତାବକ କାମ କରିପାରୁନଥିଲେ କିମ୍ବା ସେମାନେ କାମ କରିବାକୁ ସଂଘର୍ଷରତ ଥିଲେ । ପ୍ରବାସୀ ଶ୍ରମିକ ଘରକୁ ପଳାୟନ କରୁଥିବା ବେଳେ ସେମାନଙ୍କୁ ଟ୍ରେନ୍ ଯୋଗାଇ ଦେବାରେ ରେଳବାଇ ବିଫଳ ହୋଇଥିଲା । କରୋନାର ଦ୍ୱିତୀୟ ପ୍ରବାହର ସଠିକ ଅନୁମାନ କରି ନପାରିବାରୁ ଦେଶ ବିରାଟ ବିପଦର ସମ୍ମୁଖୀନ ହୋଇଥିଲ । ସେହିଭଳି ଲକଡାଉନ୍ ଭିତରେ ନାଗରିକଙ୍କ ଆୟ ହ୍ରାସ ପାଇଥିବା ବେଳେ ଯେଉଁଭଳି ଭାବେ ପେଟ୍ରୋଲ ଦର ବଢୁଛି ତାକୁ ନେଇ ମଧ୍ୟ ସରକାରଙ୍କ ଭାବମୂର୍ତ୍ତି କ୍ଷୁର୍ଣ୍ଣ ହେଉଥିଲା । ଏମିତିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୫ ଟି ବିଭାଗର ମୁଖ୍ୟଙ୍କୁ ବଦଳାଇ ନୂଆ ଚେହେରା ଉପରେ ବିଶ୍ୱାସ ପ୍ରକଟ କରିଛନ୍ତି ।

Worst Affected Ministry Of India During Corona, Minister Changed

ସ୍ୱାସ୍ଥ୍ୟ
କରୋନା ସଂକଟର ପ୍ରଥମ ପ୍ରବାହ ବେଳେ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ମହାମାରୀକୁ ରୋକିବା ଓ ଲୋକଙ୍କ ସତର୍କ କରାଇବାରେ କିଛି ମାତ୍ରାରେ ସଫଳ ହୋଇଥିଲା । କିନ୍ତୁ ଦ୍ୱିତୀୟ ପ୍ରବାହର ଅନୁମାନ କରିବାରେ ମନ୍ତ୍ରଣାଳୟ ସମ୍ପୂର୍ଣ୍ଣ ରୂପେ ବିଫଳ ହୋଇଥିଲା । ଦ୍ୱିତୀୟ ପ୍ରବାହ କାଳରେ ଯେଉଁଭଳି ଭାବେ ଦେଶରେ ଅକ୍ସିଜେନ୍,ଶଯ୍ୟାର ସଂକଟ ସୃଷ୍ଟି ହୋଇଥିଲା ତାହା କେନ୍ଦ୍ର ସରକାରଙ୍କ ଛବିକୁ ଧୂମିଳ କରିଥିଲା । କେବଳ ଦେଶ ନୁହେଁ ବିଦେଶରେ ମଧ୍ୟ ମୋଦି ସରକାରଙ୍କ କରୋନା ମ୍ୟାନେଜମେଣ୍ଟକୁ ନେଇ ପ୍ରଶ୍ନ ଉଠିଥିଲା । ତେଣୁ ହର୍ସବର୍ଦ୍ଧନଙ୍କ ସ୍ଥାନରେ ମନସୁଖ ମାଣ୍ଡଭିଆଙ୍କୁ ନୂଆ ସ୍ୱାସ୍ଥ୍ୟମନ୍ତ୍ରୀ ଭାବେ ନିଯୁକ୍ତି ମିଳିଛି ।

Worst Affected Ministry Of India During Corona, Minister Changed

ରେଳ
କରୋନାର ପ୍ରଥମ ପ୍ରବାହରେ ଯେଉଁ ଲକଡାଉନ୍ ଲାଗୁ ହୋଇଥିଲା ସେହି ସମୟରେ ପ୍ରବାସୀ ଶ୍ରମିକ ନିଜ ଗୃହ ରାଜ୍ୟକୁ ଫେରିବାକୁ ଅନେକ ସମସ୍ୟାର ସମ୍ମୁଖୀନ ହୋଇଥିଲେ । ଏହି ସମୟରେ ରେଳ ମନ୍ତ୍ରଣାଳୟକୁ ଅନେକ ସମାଲୋଚନାର ଶିକାର ହେବାକୁ ପଡିଥିଲା । ପିୟୁଷ ଗୋଏଲଙ୍କଠାରୁ ଏହି ବିଭାଗ ଏବେ ପୂର୍ବତନ ଆଇଏଏସ ଅଧିକାରୀ ଅଶ୍ୱିନୀ ବୈଷ୍ଣବଙ୍କ ହାତକୁ ଯାଇଛି । ନୂଆ ରେଳମନ୍ତ୍ରୀଙ୍କ ପାଇଁ କରୋନା ସଂକଟକାଳରେ ମାଲ ପରିବହନ ସହିତ ମୋଦିଙ୍କ ବୁଲେଟ୍ ଟ୍ରେନ୍ ସ୍ୱପ୍ନକୁ ଟ୍ରାକକୁ ଆଣିବା ସବୁଠାରୁ ବଡ଼ ଚ୍ୟାଲେଂଜ୍ ହେବ ।

Worst Affected Ministry Of India During Corona, Minister Changed

ଶିକ୍ଷା
କରୋନା ମହାମାରୀ କାରଣରୁ ସ୍କୁଲ, କଲେଜ ପ୍ରାୟ ଦେଢ ବର୍ଷ ହେବ ଏକରକମ ବନ୍ଦ ଅଛି । ଅନଲାଇନ୍ କ୍ଲାସ ଜରିଆରେ ପଢା ଚାଲିଛି । ତେବେ ବଡ କଥା ହେଉଛି କରୋନା କାଳରେ ପରିକ୍ଷା ପରିଚାଳନାକୁ ନେଇ ଦେଶବ୍ୟାପି ଅସନ୍ତୋଷ ରହିଛି । ରମେଶ ପୋଖରିୟାଲଙ୍କଠାରୁ ଶିକ୍ଷା ମନ୍ତ୍ରଣାଳୟ ଛଡାଇ ନେଇ ମୋଦି ଏହାକୁ ପୂର୍ବତନ ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଦେଇଛନ୍ତି । ଧର୍ମେନ୍ଦ୍ରଙ୍କ ପାଖରେ ଏବେ ଶିକ୍ଷା ବ୍ୟବସ୍ଥାର ନୂଆ ଚ୍ୟାଲେଂଜକୁ ବାସ୍ତବତାର ଜାମା ପିନ୍ଧାଇବାକୁ ପଡିବ ।

Worst Affected Ministry Of India During Corona, Minister Changed

ପେଟ୍ରୋଲ
କରୋନା କାଳରେ ଦେଶର ଅର୍ଥନୀତି ଭୁସୁଡି ପଡିଛି କହିଲେ ଭୁଲ ହେବ ନାହିଁ । ସାଧାରଣ ଲୋକଙ୍କ ପାଖରେ ରୋଜଗାରର ଘୋର ଅଭାବ ଭିତରେ ବଢୁଥିବା ତୈଳ ଦର ସରକାରଙ୍କ ଛବିରେ ଦାଗ ଲଗାଇଛି । ପେଟ୍ରୋଲିୟମ ବିଭାଗକୁ ଧର୍ମେନ୍ଦ୍ରଙ୍କଠାରୁ ନେଇ ହରଦିପ ପୁରୀଙ୍କୁ ଦିଆଯାଇଛି । ଏବେ ପୁରୀଙ୍କ ପାଇଁ ଚ୍ୟାଲେଂଜ୍ ହେବ ବଢୁଥିବା ତୈଳଦର ଭିତରେ ତାଙ୍କୁ ସରକାରଙ୍କ ଇମେଜ ପାଇଁ ମଧ୍ୟ କସରତ କରିବାକୁ ପଡିବ ।

Worst Affected Ministry Of India During Corona, Minister Changed

ଶ୍ରମ
କରୋନା ମହାମାରୀ ଭିତରେ ଦେଶକୁ ଅନେକ ଥର ଲକଡାଉନ ଭିତରେ ରହିବାକୁ ପଡିଛି । ଏହି ଲକଡାଉନ ଦ୍ୱାରା ସର୍ବାଧିକ ଶ୍ରମିକ ପ୍ରଭାବିତ ହୋଇଛନ୍ତି । ପ୍ରବାସୀ ଶ୍ରମିକଙ୍କ ପଳାୟନ ସହିତ କାରଖାନରେ ଛଟେଇ ଦେଶରେ ଆର୍ଥିକ ସଂକଟ ସୃଷ୍ଟି କରିଛି । ମୋଦିଙ୍କ ନୂଆ ଟିମରେ କେନ୍ଦ୍ର ଶ୍ରମ ମନ୍ତ୍ରଣାଳୟ ମୁଖ୍ୟଙ୍କ ଚେହେରା ମଧ୍ୟ ବଦଳିଛି । ସନ୍ତୋଷ ଗଙ୍ଗୱାରଙ୍କ ସ୍ଥାନରେ ଭୁପେଶ ଯାଦବଙ୍କୁ ନିଯୁକ୍ତି ଦେଇଛନ୍ତି ପ୍ରଧାନମନ୍ତ୍ରୀ ମୋଦି । ଲକଡାଉନ୍ ଭିତରେ ଶ୍ରମିକଙ୍କ ସ୍ୱାର୍ଥରକ୍ଷା ଭୁପେଶଙ୍କ ପାଇଁ ବଡ ଚ୍ୟାଲେଂଜ୍ ହେବ ।

Leave a Reply