ଦୁଲୁକୁଛି ବରଗଡ । ଆରମ୍ଭ ହୋଇଯାଇଛି ବିଶ୍ଵ ପ୍ରସିଦ୍ଧ ଧନୁଯାତ୍ରା । ଆରମ୍ଭ ହୋଇଛି ମହାରାଜ କଂସଙ୍କ ରାଜୁତି । ସିଂହାସନ ଆରୋହଣ ପରେ ଅଟ୍ଟହାସ୍ୟରେ କମ୍ପୁଛି ସ୍ବର୍ଗ, ମର୍ତ୍ତ୍ୟ, ପାତାଳ । ଥରହର ଗଗନ ପବନ । ବରଗଡ ଧନୁଯାତ୍ରାର ପ୍ରଥମ ଦିବସରେ ମଥୁରା ମହାରାଜ ଉଗ୍ରସେନଙ୍କ ଝିଅ ଦେବକୀଙ୍କର ବିବାହ ପାଇଁ ଏକ ସୁଯୋଗ୍ୟ ବରପାତ୍ର ଭାବେ ବସୁଦେବଙ୍କ ପ୍ରସ୍ତାବ ପାଇଥିଲେ । ଅବିଳମ୍ବେ ପ୍ରସ୍ତାବରେ ରାଜି ହୋଇଥିଲେ ଉଗ୍ରସେନ । ପରେ ରାଜକୀୟ ଆଡମ୍ବରରେ ଦେବକୀ ଓ ବସୁଦେବକଙ୍କ ବିବାହ ସ୍ଥାନୀୟ ତଲିପଡା ସ୍ଥିତ ରାମଜୀ ମନ୍ଦିରରେ ଆୟୋଜିତ ହୋଇଥିଲା ।
ଦେବକୀ ବସୁଦେବଙ୍କ ବିବାହକୁ ନେଇ ସାରା ମଥୁରା ନଗରୀ ଉତ୍ସବମୁଖର ହୋଇ ପଡ଼ିଥିବା ବେଳେ ମୃଗୟାରୁ ଫେରିଛନ୍ତି ମହାରାଜ କଂସ । ତାଙ୍କ ଅନୁପସ୍ଥିତିରେ ଭଉଣୀ ଦେବକୀର ବିବାହ ହୋଇଯାଇ ଥିବାରୁ ଦୁଃଖରେ ଭାଙ୍ଗିପଡିଥିଲେ । ତା ପରେ ଭଉଣୀ ଦେବକୀଙ୍କୁ ଶାଶୂଘରେ ଛାଡିଦେବା ପାଇଁ ବାହାରିବା ବେଳେ କଂସଙ୍କୁ ହୋଇଛି ‘ଦୈବବାଣୀ’ । ଦେବକୀଙ୍କ ଅଷ୍ଟମ ଗର୍ଭ ସନ୍ତାନ ହେବ ମୃତ୍ୟୁର କାରଣ । ଦୈବବାଣୀ ଶୁଣି କଂସ ଅତ୍ୟନ୍ତ କ୍ରୋଧିତ ହୋଇ ପଡ଼ିଛନ୍ତି । କ୍ରୋଧରେ ସେ ଦେବକୀ, ବସୁଦେବଙ୍କୁ କାରାଗାରରେ ବନ୍ଦୀ କରିଦେଇଥିବା ବେଳେ ମହାରାଜ ଉଗ୍ରସେନଙ୍କୁ ଗାଦିଚ୍ୟୁତ କରି ନିଜେ ଆରୋହଣ କରିଛନ୍ତି ମଥୁରା ନଗରୀର ରାଜସିଂହାସନ । ଉଗ୍ରସେନଙ୍କୁ କରିଛନ୍ତି ରାଜ କଟୁଆଳ । କଂସଙ୍କ ରାଜାଭିଷେକ ପରେ ମନ୍ତ୍ରୀ ପରିଷଦ ଉଲ୍ଲସିତ ହୋଇ ପଡ଼ିଥିବା ବେଳେ ସମସ୍ତଙ୍କ ମନୋରଞ୍ଜନ ପାଇଁ ଆୟୋଜନ କରାଯାଇଥିଲା ନୃତ୍ୟଗୀତର କାର୍ଯ୍ୟକ୍ରମ।
ଆଜି ବିଶ୍ଵପ୍ରସିଦ୍ଧ ଧନୁଯାତ୍ରାର ଦ୍ଵିତୀୟ ଦିନରେ ମଥୁରାବାସୀଙ୍କ ମନୋରଞ୍ଜନ ସକାଶେ ରଙ୍ଗମହଲ ଉଦଘାଟନ କରାଯିବ । ରାତିରେ ସମଲେଶ୍ବରୀ ମଣ୍ଡପ ସ୍ଥିତ କାରାଗାରରେ ଦେବକୀଙ୍କ ଅଷ୍ଟମ ଗର୍ଭରୁ ଶ୍ରୀକୃଷ୍ଣ ଜନ୍ମନେବେ । କଂସଙ୍କ ଭୟରେ ଶ୍ରୀକୃଷ୍ଣଙ୍କୁ ନେଇ ଗୋପପୁର ଯାତ୍ରା କରିବେ ବସୁଦେବ । ଉଗ୍ରସେନ ସହ ଭେଟ ହେବା ପରେ ଯଶୋଦାଙ୍କ କୋଳରେ କୃଷ୍ଣଙ୍କୁ ଥୋଇ ବିଜୁଳି କନ୍ୟାକୁ ନେଇ ମଥୁରା ପ୍ରତ୍ୟାବର୍ତ୍ତନ କରିବେ । ପରେ ଅଭିନୀତ ହେବ ଦୁର୍ମିଳା ରାକ୍ଷସ ସହ କଂସଙ୍କ ଯୁଦ୍ଧ । ଯେଉଁଥିରେ ଦୁର୍ମିଳା ରାକ୍ଷସ ନିହତ ହେବ । ପରେ ଚାରୁଣ ମୁଷ୍ଟିକଙ୍କୁ ଆବହନ କରିବାର ଦୃଶ୍ୟ ଅଭିନୀତ ହେବ ।

