ଭୁବନେଶ୍ୱର: ଜଳ ବିନା ଜୀବ ଜଗତ ଅସମ୍ଭବ ।  ବିନା ଜଳରେ ଦୂବ ବି କଇଁଳିବା ସମ୍ଭବପର ନୁହେଁ । ଜଳ ଅଛି ମାନେ, ଜୀବନ ରହିଛି  । କିନ୍ତୁ ଅନେକ ସମୟରେ ଜଳର ଅଯଥା ବ୍ୟବହାର, ଆଗାମୀ ପିଢୀ ପାଇଁ ସୃଷ୍ଟି କରିବାକୁ ଯାଉଛି ବିପଦ  ।  ପୃଥିବୀର ପ୍ରାୟ ୭୧.୪ ପ୍ରତିଶତ ଜଳପୂର୍ଣ୍ଣ ଅଟେ । ଆକାଶରେ ବାଦଲରୁ ବର୍ଷା ରୂପରେ ଜଳ ତଳକୁ ପଡେ । ଜୀବନ ପାଇଁ ଜଳର ମୂଲ୍ୟ ଅତି ଜରୁରୀ । କିନ୍ତୁ ଜଣାଯାଏ ଯେ ୨୦୨୫ ସୁଦ୍ଧା ବିଶ୍ବର ଅର୍ଦ୍ଧାଧିକ ଲୋକେ ଯଥେଷ୍ଟ ଜଳ ପାଇବେ ନାହିଁ ।

ଜାତି ସଂଘର ଅନୁମୋଦନ କ୍ରମେ ପ୍ରତିବର୍ଷ ମାର୍ଚ୍ଚ ୨୨ ତରିଖକୁ ବିଶ୍ବ ଜଳ ଦିବସ ଭାବେ ପାଳନ କରାଯାଇ ଆସୁଛି । ବିଶ୍ବର ସମସ୍ତ ବିକଶିତ ଦେଶରେ ସ୍ୱଚ୍ଛ ଏବଂ ସୁରକ୍ଷିତ ଜଳ ଉପଲବ୍ଧ କରାଇବା ସହ ଜଳ ସଂରକ୍ଷଣର ମହତ୍ତ୍ୱ ତଥା ଆବଶ୍ୟକତା ବିଷୟରେ ଜନ ସଚେତନତା ସୃଷ୍ଟି କରିବା ଏହାର ଉଦ୍ଦେଶ୍ୟ । ପ୍ରଥମ ଥର ପାଇଁ ୧୯୯୨ ମସିହାରେ ବ୍ରାଜିଲ ସ୍ଥିତ ରିଓ ଡି ଜେନିରୋଠାରେ ମିଳିତ ଜାତିସଂଘର ଆୟୋଜିତ “ପର୍ଯ୍ୟାବରଣ ଓ ବିକାଶ ସମ୍ମେଳନ”ରେ ବିଶ୍ୱ ଜଳ ଦିବସ ପାଳନ କରାଯିବାର ନିଷ୍ପତ୍ତି ନିଆଯାଇଥିଲା ।

ପରେ ପୁଣି ମିଳିତ ଜାତିସଂଘର ସାଧାରଣ ସଭାରେ ୧୯୯୩ ମସିହାରେ ଏହି ନିଷ୍ପତ୍ତି ଅନୁମୋଦନ ଲାଭ କଲା । ସ୍ୱଚ୍ଛ ତଥା ସୁରକ୍ଷିତ ଜଳର ଆବଶ୍ୟକତା ବିଷୟରେ ଜନ ସଚେତନତା ବୃଦ୍ଧି କରିବା ଲକ୍ଷ୍ୟରେ ଏହି ଦିନଟିକୁ ପ୍ରତିବର୍ଷ ଏକ ବାର୍ଷିକ କାର୍ଯ୍ୟକ୍ରମ ଭାବେ ପାଳିବାକୁ ସର୍ବ ସମ୍ମତି କ୍ରମେ ଗୃହିତ ହେଲା । ତେଣୁ ମାନବଜାତିର ଭବିଷ୍ୟତ ପାଇଁ ଜଳ ନଷ୍ଟ କରିବା ଅନୁଚିତ ।

ଯେକୌଣସି ରାଷ୍ଟ୍ରର ସମୃଦ୍ଧିପାଇଁ ତାହାର ଜଳ ସମ୍ପଦର ଅବଦାନ ଉଲେଖନୀୟ । କୃଷି, ଶିଳ୍ପ ଓ ଗମନାଗମନ ପାଇଁ ଭୂପୃଷ୍ଣ ଜଳ ସମ୍ପଦର ବହୁଳ ଆବଶ୍ୟକତା ରହିଛି । ସମୃଦ୍ଧିଶାଳୀ ରାଷ୍ଟ୍ର ସେମାନଙ୍କର ଜଳ ସମ୍ପଦର ସଂରକ୍ଷଣ ଓ ସୁପରିଚାଳନା କରି ଆସୁଛନ୍ତି । ପୃଥିବୀର ଅଧୁକାଂଶ ଗରିବ ରାଷ୍ଟ୍ରରେ ଉତ୍କଟ ଜଳାଭାବ ସେମାନଙ୍କର ଶିଳ୍ପ ସମୃଦ୍ଧିପାଇଁ ଏକ ପ୍ରତିବନ୍ଧକ ଭାବେ ଦେଖାଦେଇଛି । ଏଥିରୁ ଆମପାଇଁ ଜଳସମ୍ପଦର ଆବଶ୍ୟକତା ସହଜରେ ଅନୁମେୟ । ଗୋଟିଏ ସ୍ଥାନର ଜଳ ସମ୍ପଦର ପରିମାଣ ସେହି ସ୍ଥାନର ବୃଷ୍ଟିପାତ ଉପରେ ନିର୍ଭର କରୁଥିଲେ ମଧ୍ୟ ଏହା ଆହୁରି ଅନେକ କାରକ ଦ୍ଵାରା ନିୟନ୍ତ୍ରିତ ହୋଇଥାଏ ।

ଜଳ ପାଇଁ ଜୀବନ, ଜଳ ହିଁ ଜୀବଜଗତର ସତ୍ତା । ବଣ ଭୂମି, ପାହାଡ, ଓ ଜଙ୍ଗଲ ତିଷ୍ଠି ରହିଛି। ଜୀବନର ପ୍ରତିଟି ମୁହୂର୍ତ୍ତ ପାଇଁ ଜଳ ହିଁ ଲୋଡା। ଜନସଂଖ୍ୟା ବୃଦ୍ଧି ଯୋଗୁଁ ବିଶ୍ବ, ଦେଶ ଓ ରାଜ୍ୟରେ ଜଳ ସଙ୍କଟ ଦେଖାଦେଲାଣି। ପାନୀୟ ଜଳ ବ୍ୟବହାର ଉପଲବ୍ଧିକୁ ଦେଖିଲେ ୨୦୫୦ ବେଳକୁ ଦେଶ ତଥା ରାଜ୍ୟରେ ଜଳ ସଙ୍କଟ ଦେଖାଦେବ। ଆମ ରାଜ୍ୟର ଅନେକ ଅଞ୍ଚଳରେ ମଧ୍ୟ ପାନୀୟ ଜଳର ସଙ୍କଟ ଦେଖାଦେଲାଣି । ବିଶ୍ବ ଜଳ ଦିବସରେ ଏହି ଆହ୍ୱାନ ରହୁ, ଏଭଳି ଅମୂଲ୍ୟ ସମ୍ପଦକୁ ଅପଚୟ ନକରି ଭବିଷ୍ୟତ ପାଇଁ ବଞ୍ଚାଇ ରଖିବା ।

Leave a Reply