ଅନ୍ୟ ରାଜ୍ୟକୁ ରଣକୌଶଳ ଶିଖାଇବ ଓଡ଼ିଶା

1 min read

ରୋମ: ସାରା ବିଶ୍ୱକୁ ବାଟ ଦେଖାଇବ ଓଡ଼ିଶା । ପ୍ରାକୃତିକ ବିପର୍ଯ୍ୟୟ ପରିଚାଳନା ଓ ଖାଦ୍ୟ ସୁରକ୍ଷା କ୍ଷେତ୍ରରେ ଅନ୍ୟ ରାଜ୍ୟ ଓ ଦେଶକୁ ରଣକୌଶଳ ଶିଖାଇବ ଓଡ଼ିଶା । ଓ୍ବାର୍ଲ୍ଡ ଫୁଡ ପ୍ରୋଗ୍ରାମ ଓ ଓଡ଼ିଶା ସରକାରଙ୍କ ମିଳିତ ଉଦ୍ୟମରେ ଅନ୍ତର୍ଜାତୀୟ ସ୍ତରରେ ପ୍ରଶିକ୍ଷଣ ଶିବିର ଆୟୋଜିତ ହେବ । ରୋମରେ ଅନୁଷ୍ଠିତ ଓ୍ବାର୍ଲ୍ଡ ଫୁଡ ପ୍ରୋଗ୍ରାମ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ଓଡ଼ିଶାର ସଫଳତାର କାହାଣୀ କହିବା ପରେ ଏହାକୁ ବିଶ୍ୱବ୍ୟାପୀ ରୋଲ ମଡେଲ କରିବାକୁ ନିଷ୍ପତ୍ତି ହୋଇଛି ।

ବିଗତ ଦୁଇ ଦଶନ୍ଧିଧରି ଓଡ଼ିଶାରେ ହୋଇଥିବା ପ୍ରାକୃତିକ ବିପର୍ଯ୍ୟୟ, ଖାଦ୍ୟ ସୁରକ୍ଷା ଓ ଖାଦ୍ୟ ଉତ୍ପାଦନରେ ରୂପାନ୍ତରଣକୁ WFP ଭୂୟସୀ ପ୍ରଶଂସା କରିବା ସହ ଓଡ଼ିଶା ଭଳି ସ୍ଥିତିରେ ଥିବା ଅନ୍ୟ ରାଷ୍ଟ୍ରଙ୍କ ପାଇଁ ଏହା ଖୁବ ଉପାଦେୟ ବୋଲି ଓ୍ବାର୍ଲ୍ଡ ଫୁଡ ପ୍ରୋଗ୍ରାମର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଡେଭିଡ ବିସଲେ କହିଛନ୍ତି । ଗତ ୨୨ବର୍ଷରେ ଓଡ଼ିଶାରେ ଅନେକ କ୍ଷେତ୍ରରେ ବ୍ୟାପକ ପରିବର୍ତ୍ତନ ହୋଇଛି । ପରବର୍ତ୍ତି ପାଣିପାଗର ମୁକାବିଲା କରି ଆତ୍ମନିଯୁକ୍ତି ସୃଷ୍ଟି, କୁପୋଷଣ ଦୂର ସହ ଖାଦ୍ୟ ସୁରକ୍ଷା ଓ ଖାଦ୍ୟ ଉତ୍ପାଦନରେ ସ୍ବାବଲମ୍ବୀ ହେବା, ପ୍ରାକୃତିକ ବିପର୍ଯ୍ୟୟର ସଠିକ ପରିଚାଳନା ଭଳି ଅନେକ ଦିଗରେ ଓଡ଼ିଶା ଆଗରେ ରହିଛି । ସମସ୍ତଙ୍କ ସହଭାଗୀତାରେ ରାଜ୍ୟ ଜାତିସଂଘ ଦ୍ୱାରା ସ୍ଥିରିକୃତ ନିରନ୍ତର ବିକାଶ ଲକ୍ଷ୍ୟ ଆଡ଼କୁ ବଢିଚାଲିଛି ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । WFP ଏବଂ ଏହାର ସହଯୋଗୀ ସଂସ୍ଥା ଦ୍ୱାରା ସାରା ବିଶ୍ୱ ଓଡ଼ିଶାର ଅଭିଜ୍ଞତା ପହଞ୍ଚାଇବାରେ ଖୁବ ଆନନ୍ଦିତ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।