କାଲିଠୁ ଓଡ଼ିଆ ବିଶ୍ଵ ଭାଷା ସମ୍ମିଳନୀ, ଆଜି ଅକ୍ଷର ଭୂମି ଉଦଘାଟନ କରିବେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର: ଆସନ୍ତାକାଲିଠୁ ଆରମ୍ଭ ହେଉଛି ଓଡ଼ିଆ ବିଶ୍ଵ ଭାଷା ସମ୍ମିଳନୀ । ଆଜି ସନ୍ଧ୍ୟାରେ ଅକ୍ଷର ଭୂମି ଉଦଘାଟନ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।  ତିନି ଦିନ ଧରି ଚାଲିବାକୁ ଥିବା ଏହି ସମ୍ମିଳନୀରେ ମୋଟ ୧୭ଟି ଅଧିବେଶନ ରହିଛି । ଉଦଘାଟନୀ ଦିବସରେ ଜଗନ୍ନାଥ ସଂସ୍କୃତି ଉପରେ ସ୍ବତନ୍ତ୍ର ଅଧିବେଶନ କରାଯାଉଛି । ଦେଶ ବିଦେଶରୁ ୧୦୦ରୁ ଅଧିକ ଭାଷାବିତ ଯୋଗଦେଇ ରଖିବେ ସେମାନଙ୍କର ମତ । ସମସ୍ତଙ୍କ ମତକୁ ଆଧାର କରି ଆଗାମୀ ଦିନ ପାଇଁ ଓଡ଼ିଆ ଭାଷାକୁ ନେଇ ରାଜ୍ୟ ସରକାର ପ୍ରସ୍ତୁତ କରିବେ ରୋଡ ମ୍ୟାପ ।

ସେପଟେ ଲୋକାର୍ପଣ ପୂର୍ବରୁ କାର୍ଯ୍ୟର ସମୀକ୍ଷା କରିଛନ୍ତ ବିଭାଗୀୟ ଶାସନ ସଚିବ ସୁଜାତା ରାଉତ କାର୍ତ୍ତିକେୟନ୍ । ଅକ୍ଷର ଭୂମି ତଦାରଖ କରିବା ସହ ଓଡ଼ିଆ ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗ ନିର୍ଦ୍ଦେଶକଙ୍କ ସହ ଆଲୋଚନା କରିଛନ୍ତି । ଭୁବନେଶ୍ୱର ଗଜପତି ନଗରରେ ନିର୍ମାଣ ହୋଇଛି ଅକ୍ଷର ଭୂମି । ଅକ୍ଷର ଭୂମିରେ ଶୋଭା ପାଉଛି ଓଡ଼ିଆ ଅକ୍ଷର । ଆକର୍ଷଣ ସାଜିଛି ବୃହତ ଓଡ଼ିଆ ଲିପି ‘ଅ’।

ଓଡ଼ିଆ ଭାଷା ଉପରେ ଏକ ମ୍ୟୁଜିୟମ ପ୍ରସ୍ତୁତ କରାଯାଇଛି । ସାରା ରାଜ୍ୟରେ ଲୋକ ଏହାର ସିଧା ପ୍ରସାରଣ ଦେଖିପାରିବେ । ପଞ୍ଚାୟତ ଓ ପୌରାଞ୍ଚଳରେ ଏନେଇ ବ୍ୟବସ୍ଥା ହୋଇଛି । ସ୍ଵଂୟ ସହାୟକ ମହିଳା ଏଥିରେ ସାମିଲ ହେବେ । ଆସନ୍ତାକାଲି ୧୧ ଟା ସମୟରେ ସମସ୍ତେ ବନ୍ଦେ ଉତ୍କଳ ଜନନୀ ଗାନ କରିବାକୁ କୁହାଯାଇଛି ।