ଋଷ-ୟୁକ୍ରେନ ଯୁଦ୍ଧ କାରଣରୁ ବିଶ୍ବରେ ସାମରିକ ବ୍ୟୟଭାର ୩.୭% ବଢିଛି

1 min read

ନନ୍ଦିଘୋଷ ବ୍ୟୁରୋ: ବିଶ୍ବରେ ବଢୁଛି ସାମରିକ ବ୍ୟୟ ଭାର । ଗତବର୍ଷ ବିଶ୍ବରେ କେବଳ ସାମରିକ ବ୍ୟୟଭାର ପହଞ୍ଚିଛି ୨୨୪୦ ବିଲିୟନ ଡଲାରରେ । ଆଶା କରାଯାଉଥିବା ପରିମାଣ ଠାରୁ ଏହା ୩ ଦଶମିକ ୭ ପ୍ରତିଶତ ଅଧିକ । ଷ୍ଟକହୋମ ଇଣ୍ଟରନ୍ୟାସନାଲ ପିସ୍ ରିସର୍ଚ୍ଚ ଇନଷ୍ଟିଚ୍ୟୁଟ ବା ସିପ୍ରି ପକ୍ଷରୁ ପ୍ରକାଶିତ ରିପୋର୍ଟରେ ଏହା ଦର୍ଶାଯାଇଛି । ତେବେ ଋଷ-ୟୁକ୍ରେନ ଯୁଦ୍ଧ କାରଣରୁ ଏହି ବ୍ୟୟ ଭାର ଯଥେଷ୍ଟ ବଢ଼ିଥିବା କୁହାଯାଇଛି ।

ସିପ୍ରି ଦର୍ଶାଇଛି- ଗତ ୩୦ ବର୍ଷ ଧରି ୟୁରୋପରେ କ୍ରମାଗତ ସାମରିକ ବ୍ୟୟ ଭାର ବଢିବାରେ ଲାଗିଛି । ଗତବର୍ଷ କେବଳ ଆମେରିକା, ଚୀନ ଓ ଋଷର ସାମରିକ ବ୍ୟୟ ପରିମାଣ ବିଶ୍ବର ମୋଟ ସାମରିକ ବ୍ୟୟ ପରିମାଣର ଥିଲା ୫୬ ପ୍ରତିଶତ । ଆମେରିକାର ସାମରିକ ଖର୍ଚ୍ଚ ପରିମାଣ ୮୭୭ ବିଲିୟନ ଡଲାର ଥିବାବେଳେ ଚୀନର ରହିଛି ୨୯୨ ବିଲିୟନ ଡଲାର । ଋଷର ବ୍ୟୟ ପରିମାଣ ୮୬.୪ ବିଲିୟନ ଡଲାର ଥିବାବେଳେ ଭାରତର ଏହି ପରିମାଣ ରହିଛି ୮୧ ଦଶମିକ ୪ ବିଲିୟନ ଡଲାର । ଭାରତର ସାମରିକ ବ୍ୟୟ ପରିମାଣ ୨୦୨୧ ଠାରୁ ୬ ପ୍ରତିଶତ ଅଧିକ ।

ଋଷ-ୟୁକ୍ରେନ ଯୁଦ୍ଧ କାରଣରୁ ବିଶେଷ କରି ପୂର୍ବ ଏସିଆ, କେନ୍ଦ୍ର ଓ ପଶ୍ଚିମ ୟୁରୋପର ଅନେକ ଦେଶ ନିଜ ନିଜର ସାମରିକ ବ୍ୟୟଭାର ବଢାଇଛନ୍ତି । ଆସନ୍ତା ଦିନରେ ଏହି ବ୍ୟୟଭାର ଅଧିକ ହେବା ସମ୍ଭାବନା ରହିଥିବା ରିପୋର୍ଟରେ ଦର୍ଶାଯାଇଛି । ଗତ ଏପ୍ରିଲ ୪ ତାରିଖରେ ନାଟୋରେ ସାମିଲ ହୋଇଥିବା ଫିନଲାଣ୍ଡର ବ୍ୟୟଭାର ୩୬ ପ୍ରତିଶତ ବଢିଥିବାବେଳେ ଲିଥୁଆନିଆର ୨୭ ପ୍ରତିଶତ, ସୁଇଡେନର ୧୨ ପ୍ରତିଶତ ଓ ପୋଲାଣ୍ଡର ୧୧ ପ୍ରତିଶତ ସାମରିକ ବ୍ୟୟଭାର ବଢିଛି ।