ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଚେତାବନୀ, ଆଗକୁ ଆହୁରି ଭୟଙ୍କର ହୋଇପାରେ କରୋନା

1 min read
Mumbai Reports Second Case Of XE Variant Corona

ନୂଆଦିଲ୍ଲୀ: ଆଗକୁ ଆହୁରି ଭୟଙ୍କର ହୋଇପାରେ କରୋନା । ଗତ ସପ୍ତାହରେ ସାରା ବିଶ୍ବରେ ପୁଣି ଥରେ କରୋନା ସଂକ୍ରମଣ ବୃଦ୍ଧି ପାଇଛି । ଅନେକ ରାଷ୍ଟ୍ର କୋଭିଡ ଟେଷ୍ଟିଂ କମାଇ ଦେଇଥିବା ବେଳେ ପୁଣି ସଂକ୍ରମଣ ବୃଦ୍ଧି ନୂଆ ସଙ୍କଟ ଆଣିପାରେ ବୋଲି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଚେତାବନୀ ଦେଇଛି । ବର୍ତ୍ତମାନ ଆସୁଥିବା ସଂକ୍ରମଣ ମାମଲା ଆଗକୁ ଆସୁଥିବା ବିପଦର ମାତ୍ର ଏକ ଅଂଶ ବୋଲି ଡବ୍ଲୁଏଚଓ କହିଛି । କେବଳ ମାର୍ଚ୍ଚ ୭ରୁ ୧୩ ତାରିଖ ମଧ୍ୟରେ ବିଶ୍ବରେ କରୋନା ସଂକ୍ରମଣ ୮ ପ୍ରତିଶତ ବଢ଼ିଛି । ୧ କୋଟି ଅଧିକ ନୂଆ ମାମଲା ଚିହ୍ନଟ ହୋଇଥିବା ବେଳେ ୪୩ ହଜାର ଲୋକଙ୍କ ଜୀବନ ନେଇଛି ଭୂତାଣୁ ।

ଏପଟେ ଇସ୍ରାଏଲରେ ପୁଣି ବାହାରିଲା କୋଭିଡର ନୂଆ ଭାରିଆଣ୍ଟ । ଏନେଇ ଇସ୍ରାଏଲ୍‌ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ସୂଚନା ଦେଇଛି । ପୂର୍ବରୁ ଜଣାପଡ଼ିନଥିବା କୋଭିଡର ଏହି ଭାରିଆଣ୍ଟରେ ଦୁଇ ଜଣ ସଂକ୍ରମିତ ହୋଇଛନ୍ତି । ଏଥିରେ ଓମିକ୍ରନର ସବ୍‌-ଭାରିଆଣ୍ଟ ବିଏ-୧ ଏବଂ ଅନ୍ୟ ଏକ ସବ୍‌-ଭାରିଆଣ୍ଟ ବିଏ-୨ ଦେଖିବାକୁ ମିଳୁଛି । ଏହାର ପ୍ରଭାବରେ ସାମାନ୍ୟ ଜ୍ୱର, ମାଂସପେଶୀ ଦରଜ ଏବଂ ମୁଣ୍ଡ ବିନ୍ଧା ହେଉଥିବା ଦେଖୁବାକୁ ମିଳୁଛି । ଏହି ଭାରିଆଣ୍ଟ ବର୍ତ୍ତମାନ ପର୍ଯ୍ୟନ୍ତ ସାରା ବିଶ୍ୱରେ ଅନ୍ୟ କେଉଁଠି ଜଣାପଡ଼ିନଥିଲା । ଇସ୍ରାଏଲର ବେନ୍‌ ଗୁରିଅନ୍‌ ବିମାନବନ୍ଦରରୁ ଯାତ୍ରୀଙ୍କ କୋଭିଡ୍‌ ଟେଷ୍ଟ କରିବା ସମୟରେ ଏହି ଭାରିଆଣ୍ଟ ବିଷୟରେ ଜଣାପଡ଼ିଥିଲା । ତେବେ ଏହା ଅଧିକ ଘାତକ ବୋଲି ଗବେଷକମାନେ କହିଛନ୍ତି ।