ଐତିହାସିକ ବାଲିଯାତ୍ରା ପାଇଁ ଚଳଚଞ୍ଚଳ କଟକ ସହର, ପର୍ଯ୍ୟଟକଙ୍କୁ ଆକୃଷ୍ଟ କରୁଛି ‘କଟକ ଇନ୍ କଟକ’

କଟକ: ଆରମ୍ଭ ହୋଇଯାଇଛି ଐତିହାସିକ ବାଲିଯାତ୍ରା। ଉତ୍କଳୀୟ ପରମ୍ପରା, ଐତିହ୍ୟ ଓ ଗୌରବମୟ ଅତୀତର ଗାଥା ବହନ କରୁଛି ବାଲିଯାତ୍ରା। ଉଦଘାଟନୀ ଦିନରୁ ଯାତ୍ରାରେ ଜମିଥିଲା ଖଚାଖଚ ଭିଡ଼। ରାତିରେ ଆକାଶର ଅନ୍ଧାର ଭିତରେ ବାଟ କଢେଇ ନେଉଥିଲା ସୁଦୀର୍ଘ ଦୋଳିଗୁଡିକର ରଙ୍ଗିନ ଲାଇଟ୍ ।

ମହାନଦୀ କୂଳର ସୁଲୁସୁଲିଆ ପବନରେ ବୁଲିବା ସାଙ୍ଗକୁ ମିନାବଜାରର ମଜା ଉଠାଇଛନ୍ତି ଦର୍ଶକ। ଚଳିତ ବର୍ଷ ତଳ ଉପର ପଡିଆରେ ୧୨୪୦ଟି ଷ୍ଟଲ ପଡିଛି । ଏଥିରେ ସରକାରୀ ଷ୍ଟଲ କେବଳ ୨୦୦ଟି ରହିଛି । ଏହାବାଦ୍ ବାଟେଘାଟେ ବି ଅନେକ ଖୁଚୁରା ବେପାରୀଙ୍କ ଷ୍ଟଲ ଦେଖିବାକୁ ମିଳିଛି। ବାଲିଯାତ୍ରାରେ ଲୋକଙ୍କ ସୁରକ୍ଷାକୁ ଗୁରୁତ୍ବ ଦେଇ ୭୭୭ଟି ସିସିଟିଭି ଲଗାଯାଇଛି । ପୋଲିସ ପକ୍ଷରୁ ବି ବ୍ୟାପକ ପୋଲିସ ଫୋର୍ସ ମୂତୟନ ହୋଇଛନ୍ତି । ସିଏମସି ଓ ଜିଲ୍ଲା ପ୍ରଶାସନର ସ୍ବତନ୍ତ୍ର ଟିମ୍ ମଧ୍ୟ ଲଗାତର ଚଢାଉ ଜାରି ରଖିଛି।

ଗତ ବର୍ଷ ଭଳି ଚଳିତ ବର୍ଷ ମଧ୍ୟ ବାଲିଯାତ୍ରାରେ ମୁଖ୍ୟ ଆକର୍ଷଣ ସାଜିଛି କଟକ ଇନ୍ କଟକ । ରାଜ୍ୟ ସରକାରଙ୍କ ପକ୍ଷରୁ କଟକ ଇନ୍ କଟକକୁ ଅଧିକ ଆକର୍ଷଣ କରାଯାଇଛି। ଏଠି ଦେଖବାକୁ ମିଳିଛି ଭଳିକି ଭଳି ମାଛ, ଗାଈ, ଗୋରୁ ସହ ଗୃହପାଳିତ ପଶୁ। କଟକ ଇନ୍ କଟକରେ ମିଳୁଛି ଚାଷ ସମ୍ବଧିୟ ଶିକ୍ଷା। ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିଭାଗ ପକ୍ଷରୁ କରାଯାଇଛି ସାଜସଜ୍ଜା। ଲୋକେ ମଧ୍ୟ ଜ୍ଞାନ ଆହରଣ ପାଇଁ ଜମାଉଛନ୍ତି ଭିଡ଼।