ଆସନ୍ତାକାଲି ବିଶ୍ୱ ଟେଷ୍ଟ ଚମ୍ପିଆନସିପ୍ ଫାଇନାଲ୍: ଅଷ୍ଟ୍ରେଲିଆ ଏବଂ ଭାରତ ମଧ୍ୟରେ ହେବ ହାଇଭୋଲ୍ଟେଜ ମ୍ୟାଚ୍

1 min read

ଆସନ୍ତାକାଲି ବିଶ୍ବ ଟେଷ୍ଟ ଚାମ୍ପିୟନସିପ୍ ଫାଇନାଲ୍ । ଇଂଲଣ୍ଡର ଓଭାଲରେ ଖେଳାଯିବ ବିଶ୍ବ ଟେଷ୍ଟ ଚାମ୍ପିୟନସିପ୍ ଫାଇନାଲ୍ । ଅଷ୍ଟ୍ରେଲିଆ ଏବଂ ଭାରତ ମଧ୍ୟରେ ହାଇଭୋଲଟେଜ ମ୍ୟାଚ ଦେଖିବାକୁ ଅପେକ୍ଷାରେ କ୍ରିକେଟପ୍ରେମୀ । ମ୍ୟାଚ ପାଇଁ ଉଭୟ ଟିମର ଜୋରଦାର ଅଭ୍ୟାସ । ଏଭଳି ଗୁରୁତ୍ବପୂର୍ଣ୍ଣ ମୁକାବିଲା ପୂର୍ବରୁ ଜୋଶ୍ ହେଜେଲଉଡ୍ ଦଳରୁ ବାଦ୍ ପଡିବା ଅଷ୍ଟ୍ରେଲିଆକୁ ବଡ ଝଟକା ଦେଇଛି । ତାଙ୍କ ସ୍ଥାନରେ ଦଳରେ ମାଇକେଲ୍ ନେସରଙ୍କୁ ସାମିଲ କରାଯାଇଛି । ରୋହିତ ଶର୍ମାଙ୍କ ନେତୃତ୍ୱରେ ଭାରତ ଦୃଢ଼ ମନୋବଳ ସହ ଆସନ୍ତାକାଲି ପଡିଆକୁ ଓହ୍ଲାଇବ ।

ବିଶ୍ୱ ଟେଷ୍ଟ ଚାମ୍ପିୟନସିପ୍ ଫାଇନାଲ ଜୁନ୍ ୧୧ ତାରିଖ ପର୍ଯ୍ୟନ୍ତ ଚାଲିବ । ୧୨ ତାରିଖକୁ ରିଜର୍ଭ ଡେ ରଖାଯାଇଛି । କିଏ ଜିତିବ ଡବ୍ଲୁଟିସି ଫାଇନାଲ । ଉଭୟ ଦଳର ରଣନୀତି ସମ୍ପୂର୍ଣ୍ଣ ଭିନ୍ନ । ରୋହିତ ଆଣ୍ଡ କୋ ଓଭାଲ ଗ୍ରାଉଣ୍ଡରେ ଅଭ୍ୟାସ କରୁଛନ୍ତି । ଅଷ୍ଟ୍ରେଲିଆ ସହ ମୁକାବିଲାରେ ଭାରତ କମ୍ବିନେସନ କଣ ହେବ ତା ଉପରେ ସମସ୍ତଙ୍କ ନଜର । ଦୁଇ ଜଣ ସ୍ପିନରଙ୍କୁ ନେଇ ଭାରତୀୟ ଟିମ୍‌ ଅଷ୍ଟ୍ରେଲିଆକୁ ସାମ୍ନା କରିବେ ବୋଲି ରୋହିତ ଶର୍ମା କହିଛନ୍ତି । ଅଭ୍ୟାସ ଶିବିର ଉପରେ ନଜର ପକାଇଲେ ଇଶାନ କିଷାନ ଏବଂ ଜୟଦେବ ଫାଇନାଲ ଏକାଦଶରେ ସ୍ଥାନ ପାଇବେ ବୋଲି ଆଶା କରାଯାଉଛି ।

ଭାରତୀୟ ଦଳରେ ଏକ ମାତ୍ର ବାମହାତୀ ବ୍ୟାଟ୍ସମ୍ୟାନ ଭାବେ ରବିନ୍ଦ୍ର ଜାଡେଜା ଅଛନ୍ତି । ତେବେ ମିଡିଲ ଅର୍ଡର ପାଇଁ ଆଉ ଜଣେ ବାମହାତୀ ବ୍ୟାଟ୍ସମାନ ଆବଶ୍ୟକ କରୁଛି । ଅଷ୍ଟ୍ରେଲିଆ ମଧ୍ୟ ପେସ ବ୍ୟାଟରଙ୍କ ଉପରେ ନିର୍ଭର କରିବ । ଭାରତୀୟ ବ୍ୟାଟରଙ୍କୁ ଅଟକାଇବା ପାଇଁ ଦଳ ଏକାଧିକ ରଣନୀତି ପ୍ରସ୍ତୁତ କରିଛି । ଦଳରେ ୪ ଜଣ ବାମହାତୀ ବ୍ୟାଟର ଡେଭିଡ ଓ୍ବାର୍ଣ୍ଣର, ଉସମାନା ଖ୍ବାଜା, ଟ୍ରେଭିଜ ହେଡ ଓ ଆଲେକ୍ସ କ୍ବାରୀ ଅଛନ୍ତି । ତେଣୁ ପେସରେ ଭିନ୍ନତା ଆଣିବା ପାଇଁ ଭାରତ ଜଣେ ବାମହାତୀ ପେସ ବୋଲର ଆବଶ୍ୟକ କରୁଛି ।

ତେଣୁ ଚୁଡାନ୍ତ ଏକାଦଶରେ ଜୟଦେବଙ୍କୁ ଉମେଶ ଯାଦବଙ୍କ ସହ ପ୍ରତିଦ୍ବନ୍ଦିତା କରିବାକୁ ପଡ଼ିବ । ଓଭାଲରେ ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ଅନେକ ରେକର୍ଡ ରହିଛି । ଭାରତ ୧୪ଟି ଟେଷ୍ଟ ଖେଳିଥିବା ବେଳେ ୨ଟିରେ ବିଜୟୀ ହୋଇଛି । ୫ଟିରେ ପରାସ୍ତ ଏବଂ ୭ଟି ଡ୍ର ରହିଛି । ଅଷ୍ଟ୍ରେଲିଆ ୩୮ଟି ମ୍ୟାଚ ଖେଳିଥିବା ବେଳେ ୭ଟି ଜିତିଛି, ୧୭ଟିରେ ପରାସ୍ତ ଏବଂ ୧୪ଟି ଡ୍ର ରହିଛି ।

ଫାଭିଓ- ବିଶ୍ବ ଟେଷ୍ଟ ଚାମ୍ପିୟନସିପ୍ ଫାଇନାଲ ମୁକାବିଲା ବେଳେ ଇଂଲଣ୍ଡରେ ବର୍ଷାର କୌଣସି ପୂର୍ବ ସୂଚନା ନାହିଁ । ଯାହାକି ଫ୍ୟାନ୍ସଙ୍କ ପାଇଁ ଖୁସି ଖବର । ଯଦି ବି ବର୍ଷା କାରଣରୁ ମ୍ୟାଚରେ ବିଳମ୍ବ ହେଲା, ଏଥିପାଇଁ ରିଜର୍ଭ ଡେ ମଧ୍ୟ ରହିଛି । ଏହାପରେ ବି ଯଦି ମ୍ୟାଚର ରେଜଲ୍ଟ ନଆସେ, ଦୁଇଟି ଯାକ ଦଳଙ୍କୁ ଯୁଗ୍ମ ବିଜେତା ଘୋଷଣା କରାଯିବାର ନିୟମ ରହିଛି । ଗତଥର ନ୍ୟୁଜିଲାଣ୍ଡ ଏବଂ ଭାରତ ଭିତରେ ମ୍ୟାଚ୍ ଖେଳାଯାଇ ଥିବାବେଳେ, ନ୍ୟୁଜିଲାଣ୍ଡ ପ୍ରଥମ ଥରର ବିଶ୍ୱ ଟେଷ୍ଟ ଚାମ୍ପିୟନସିପ୍ ଚାମ୍ପିୟନ୍ ହେଇଥିଲା ।