ବିଶ୍ବର ସବୁଠାରୁ ବଡ଼ ଟ୍ରାଫିକ୍ ଜାମ୍: ୧୨ ଦିନ ପର୍ଯ୍ୟନ୍ତ ଲାଗି ରହିଥିଲା ଭିଡ଼

1 min read
Beijing-Tibet Expressway

ନନ୍ଦିଘୋଷ ବ୍ୟୁରୋ: ଆଜିକାଲି ବିଭିନ୍ନ ସହରମାନଙ୍କରେ ଟ୍ରାଫିକ୍ ଜାମ୍ ଏକ ବଡ଼ ସମସ୍ୟା ଭାବେ ଉଭା ହୋଇଛି । ଭାରତରେ ଥିବା କିଛି ସହରର ଟ୍ରାଫିକ୍ ସମସ୍ୟା କଥା ନ କହିବା ଭଲ । ୨୦୨୩ର ଟମଟମ ଟ୍ରାଫିକ୍ ସୂଚକାଙ୍କ ଅନୁସାରେ, ଏସିଆର ସବୁଠାରୁ ଖରାପ ସ୍ଥାନର ଲିଷ୍ଟରେ ଭାରତର ଟେକ ହବ୍ ବେଙ୍ଗାଲୁରୁର ନାମ ସାମିଲ ରହିଛି । କେବଳ ୧୦ କିମି ଯାତ୍ରା କରିବାକୁ ଏହି ସହରର ଡ୍ରାଇଭରଙ୍କୁ ପାଖାପାଖି ୨୮ ମିନିଟ୍ ୧୦ ସେକେଣ୍ଡ ସମୟ ଲାଗି ଯାଇଥାଏ । ଅର୍ଥାତ ବେଙ୍ଗାଲୁରୁର ଲୋକମାନେ ପ୍ରତିବର୍ଷ ୧୩୨ ଘଣ୍ଟା ଟ୍ରାଫିକ ଜାମରେ ଫସିଥାନ୍ତି ।

ବେଙ୍ଗାଲୁରୁର ସଡ଼କ ଏସିଆର ସବୁଠାରୁ ଧିମା ସଡ଼କ ବୋଲି ରିପୋର୍ଟରେ କୁହାଯାଇଛି । ଏହି ସୂଚୀରେ ଭାରତର ଅନ୍ୟ ଏକ ସହର ପୁଣେ ମଧ୍ୟ ସାମିଲ ରହିଛି । ସେଠାରେ ୧୦ କିମି ଯାତ୍ରା କରିବାକୁ ପାଖାପାଖି ୨୭ ମିନିଟ ୫୦ ସେକେଣ୍ଡ ସମୟ ଲାଗିଯାଇଥାଏ । କିନ୍ତୁ ବର୍ତ୍ତମାନ ପର୍ଯ୍ୟନ୍ତ ବିଶ୍ବର ସବୁଠାରୁ ଲମ୍ବା ଟ୍ରାଫିକ୍ ଜାମ ୨୦୧୦ରେ ବେଜିଂ-ତିବ୍ବତ ଏକ୍ସପ୍ରେସଓ୍ବେରେ ଦେଖିବାକୁ ମିଳିଥିଲା । ସେହି ସମୟରେ ଲୋକମାନେ ୧୨ ଦିନ ପର୍ଯ୍ୟନ୍ତ ଟ୍ରାଫିକ ଜାମରେ ଫସି ରହିଥିଲେ । ଟ୍ରାଫିକ୍  ଜାମକୁ ନେଇ ଏକ ଭିଡିଓ ସୋସିଆଲ ମିଡ଼ିଆରେ ଭାଇରାଲ ହେଉଥିବା ଦେଖିବାକୁ ମିଳୁଛି ।

ସାଧାରଣ ଭାବେ ଟ୍ରାଫିକ ଜାମରେ ଫସି ରହିଥିବା ଲୋକଙ୍କୁ ୧୦ ମିନିଟ୍ ସେତେ ଯେମିତି ୧୦ ଘଣ୍ଟା ପରି ଅନୁଭବ ହୋଇଥାଏ । ଏପରି ସ୍ଥିତିରେ ବେଜିଂ-ତିବ୍ବତ ଏକ୍ସପ୍ରେସଓ୍ବେର ଟ୍ରାଫିକ୍ ଜାମ୍ ସ୍ଥିତି କେତେ ଦୁର୍ଦ୍ଦଶାଜନକ ତାହା ଆପଣମାନେ ସହଜରେ ଅନୁମାନ କରିପାରୁଥିବେ । ୧୦୦ କିମିରୁ ଅଧିକ ଲମ୍ବା ବିଶିଷ୍ଟ ଉକ୍ତ ଟ୍ରାଫିକ ଜାମରେ ହଜାର ହଜାର ଯାନ ଅଟକି ରହିଥିଲା । ଏଭଳି ଏକ ଦୁର୍ଭାଗ୍ୟଜନକ ସ୍ଥିତି ପାଇଁ ଏକ ସପ୍ତାହରୁ ଅଧିକ ସମୟ ଧରି ଜନଜୀବନ ପୂରା ଠପ୍ ହୋଇଯାଇଥିଲା ।