ସ୍ମୃତିରେ କଲାମ: ୯୦ ତମ ଜୟନ୍ତୀରେ ଝୁରୁଛି ଭାରତ, ମନେ ପକାଉଛି ମାଟି

1 min read

ନନ୍ଦିଘୋଷ ବ୍ୟୁରୋ: ସ୍ୱପ୍ନ ପରେ ଚେଉଁଥିବା ବଳିଷ୍ଠ ବ୍ୟକ୍ତିତ୍ୱ  । ପ୍ରତିଟି ମଣିଷର ଉଚ୍ଚ ଅଭିଳାଷର ଆଦର୍ଶ  । ମରୁଥିବା ମଣିଷଟିକୁ ବଞ୍ଚିବାର ରାହା ଶିଖାଉଥିବା, ଉଡିବାର ଆଶା ଦେଖାଉଥିବା ଅନନ୍ତ ବିଚାର  । ଚାଲିଯାଉଥିବା ବାଟରେ ପାଦର ଚିହ୍ନ କହିଯାଏ ଯୁବକର ଦିଗ  । ଛାଡ଼ି ଯାଉଥିବା ପ୍ରତିଟି ମୂହୂର୍ତ୍ତ ଏ ମାଟିର ସନ୍ତାନଙ୍କ ପାଇଁ ସୈଭାଗ୍ୟ ବାଣ୍ଟେ । ସାଧାରଣ ଗରିବୀ ମୁସଲିମ ପରିବାରେ ଜନ୍ମ  ।  ୧୯୩୧ ମସିହା ଅକ୍ଟୋବର ୧୫ ତାରିଖରେ ତାମିଲନାଡୁ ରାମେଶ୍ୱରମରେ ଜନ୍ମ ନିଅନ୍ତି ଏ ମାଟିର ମହାନ ବିଦ୍ୱାନ  । ଘରେ ବାପା – ମା ନାଁ ଦିଅନ୍ତି ଅବୁଲ ପାକିର ଜୈନୁଲାବୁଦ୍ଦୀନ ଅବଦୁଲ କଲାମ  ।

ଶୈଶବ୍ୟରୁ କିଛି ଭିନ୍ନ କରିବାର ଉଦବେଗ ତାଙ୍କ ଭିତରେ ବାରମ୍ବାର ଉଙ୍କି ମାରୁଥିଲା  । ପିଲାଦିନ ହିଁ ବାରି ହୋଇଯାଉଥିଲେ କଲାମ  । ଅବଦୁଲ କଲାମ ପରିବାରକୁ ସାହାଯ୍ୟ କରିବା ପାଇଁ ସ୍କୁଲ୍ ଯିବା ବୟସରେ ବି କାମ କରୁଥିଲେ । ସେ ଘର ଘର ଯାଇ ଖବରକାଗଜ ଦେଉଥିଲେ । ରାମନାଥପୁରରେ ମାଟ୍ରିକ ଶିକ୍ଷା ଶେଷ କରିବା ପରେ ସେ ତିରୁଚିରାପଲ୍ଲୀ ସ୍ଥିତ ସେଣ୍ଟ ଯୋଶେଫ କଲେଜରେ ନାମ ଲେଖାଇଥିଲେ।  ଏଠାର ପଦାର୍ଥ ବିଜ୍ଞାନରେ ସ୍ନାତକ ଡିଗ୍ରୀ ହାସଲ କରିଥିଲେ । ଏହାପରେ ସେ ୧୯୫୫ରେ ମାଡ୍ରାସ ଚାଲିଗଲେ ଏରୋସ୍ପେସ୍ ଇଂଜିନିୟରିଂ ପଢ଼ିବା ପାଇଁ । ମାଡ୍ରାସ ଇନଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନୋଲୋଜିରୁ ୧୯୬୦ରେ ସ୍ନାତକ ଡିଗ୍ରୀ ହାସଲ କରିବା ପରେ ସେ ଡିଆରଡିଓରେ ଜଣେ ବୈଜ୍ଞାନିକ ଭାବେ ଯୋଗ ଦେଇଥିଲେ ।

ଏହି ସଫଳ ଯାତ୍ରା ପଛରେ ଲେଖା ହୋଇସାରିଥିଲା ଅନେକ ସଂଘର୍ଷପୂର୍ଣ୍ଣ କାହାଣୀ  । ଲେଖା ହୋଇ ସାରିଥିଲା  ଆଶା ନିରାଶାର ନିଷ୍ପତ୍ତି  । ଖବର କାଗଜ ବିକୁଥିବା ବାଳକ ବୈଜ୍ଞାନିକ ହେବା ପଛରେ ଲିପିବଦ୍ଧ ଥିବା ସ୍ମୃତି ସେବେ ରେଖାଙ୍କିତ କରେ  । ଯେହବେ ସେ ଆରମ୍ଭ କରନ୍ତି ବୃତ୍ତିଗତ କାର୍ଯ୍ୟ  । ପ୍ରଥମେ ଭାରତୀୟ ସେନା ପାଇଁ ଏକ କ୍ଷୁଦ୍ର ହେଲିକପ୍ଟରର ଡିଜାଇନରୁ। ତେବେ ପ୍ରାରମ୍ଭରେ ତାଙ୍କୁ ଦିଆଯାଉଥିବା କାର୍ଯ୍ୟ ନେଇ ସେ ସନ୍ତୁଷ୍ଟ ନଥିଲେ। ପରେ ସେ ବିଖ୍ୟାତ ବୈଜ୍ଞାନିକ ବିକ୍ରମ ସରାଭାଇଙ୍କ ଅଧୀନରେ କାର୍ଯ୍ୟ କରିବାର ସୁଯୋଗ ପାଇଥିଲେ। ବିକ୍ରମ ସରାଭାଇଙ୍କ ଅଧୀନରେ ଗଠିତ ଆଇଏନସିଓଏସପିଏଆର୍ କମିଟିରେ ସେ ସାମିଲ ହୋଇଥିଲେ। ବିକ୍ରମ ସରାଭାଇ ତାଙ୍କର ପ୍ରେରଣା ଥିଲେ ବୋଲି ଅବଦୁଲ କଲାମ ଅନେକ ଥର କହିଛନ୍ତି।

୧୯୬୯ରେ ସେ ଇଣ୍ଡିଆନ୍ ସ୍ପେସ୍ ରିସର୍ଚ୍ଚ ଅର୍ଗାନାଇଜେସନ୍ ବା ଇସ୍ରୋକୁ ବଦଳି ହୋଇ ଯାଇଥିଲେ। ସେ ଥିଲେ ଭାରତର ପ୍ରଥମ ସାଟେଲାଇଟ୍ ଲଞ୍ଚ୍ ଭେହିକିଲ୍ (ଏସଏଲଭି-୩)ର ପ୍ରୋଜେକ୍ଟ ଡାଇରେକ୍ଟର। ୧୯୮୦ ଜୁଲାଇ ମାସରେ ଏହି ଭେହିକିଲ୍ ‘ରୋହିଣୀ’ ସାଟେଲାଇଟ୍କୁ ପୃଥିବୀର କକ୍ଷ ପଥରେ ସଫଳତାର ସହିତ ସ୍ଥାପିତ କରିଥିଲା। ୧୯୬୫ରେ ସେ ଡିଆରଡିଓରେ ସଂପ୍ରସାରିତ ରକେଟ୍ ପ୍ରୋଜେକ୍ଟରେ ଏକକ ଭାବେ କାର୍ଯ୍ୟ କରିଥିଲେ। ପରେ ୧୯୬୯ରେ ଏହାକୁ ଆହୁରି ସଂପ୍ରସାରିତ କରାଯାଇଥିଲା ଓ ତାଙ୍କ ଅଧୀନରେ ଅନେକ ଇଂଜିନିୟର ସାମିଲ ହୋଇଥିଲେ ।

କେବଳ ଏତିକି ନୁହେଁ ନିଜ ଉଦମ୍ୟରେ ଭେଟିଦେଲେ ଅଗ୍ନି, ତ୍ରିଶୂଳ, ପୃଥ୍ୱୀ, ବ୍ରହ୍ମୋସ୍ ପରି କ୍ଷେପଣାସ୍ତ୍ର । ସେ ହୋଇଗଲେ ଭାରତର ମିସାଇଲ ମ୍ୟାନ୍ ।  ୧୯୯୭ରେ ଭାରତ ରତ୍ୱ ସମ୍ମାନରେ ସମ୍ମାନିତ କରାଗଲା । ଏହାପରେ ୧୯୮୧ ତାଙ୍କୁ ପଦ୍ମଭୂଷଣ ଓ ୧୯୯୦ରେ ପଦ୍ମବିଭୂଷଣ ସମ୍ମାନ ଓ ଅହୁରି ଅନେକ । ୨୦୦୨ରୁ ୨୦୦୭ରୁ ସେ ହେଲେ ଭାରତର ୧୧ତମ ରାଷ୍ଟ୍ରପତି । ସାଧାରଣ ଜୀବନ ଯାପନ କରୁଥିବା ଏହି ବ୍ୟକ୍ତି, ରାଷ୍ଟ୍ରପତି ହେବା ପରେ ମଧ୍ୟ ନିଜର ବ୍ୟବହାର ଏବଂ ଚଳଣୀରେ କୈଣସି ପରିବର୍ତ୍ତନ ଘଟିନଥିଲା  । ବଂର ଲୋକଙ୍କ ନିକଟତର ହୋଇଥିଲେ କଲାମ  । ସାଧାରଣ ଲୋକଙ୍କ ସହ ମିଶିବାକୁ , ଅସହାୟ କୁନି କୁନି ଶିଶୁଙ୍କୁ ନିଜର କରିବାର କଳାର କାରିଗରୀ ଥିଲେ  ସେ  ।

୨୦୧୫ ଜୁଲାଇ ୨୭ ତରିଖରେ ସିଲଂର ଆଇଆଇଏମରେ ଭାଷଣ ଦେଉଥିବାବେଳେ ହୋଇଥିଲା ହୃଦଘାତ  । ଆଖି ବୁଜିଥିଲେ ଜନତାର ଜନନାୟକ  । ଆଉ ସଭିଙ୍କ ଆଖିରେ ଅଶ୍ରୁ ଓ ହୃଦୟରେ ଅକୁଣ୍ଠ ବେଦନା ଭର୍ତ୍ତି କରିଦେଇଗଲେ  । ଶିକ୍ଷାକୁ ଜୀବନର ପୁଞ୍ଚି ଏବଂ ଉଚ୍ଚ ଅଭିଳାଷର  ଆହ୍ୱାନ ନେଇଥିବା କଲାମଙ୍କ ଜନ୍ମ ଦିନକୁ ବିଶ୍ୱ ଛାତ୍ର ଦିବସ ଭାବେ ପାଳିତ ହୋଇ ଆସୁଛି  । ଭାରତର ଏହି ସ୍ୱର୍ଗୀୟ ସନ୍ତାନ, ପୂର୍ବତନ ରାଷ୍ଟ୍ରପତି ଭାରତ ରତ୍ନ ସ୍ୱର୍ଗତ ଅବଦୁଲ କଲାମଙ୍କ ୯୦ ତମ ଜୟନ୍ତୀରେ ଭକ୍ତି ଶ୍ରଦ୍ଧାଞ୍ଜଳି  ।

 

Leave a Reply