ମାଇଲଖୁଣ୍ଟ ଅତିକ୍ରମ କଲା ମାନବଜାତି ; ବିଶ୍ବ ଜନସଂଖ୍ୟା ଆନୁଷ୍ଠାନିକ ଭାବେ ୮୦୦ କୋଟି ଅତିକ୍ରମ

ନନ୍ଦିଘୋଷ ବ୍ୟୁରୋ : ଏକ ମାଇଲଖୁଣ୍ଟ ଅତିକ୍ରମ କରିଛି ମାନବଜାତି । ଆଜି ବିଶ୍ବର ଜନସଂଖ୍ୟା ଆନୁଷ୍ଠାନିକ ଭାବେ ୮ ବିଲିୟନ ବା ୮୦୦ କୋଟି ଅତିକ୍ରମ କରିଛି । ଏନେଇ ଆମେରିକୀୟ ଜନଗଣନା ବ୍ୟୁରୋ ପକ୍ଷରୁ ପ୍ରକାଶିତ ତଥ୍ୟରୁ ଜଣାପଡ଼ିଛି । ଏହି ସଂଖ୍ୟା ମାତ୍ର ଗୋଟିଏ ବର୍ଷରେ ୭୫ ନିୟୁତରୁ ଅଧିକ ଲୋକଙ୍କ ବୃଦ୍ଧିକୁ ଦର୍ଶାଉଛି । ବିଶ୍ବରେ ପ୍ରତି ସେକେଣ୍ଡରେ ପ୍ରାୟ ୪ ଦଶମିକ ୩ଟି ଜନ୍ମ ଏବଂ ୨ ଜଣଙ୍କ ମୃତ୍ୟୁ ହେଉଛି। ବିଗତ ବର୍ଷ ତୁଳନାରେ ବୃଦ୍ଧି ହାର ସାମାନ୍ୟ ହ୍ରାସ ପାଇ ମାତ୍ର ୧ ପ୍ରତିଶତରୁ କମ୍ ରହିଛି ।

ଆଜି ପହିଲାରେ ବିଶ୍ୱର ଆନୁମାନିକ ଜନସଂଖ୍ୟା ୮୦୦ କୋଟି ରହିଛି । ଯାହା କି ୨୦୨୩ ନବବର୍ଷ ତୁଳନାରେ ଢେର ଅଧିକ। ଫୋର୍ବସ୍ର ଏକ ରିପୋର୍ଟ ଅନୁଯାୟୀ, ନଭେମ୍ବର ୨୦୨୨ରେ ଜାତିସଂଘ ଆକଳନ କରିଥିଲା ଯେ ୭ ବିଲିୟନରେ ପହଞ୍ଚିବାର ୧୧ ବର୍ଷ ପରେ ବିଶ୍ୱ ଜନସଂଖ୍ୟା ୮ ବିଲିୟନରେ ପହଞ୍ଚିବ । ପ୍ରଜନନ ହାର ହ୍ରାସ ଏବଂ ଯୁବକଙ୍କ ସଂଖ୍ୟା କମ୍ ହେବା ଭଳି କାରଣରୁ ଜନଗଣନା ବ୍ୟୁରୋ ଆକଳନ କରିଛି ଯେ ୯ ବିଲିୟନ ଜନସଂଖ୍ୟା ହାସଲ କରିବା ପାଇଁ ୧୪ ବର୍ଷରୁ ଅଧିକ ସମୟ ଲାଗିବ । ଏହାବ୍ୟତୀତ ୧୦ ବିଲିୟନ ଛୁଇଁବା ପାଇଁ ଅତିରିକ୍ତ ୧୬ ଦଶମିକ ୪ ବର୍ଷ ସମୟ ଲାଗିବ ବୋଲି ଆକଳନ କରାଯାଇଛି।