ଆଜି ବିଶ୍ୱ ଘରଚଟିଆ ଦିବସ, ସହରୀ ଜୀବନ ଭିତରେ ହଜିଗଲେଣି ପ୍ରକୃତିର ଏହି ନିରୀହ ପ୍ରାଣୀ

ନୂଆଦିଲ୍ଲୀ: ଘର ଖୋଜୁଛି ଘରଚଟିଆ । ଗାଁର ପରିବର୍ତ୍ତିତ କଂକ୍ରିଟ ରୂପରେ ଲୋପ ପାଇଗଲେଣି ବିଶ୍ୱର ନିଆରା ଚଢେଇ ଘରଚଟିଆ । ଏମାନଙ୍କର ସୁରକ୍ଷା ପାଇଁ ୨୦୧୦ ମସିହାରୁ ପ୍ରତିବର୍ଷ ମାର୍ଚ୍ଚ ୨୦ରେ ବିଶ୍ୱ ଘର ଚଟିଆ ଦିବସ ପାଳନ କରାଯାଉଛି  । ଗାଁ ଚାଳ ଘରର ନଡ଼ା ସନ୍ଦି ହେଉ କି କାନ୍ଥ । ଅବା କୋଠାଘରର ସ୍କାଇ ଲାଇଟ୍ । ଇଲେକ୍ଟ୍ରୀ ପୋଲରେ କେବୁଲ୍ ବକ୍ସରେ ବି ଘର ତୋଳି ଜମେଇକି ରହିଥାଏ ଘର ଚଟିଆ । ଗାଁ ସୁନ୍ଦରତାର ଏକ ସ୍ୱତନ୍ତ୍ର ପରିଚୟ ହେଉଛି ଏହି କ୍ଷୁଦ୍ର ଚଢେଇ । ସକାଳ ହେଲେ ଘରଚଟିଆର କିଚିରିମିଚିରି ଶବ୍ଦ ନଥିଲେ ଗାଁ  ଗାଁ ପରି ଲାଗେନା । ପୋକଜୋକ ଖାଇ ପ୍ରକୃତିର ସୌନ୍ଦର୍ଯ୍ୟତାକୁ ଦୁଇଗୁଣ କରୁଥିବା ଘରଚଟିଆ ଏବେ ନିଜେ ଘର ଖୋଜୁଛି ।

 

ପରିବେଶ ସୁନ୍ଦରତାର ସାରଥୀ ସାଜିଥିବା ଏହି ପକ୍ଷୀ ଏବେ ବିଲୁପ୍ତ ପ୍ରାୟ । ସମାଜର ପରିବର୍ତ୍ତିତ ରୂପରେ ମିନି ସିଟିରେ ପରିବର୍ତ୍ତନ ହୋଇଗଲାଣି ପ୍ରାୟ ପ୍ରତ୍ୟେକଟି ଗାଁ । ନାହିଁ ଚାଳ କି ଟାଇଲି ଛପର ଘର । ଫଳରେ ନିଜକୁ ଖାପଖୁଆଇ ନପାରି ଦିନକୁ ଦିନ ଘର ଚଟିଆଙ୍କ ସଂଖ୍ୟା କମିବାରେ ଲାଗିଛି । ଚାଷରେ ମଧ୍ୟ ରସାୟନିକ ସାରର ପ୍ରୟୋଗ ଫଳରେ ଜମିରୁ ପୋକ ଜୋକ ମରିଗଲେଣି । ଫଳରେ ଘରଚଟିଆଙ୍କୁ ଉପଯୁକ୍ତ ଖାଦ୍ୟ ମିଳୁନାହିଁ ।

କିନ୍ତୁ ଏବେ ସହରୀ ରାଇଜରେ ଅନେକ ପ୍ରକୃତୀ ଓ ପକ୍ଷୀ ପ୍ରେମୀ ନିଜ ଘରେ ଘର ଚଟିଆଙ୍କ ପାଇଁ ବାସୋପଯୋଗୀ ବ୍ୟବସ୍ଥା କରି ସେମାନଙ୍କୁ ରଖୁଥିବା ଦେଖିବାକୁ ମିଳିଛି । ଉତ୍ତରପ୍ରଦେଶର କାନପୁରରେ କିଛି ପକ୍ଷୀ ପ୍ରେମୀ ଘର ଚଟିଆଙ୍କ ପାଇଁ ଘର କରି ରଖିଥିବା ଦେଖିବାକୁ ମିଳିଛି । ଘର ଚଟିଆଙ୍କ ସୁରକ୍ଷା ପାଇଁ ୨୦୧୦ ମସିହାରୁ ମାର୍ଚ୍ଚ ୨୦ ତାରିଖକୁ ବିଶ୍ବ ଘର ଚଟିଆ ଦିବସ ରୂପେ ପାଳନ କରାଯାଉଛି । ଦିଲ୍ଲୀ ସରକାର ୨୦୧୨ରେ ଏହାକୁ ରାଜ୍ୟ ପକ୍ଷୀର ମାନ୍ୟତା ଦେଇଛନ୍ତି । ତେବେ ସମସ୍ତେ ସଚେତନ ରହିଲେ ଘର ଚଟିଆ ବିଲୁପ୍ତପ୍ରାୟରୁ ପୁଣି ପୂର୍ବ ସ୍ଥିତିକୁ ଫେରିଆସିବ ।