ଆଜି ବିଶ୍ବ ମାନସିକ ସ୍ବାସ୍ଥ୍ୟ ଦିବସ : ମାନସିକ ଚାପ, ଅସ୍ଥିରତା, ଅବସାଦ ଦୂର ଲାଗି ଆହ୍ବାନ

1 min read

ଭୁବନେଶ୍ୱର : ଆଜି ଅକ୍ଟୋବର ୧୦, ବିଶ୍ବ ମାନସିକ ସ୍ବାସ୍ଥ୍ୟ ଦିବସ । ସାରା ବିଶ୍ବରେ ପାଳିତ ହେଉଛି ଏହ ଦିବସ । ମାନସିକ ସ୍ବାସ୍ଥ୍ୟ ପ୍ରତି ଆସୁଥିବା ଚାଲେଞ୍ଜର ମୁକାବିଲା ଲାଗି ଲୋକଙ୍କୁ ସଚେତନ କରିବା ଏହି ଦିବସର ମୁଖ୍ୟ ଉଦ୍ଦେଶ୍ୟ । ମଣିଷ ଅନେକ ସମୟରେ ପରିସ୍ଥିତି ଚାପରେ ମାନସିକ ଆଘାତର ସମ୍ମୁଖୀନ ହୋଇଥାଏ । ଏପରିକି ଚରମ ପଥ ନେବାକୁ ପଛାଏ ନାହିଁ । ତେବେ ପରିସ୍ଥିତିର ମୁକାବିଲା କରିବା ସହ ସମସ୍ତ ନକାରାତ୍ମକ ଦିଗକୁ ତ୍ୟାଗ କରିବା ଲାଗି ଆହ୍ବାନ ଦେଇଥାଏ ଏହି ଦିବସ ।

୧୯୯୨ରୁ ମାନ୍ୟତା ଲାଭ କରିଆସିଥିବା ଏହି ଦିବସକୁ ବିଶ୍ବର ପ୍ରାୟ ୧୨୦ ଦେଶରେ ପାଳନ କରାଯାଉଛି । ମାନସିକ ଚାପ, ଅସ୍ଥିରତା, ଅବସାଦ ଆଦି ସମ୍ପର୍କିତ ମାନସିକ ସ୍ବାସ୍ଥ୍ଯାବସ୍ଥା କ୍ଷେତ୍ରରେ ସଚେତନତା ସୃଷ୍ଟି ଲାଗି ୧୯୯୨ରେ ଏକ ପ୍ରାଥମିକ ପଦକ୍ଷେପ ନେଇଥିଲା ବିଶ୍ବ ମାନସିକ ସ୍ବାସ୍ଥ୍ୟ ସଂଗଠନ ବା WFMH ।

ମାନସିକ ଅସ୍ଥିରତା, ଚାପ ଆଦି କ୍ଷେତ୍ରରେ ନିଜେ କୌଣସି ପଥ ନ ବାଛି ଅନ୍ୟର ସହାୟତା ଆବଶ୍ୟକ କରିବା ଲାଗି ଲୋକଙ୍କୁ ପରାମର୍ଶ ଦେଇଥାଏ ସଂଗଠନ । ବିଶେଷ କରି କୋଭିଡ ପରେ ଲୋକଙ୍କ ମଧ୍ଯରେ ସୃଷ୍ଟି ହୋଇଥିବା ଅବସାଦ, ଚାପ, ଦୁର୍ଦ୍ଦଶା, ଅର୍ଥନୈତିକ ଦୁର୍ଗତି, ସାମାଜିକ ସଙ୍କଟର ମୁକାବିଲା କ୍ଷେତ୍ରରେ ମାନସିକ ସ୍ତରରେ ଦୃଢ଼ ରହିବା ଲାଗି ପରାମର୍ଶ ଦେଉଛି ସଂଗଠନ । ୨୦୨୩ର ଆଜିର ଦିବସର ଥିମ ରହିଛି ମାନସିକ ସ୍ବାସ୍ଥ୍ୟ ଏକ ସାର୍ବଜନୀନ ମାନବାଧିକାର । ଏଥିଲାଗି ସଚେତନତା ସୃଷ୍ଟି, ମାନସିକ ସ୍ବାସ୍ଥ୍ୟର ସୁରକ୍ଷା ଦିଗରେ କାର୍ଯ୍ୟ କରିବା ଲାଗି ଆହ୍ବାନ ଦେଇଛି ବିଶ୍ବ ସ୍ବାସ୍ଥ୍ୟ ସଂଗଠନ । ମାନସିକ ଅବସ୍ଥାର ସୁରକ୍ଷା ଦିଗରେ ଲୋକଙ୍କୁ ପ୍ରୋତ୍ସାହନ ଦେବା ଏହି ଦିବସର ବାର୍ତ୍ତା ।