ଆଜି ବିଶ୍ୱ ପଖାଳ ଦିବସ, ପ୍ରସାର ପ୍ରଚାର ପାଇଁ ମାର୍ଚ୍ଚ ୨୦ରେ ପାଳନ ହୁଏ ପଖାଳ ଦିବସ

ଭୁବନେଶ୍ୱର: ପ୍ରତି ଓଡ଼ିଆଙ୍କର ପସନ୍ଦର ଖାଦ୍ୟ ହେଉଛି ପଖାଳ । ଖରାଦିନ ଆସିଲେ ଓଡ଼ିଆଙ୍କ ଖୋଜା ପଡ଼େ ପଖାଳ କଂସା । ପଖାଳ ହେଉଛି ସଭିଙ୍କର ପ୍ରିୟ ଖାଦ୍ୟ । ଅତ୍ୟାଧୁନିକ ଜୀବନଶୈଳୀରେ ଅନେକ ପରମ୍ପରା ବଳି ପଡ଼ିଥିଲେ ବି ପଖାଳ ତା’ର ସତ୍ତା କିମ୍ବା ମହକ ହରାଇ ନାହିଁ । ଆମ ଆରାଧ୍ୟ ଦେବତା ପ୍ରଭୁ ଶ୍ରୀଜଗନ୍ନାଥ ବି ପଖାଳ ପ୍ରେମରେ । ଶ୍ରୀମନ୍ଦିରର ଟଙ୍କ ତୋରାଣି ଏହାର ପ୍ରମାଣ ରହିଛି । ଖରା ଦିନେ ପଖାଳ କଂସାରେ ହିଁ ଓଡ଼ିଆଙ୍କୁ ଶାନ୍ତି ମିଳିଥାଏ । ଓଡ଼ିଆଙ୍କ ଏହି ପାରମ୍ପରିକ ଖାଦ୍ୟକୁ ଲୋକପ୍ରିୟ କରିବା ତଥା ଗ୍ରୀଷ୍ମକୁ ସ୍ୱାଗତ କରିବା ଉଦ୍ଦେଶ୍ୟରେ ମାର୍ଚ୍ଚ ୨୦ ତାରିଖକୁ ‘ବିଶ୍ୱବ୍ୟାପୀ ପଖାଳ ଦିବସ’ ଭାବେ ଘୋଷଣା କରାଯାଇଛି। ୨୦୧୨ ମସିହାରୁ ଏହା ପାଳନ ହୋଇଆସୁଛି । ପାଖରେ କିଛି ଥାଉ କି ନଥାଉ  କଂସେ ପଖାଳ ଓ ପାଖରେ ଲଙ୍କା ଓ ବଡ଼ିଚୁରା ଥିଲେ ଜମିଲା ପଖାଳ ଖାଇବା । ବିଶ୍ବର କୋଣ ଅନୁକୋଣରେ ବାସ କରୁଥିବା ପ୍ରତ୍ୟେକ ଓଡିଆ ଏହି ଦିନଟିକୁ ଚାହିଁ ବସିଥାନ୍ତି । ହେଲେ ଗାଁଠୁ ସହର ସବୁଠି ସବୁଦିନ ଲୋକେ ଖାଇଥାନ୍ତି ପଖାଳ । ପଖାଳର ମହତ୍ୱକୁ ପରପୀଢ଼ି ପାଖରେ ପହଞ୍ଚାଇବା ପାଇଁ ପଖାଳ ଦିବସ ପାଳିତ ହେଉଛି ।

ପଖାଳ ଦିବସ ଉପଲଖେ ଗ୍ରାହକଙ୍କ ପଖାଳ ଚାହିଦାକୁ ପୂରଣ କରିବାକୁ ଛୋଟ ବଡ଼ ହୋଟେଲଠାରୁ ଆରମ୍ଭ କରି ତାରକା ହୋଟେଲ ଗୁଡିକ ମଧ୍ୟ ସ୍ବତନ୍ତ୍ର ପ୍ରସ୍ତୁତି କରାଯାଇଥାଏ । ଦହି ମିଶା ପଖାଳ ସାଙ୍ଗକୁ ଶାକାହାରୀଙ୍କ ପାଇଁ ଶାଗ ଭଜା, ଆଳୁ ଚକଟା, ଚିପ୍‌ସ, କଖାରୁ ଫୁଲ ପିଠୋଉ, ବଡ଼ି ଚୂରା ଓ ଆମ୍ବୁଲ ରାଇ ଭଳି ଖାଣ୍ଟି ଓଡ଼ିଆ ଖାଦ୍ୟ ଏବଂ ଆମିଷରେ ପଖାଳ ସହ ଚୁନାମାଛ, ଚିଙ୍ଗୁଡ଼ି ଛେଚା, ଆଦି ଗ୍ରାହକଙ୍କୁ ପରସି ଦିଆଯାଏ ।