ବିଶ୍ବ ଦହିବରା ଦିବସ: ରାଜଧାନୀରେ ବିଶ୍ବର ସବୁଠାରୁ ବଡ଼ ଦହିବରା ପ୍ରସ୍ତୁତ, କଟକ ଦହିବରାକୁ GI ଟ୍ୟାଗ ଦାବି

ଭୁବନେଶ୍ବର: ଆଜି ହେଉଛି ଦହିବରା ଦିବସ । ଏଥିପାଇଁ ଓଡ଼ିଶାର ସବୁଠି ହୋଇଛି ଆୟୋଜନ । ବିଶେଷ କରି କଟକରେ ଏହାର ସ୍ବାଦ ନିଆରା । ଯାହା ଆଜି ବିଶ୍ବ ଦରବାରରେ ଓଡ଼ିଶାକୁ ଏକ ସ୍ବତନ୍ତ୍ର ପରିଚୟ ଦେଇଛି । ତେଣୁ କଟକର ବିଭିନ୍ନ ଦହିବରା ଷ୍ଟଲରେ ଆଜି ବିଶେଷ ଭିଡ଼ ଦେଖିବାକୁ ମିଳିଛି । ସେପଟେ ବିଶ୍ବ ଦହିବରା ଦିବସ ଅବସରରେ ରାଜଧାନୀ ଭୁବନେଶ୍ବରରେ ନିର୍ମାଣ ହୋଇଛି ବିଶ୍ବର ସବୁଠାରୁ ବଡ଼ ଦହିବରା । ଦହିବରା ଏକ୍ସପ୍ରେସ ପକ୍ଷରୁ ୫୦ କିଲୋଗ୍ରାମ ଓଜରର ଦହିବରା ତିଆରି କରାଯାଇଛି । ୧୦ ଜଣ କାରିଗର ମିଶି ୪୦ ଲିଟର ତେଲରେ ଏହାକୁ ଛାଣିଛନ୍ତି ।
ଚଟପଟି ଖାଦ୍ୟ ଭିତରେ ସମସ୍ତଙ୍କ ପସନ୍ଦ ଦହିବରା ଆଳୁଦମ । ଖରାଦିନେ ଦହିବରା ଆଳୁଦମ ସାଙ୍ଗକୁ ଦହିପାଣି ଟିକିଏ ପିଇ ଦେଲେ ମିଳେ ଆତ୍ମତୃପ୍ତି । ଏହାର ଲୋକପ୍ରିୟତାକୁ ଦେଖି ପ୍ରତିବର୍ଷ ମାର୍ଚ୍ଚ ପହିଲାରେ ପାଳନ ହେଉଛି ଦହିବରା ଦିବସ । ତେବେ ସାରା ଓଡ଼ିଶାରେ ଦହିବରା ମିଳୁଥିଲେ ବି କଟକ ଦହିବରାର ସ୍ବାଦ ନିଆରା । ଆଉ ଆଜିର ଦିନରେ କଟକର ବାଉନ ବଜାର ତେପନ ଗଳିରେ ମହକିଛି ଦହିବରା ଆଳୁଦମର ବାସ୍ନା । ବିଭିନ୍ନ ଷ୍ଟଲରେ ଲାଗିଛି ଖାଦ୍ୟ ପ୍ରେମୀଙ୍କ ଭିଡ଼ । ତେବେ କଟକର ଦହିବରା ରାଜ୍ୟ ବାହାରେ ପରିଚିୟ ହାସଲ କରିଥିବାରୁ ଏହାକୁ ଜିଆଇ ଟ୍ୟାଗ ମାନ୍ୟତା ଦେବାକୁ ଦାବି ଉଠିଛି । ତେବେ ବର୍ତ୍ତମାନ ସମୟରେ ଯେଉଁ ଭଳି ଦହିବରା ଲୋକମାନେ ପସନ୍ଦ କରୁଛନ୍ତି ସେହି ଅନୁସାରେ ଦହିବରା ତାଆରି କରାଯାଉଛି ବୋଲି କହିଛନ୍ତି ବ୍ୟବସାୟୀ । ସେପଟେ କଟକର ଦହିବରା ଏକ ଐତିହ୍ୟ ବହନ କରୁଥିବାରୁ ଏହାକୁ ଅଧିକ ପ୍ରୋତ୍ସାହନ ଦେବାକୁ ଯୋଜନା ହାତକୁ ନିଆଯିବ ବୋଲି କହିଛନ୍ତି ଜିଲ୍ଲାପାଳ ।
ସେପଟେ ଭୁବନେଶ୍ବରରେ ତିଆରି ହୋଇଛି ବିଶ୍ବର ସବୁଠାରୁ ବଡ଼ ଦହିବରା । ୫୦ କିଲୋ ଓଜନର ଏହି ଦହିବରାକୁ ତିଆରି କରିଛନ୍ତି ଦହିବରା ଏକ୍ସପ୍ରେସର ୧୦ ଜଣ କାରିଗର । ଯାହାର ମୂଲ୍ୟ ୨୦ ହଜାର ଟଙ୍କା ଥିବାବେଳେ ଏହା ଦୁଇ ଫୁଟ ୩ ଇଞ୍ଚ ଡାଇମିଟର, ଉଚ୍ଚତା ୮ ଇଞ୍ଚ ରହିଛି । ୨୦ କିଲୋଗ୍ରାମ ବିରିରେ ତିଆରି ହୋଇଥିବା ଏହି ବୃହତ୍ତ ବରାକୁ ୪୦ ଲିଟର ତେଲରେ ଛଣାଯାଇଛି । ବିଶ୍ବର ଏହି ବଡ଼ ବରା ଇଣ୍ଟର ନ୍ୟାସନାଲ ବୁକ ଅଫ ରେକର୍ଡରେ ସ୍ଥାନ ପାଇବ ବୋଲି ଆଶା ରଖିଛନ୍ତି ଆୟୋଜକ ।