ବରଫ ପର୍ବତ ଉପରେ ଚା’ ପାର୍ଟି କରି ସୃଷ୍ଟି କଲେ ବିଶ୍ବ ରେକର୍ଡ

ନୂଆଦିଲ୍ଲୀ: ଚା’ ପ୍ରେମୀଙ୍କ ପାଇଁ ପ୍ରତିଟି ଚା‘ କପ୍ ଖାସ୍ ହୋଇଥାଏ । ଚା’ କପେ ହୋଇଗଲେ ମନ ଖୁସ୍ । କିନ୍ତୁ ସୁଉଚ୍ଚ ପାହାଡର ତୁଷାରପାତରେ ଚା‘ ପିଇବାର ସୁଯୋଗ ଯଦି ଆପଣଙ୍କୁ ମିଳେ ତାହାଲେ ଆପଣ କେତେ ଖୁସି ହେବେ?  ଆପଣ ଏମିତି ଯାଗାରେ ଚା’ ପିଇବାର ମଜା ଉଠାଇବାକୁ ଚାହିଁବେ ନିଶ୍ଚୟ ।

ନିକଟରେ ଏକ ପର୍ବତାରୋହୀ ଏହାକୁ ସମ୍ଭବ କରି ଦେଖାଇଛନ୍ତି । ଆଉ ଏହା ଗିନିଜ ଓ୍ବାଲ୍ଡ ରେକର୍ଡରେ ସ୍ଥାନପାଇଛି ।

ଗିନିଜ ଓ୍ବାଲ୍ଡ ରେକର୍ଡର ଅଫିସିଆଲ୍ ଇନଷ୍ଟାଗ୍ରାମ ପେଜ୍ ଅନୁଯାୟୀ, ଆଣ୍ଡ୍ରିୟୁ ହ୍ୟୁଜଙ୍କ ନେତୃତ୍ୱରେ ଏକ ପର୍ବତାରୋହୀ ଦଳ ମାଉଣ୍ଟ ଏଭରେଷ୍ଟ କ୍ୟାମ୍ପ ୨ ରେ ସର୍ବୋଚ୍ଚ ଚା’ ପାର୍ଟି ଆୟୋଜନ କରିବାରେ ବିଶ୍ୱ ରେକର୍ଡ ସୃଷ୍ଟି କରିଛନ୍ତି ।

ପୋଷ୍ଟ ହୋଇଥିବା ଭିଡିଓର କ୍ୟାପସନରେ ଲେଖାଅଛି ଯେ, ୬୪୯୬ ମିଟର / ୨୧୩୧୨ ଫୁଟ ଉପରେ ଚା’ ପାର୍ଟି । ନେପାଳର ମାଉଣ୍ଟ ଏଭରେଷ୍ଟ କ୍ୟାମ୍ପ ୨ ରେ ହ୍ୟୁଜଙ୍କ ସର୍ବୋଚ୍ଚ ଚା’ ପାର୍ଟି ।

ଭିଡିଓରେ ଦେଖାଯାଉଛି ଯେ, ଚାରିଆଡେ ବରଫ ପଡ଼ୁଛି । କେଉଁଠି ବି ଟିକେ ମାଟି ଦେଖାଯାଉନି । ଯେଉଁଠି କ୍ଷଣିକେ ଠିଆ ହେବା କଷ୍ଟ ସେଇଠି ତିଆରି ହେଉଛି ଚା’ । ଟେବୁଲ ପଡ଼ିଛି ଚେୟାର ବି ପଡ଼ିଛି । ଥୁଆ ହୋଇଛି କପ୍ । ଆଉ ଢଳା ହେଉଛି ଚା’ ।

ଆଣ୍ଡ୍ରିୟୁ କହିଛନ୍ତି ଯେ, ରେକର୍ଡ ପାଇଁ ସେ ଏପରି ସ୍ଥାନ ବାଝିଛନ୍ତି । କାରଣ ଏହା କରିବା ଦ୍ବାରା ସାଥି ପର୍ବତାରୋହୀଙ୍କ ଚାପ ହ୍ରାସ ହେବ ଏବଂ ପ୍ରତିରକ୍ଷା ପ୍ରଣାଳୀକୁ ବଢ଼ାଇବ ।