ଉଛୁଳୁଛି ଶ୍ରୀକ୍ଷେତ୍ର, ଆଜି ଭାଇ ଭଉଣୀଙ୍କୁ ସାଙ୍ଗରେ ନେଇ ଘୋଷଯାତ୍ରାରେ ଯିବେ ମହାପ୍ରଭୁ

ପୁରୀ: ରଥ ପ୍ରସ୍ତୁତ, ପଥ ବି ପ୍ରସ୍ତୁତ । ଭକ୍ତଙ୍କ ଗହଳିରେ ଉଛୁଳୁଛି ଶ୍ରୀକ୍ଷେତ୍ର । ଆଜି ଭାଇ ଭଉଣୀଙ୍କୁ ସାଙ୍ଗରେ ନେଇ ଘୋଷଯାତ୍ରାରେ ଯିବେ ମହାପ୍ରଭୁ । ଏକାକାର ହେବେ ଭକ୍ତ ଓ ଭଗବାନ । ଏଥିପାଇଁ ପୂର୍ବରୁ ସିଂହଦ୍ବାର ଆଗରେ ପ୍ରସ୍ତୁତ ହୋଇ ରହିଛନ୍ତି ୩ ରଥ । ୧୩ ଦିନ ଅନବସର ପରେ ରଥ ଉପରେ ଚତୁର୍ଦ୍ଧା ବିଗ୍ରହଙ୍କୁ ଦର୍ଶନ କରିବେ ଶ୍ରଦ୍ଧାଳୁ  ।

୫୩ ବର୍ଷ ପରେ ମହାପ୍ରଭୁଙ୍କ ଏହି ଦୁର୍ଲ୍ଲଭ ଯୋଗ ପଡ଼ିଛି । ଗୋଟିଏ ଦିନରେ ନେତ୍ର ଉତ୍ସବ, ନବଯୌବନ ଓ ଶ୍ରୀଗୁଣ୍ଡିଚା  । ଏଥିପାଇଁ ସ୍ବତନ୍ତ୍ର ନୀତିକାନ୍ତି କରାଯାଇଛି । ରାତ୍ର ୨ ଟାରୁ ଦ୍ୱାର ଫିଟାଯାଇ  ୨ ଟା ୪୦ ରେ ଦଶବତାର ଠାକୁର ବାହୁଡା଼ ବିଜେ, ୩ ଟାରେ ତାଟି ପିଠାଯାଇଥିଲା, ପ୍ରତ୍ୟୁଷ ୪ଟା ରେ ନେତ୍ରଉତ୍ସବ ବନ୍ଦାପନା, ୪ଟା ୪୫ରେ ଯାତ୍ରାଙ୍ଗୀ ମହାସ୍ନାନ କରାଯାଇଛି ।

ସକାଳ ୬ ରୁ ୭ ଟା ଗୋପାଳ ବଲ୍ଳଭ ଓ ସକାଳ ଧୂପ, ୭. ୩୦ରୁ ୧୨ ଟା ସେନାପଟା ଲାଗି, ଦିନ ୧୧ ଟାରେ ରଥ ପ୍ରତିଷ୍ଠା, ଦିନ ୧ ଟାରେ ମଙ୍ଗଳା ଅର୍ପଣ, ଗୋଟାଏ ୧୦ରେ ରେ ପହଣ୍ଡି ଆରମ୍ଭ ହୋଇ ୨ ଟା ୩୦ରେ ଶେଷ ହେବ । ୩ଟାରେ ଶ୍ରୀମଦନ ମୋହନ, ରାମକୃଷ୍ଣ ବିଜେ, ୪ ଟାରେ ଗଜପତି ମହାରାଜାଙ୍କ ଦ୍ୱାରା ଛେରାପହଁରା ପରେ ଚାରମାଳ ପିଟାହେବା ସହ ସାରଥୀ, ଘୋଡା ଲଗାଯିବ । ସନ୍ଧ୍ୟା ୫ ଟାରେ ରଥ ଟଣା କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ  । ଚଳିତ ବର୍ଷ ଦୁଇଦିନ ହେବ ରଥଟଣା ।