ନନ୍ଦିଘୋଷ ବ୍ୟୁରୋ: ହାତୀ ମେରା ସାଥୀ  । ନିଶ୍ଚେ ଏହି ହିନ୍ଦୀ ଚଳଚିତ୍ର ଟି ଆପଣ ଦେଖିଥିବେ  । ୧୯୭୧ ମସିହାରେ ପ୍ରଥମ ଫିଲ୍ମ ଆସେ  । ଏବେ ତ ଅନେକ ଫିଲ୍ମ ରିଲିଜ ହେଲାଣି   ହାତୀକୁ ନେଇ । କିପରି ଜଣେ ବନ୍ଧୁ ପାଇଁ ଜୀବନ ଦେବାକୁ ମଧ୍ୟ ଏହି ବିଶାଳ ଜୀବଟି ପଛାଏ ନାହିଁ, ତାହାର ଦୃଷ୍ଟାନ୍ତ ଏହି ଚଳଚିତ୍ର ଗୁଡ଼ିକରେ ନିହାତି ଲିପିବଦ୍ଧ  । ଆମେ ଯଦି ଜୁରାସିକ ଯୁଗକୁ ଯିବା ତେବେ ଡାଇନୋସର ହିଁ ପୃଥିବୀର ବଡ଼ ଜୀବ ବୋଲି ଉଲ୍ଲେଖ ରହିଛି  ।  ଏବେ ମଧ୍ୟ ଅନେକ ସ୍ଥାନରେ ଡାଇନୋସର ଜୀବାଶ୍ମ ମିଳୁଥିବା ବିଶେଷଜ୍ଞ ମାନେ ମତ ପ୍ରକାଶ କରୁଛନ୍ତି  । ଅର୍ଥାତ ଆମକୁ ମାନିବାକୁ ପଡିବ ଯେ, ଏଇ ଦୁନିଆରେ ନିହାତି ବିଶାଳ ଜୀବ ବାସ କରୁଥିଲେ  । ଯେଉଁମାନେ ୧୦-୧୫ଟି ହାତୀର ବଳ ଏବଂ ଆୟତରେ ବଡ଼  । କିନ୍ତୁ ଏବେ ତ ଆମ ପାଇଁ ଏହା କାହାଣୀ  । ଆଉ ଏହି କାହାଣୀ ପଛର ଖଳନାୟକ କିଏ, କେବେ ଅନୁସୀଳନ କରିଛନ୍ତି । ଯଦି କରିନାହାଁନ୍ତି ତେବେ….

ବେଶି ଦୂରକୁ ଯିବାନି  । ଏଇ ନିକଟରେ ଏକ ଘଟଣା   । ଅନ୍ୟ କେଉଁ ଦେଶରେ ବି ନୁହେଁ  । ଚିତ୍ରଟି କେରଳରୁ ଆସେ  । ସେହି ଚିତ୍ରଟି ମାନବିକତାକୁ ଜାବୁଡ଼ି ଧରି ବଞ୍ଚୁଥିବା ପ୍ରତିଟି ମଣିଷକୁ ସେଦିନ ପ୍ରଶ୍ନ ପଚାରେ  । ବାରମ୍ବାର ଧିକାର ବୋଧ କରେ  ।  ମାତ୍ର ଗୋଟିଏ ଚିତ୍ର ସଭିଙ୍କୁ ଆନ୍ଦୋଳିତ କରେ  । ଶେଷରେ ଅନେକଙ୍କ ଆଖିରୁ ଦୁଇ ଧାର ଅଶ୍ରୁ ବୋହିବାକୁ ବାଧ୍ୟ କରେ   ।  କିଭଳି ଅସହିଂଷ୍ଣୁ ମଣିଷର ଶିକାର ହୁଏ ଗୋଟେ ବିଶାଳ ଶରୀରଧାରୀ ବିଶ୍ୱାସୀ ଜୀବ  । ପେଟରେ ସନ୍ତାନ, ଆଉ ଖାଦ୍ୟରେ ବିଷ  ।  ଆହାର ନାଁରେ ସରଳ ଜୀବଟିକୁ ବିସ୍ଫୋରକ ଭର୍ତ୍ତି ପଦାର୍ଥ ଦେଇଦିଏ ମଣିଷ  । ଜୀବନ ମୃତ୍ୟୁର ଦୋଛକିରେ ବିଶ୍ୱାସ କରି ଭୁଲ କରିଥିବା ହାତୀ ବି ନିଜକୁ ପ୍ରଶ୍ନ କରିବାକୁ ସମୟ ପାଇପାରିଲା ନାହିଁ  । କାରଣ ସେ କରିଥିବା ନିଛକ ବିଶ୍ୱାସ ଯେ,  ଗର୍ଭରେ ରହି ଦୁନିଆ ଦେଖିନଥିବା ଗୋଟେ ନିଷ୍ପାପ ସନ୍ତାନ ଭୋଗିବ  । ତାହା ତ ସେଦିନ ସେ ଗର୍ଭିଣୀ ହାତୀର କଳ୍ପନାର ବହୁ ଦୂରେ ଥିଲା  । ବଞ୍ଚିବାର ବାହାନା ଖୋଜି ପାଣି ଭିତରେ ସିନା ଅସହ୍ୟ କଷ୍ଟକୁ ଉପସମ ଦେଉଥାଏ  । କିନ୍ତୁ ସେ ଜାଣିସାରିଥାଏ, ତା ବିଶ୍ୱାସର ପରିଣାମ କେବଳ ମୃତ୍ୟୁ ବୋଲି  ।

ଜୀବଜଗତ ଅଛି କିନ୍ତୁ ଜଗତରୁ ଜୀବ ଲୀନ ହେବାରେ ଲାଗିଛନ୍ତି  । ଆଜି ପୃଥିବୀର ବିଶାଳକାୟ ଜୀବ ଆମେ ହାତୀକୁ ହିଁ କହିବା  । କାରଣ ହାତୀ ଠାରୁ ଆୟତ୍ତ ଏବଂ ଗଠନରେ ଅନ୍ୟ କୌଣସି ଜୀବ ଅଦ୍ୟ ଏ ପୃଥିବୀରେ ନାହାଁନ୍ତି  । ହାତୀ କୈଣସି ମତେ ହିଂସ୍ର ପ୍ରାଣୀ ନୁହେଁ  । ବଂର ଏକଥା ମଧ୍ୟ ଆମେ ରାଜ ରାଜୁଡ଼ା ଅମଳରୁ ଦେଖିଛେ, କିପରି ନିଜର ପରିବହନ ଏବଂ ପତିଆରା ପାଇଁ ରାଜା ମହାରାଜା ମାନେ ହାତୀକୁ ନିଜ ଦରବାରରେ ରଖିଥାଆନ୍ତି  । ଯେଉଁ ରାଜାଙ୍କର ଯେତେ ହାତୀ ଅଛି, ସେ ନିଶ୍ଚିତ ବଳଶାଳୀ ବୋଲି ଗଣନା କରାଯାଏ  ।

ସେତେବେଳେ ମଣିଷ ହାତୀ ଏକାଠି ରୁହନ୍ତି  । ଶତ୍ରୁ ନୁହେଁ ବଂର ବନ୍ଧୁ ହୋଇ  । ସେମାନଙ୍କର ଚଳଣୀ ଏବଂ ରହଣୀରେ ବାଧା ସୃଷ୍ଟି କରାଯାଏନା   । ଆଜି ବି ଅନେକ ଗାଁ ଜଙ୍ଗଲ ଭିତରେ ରହିଛି  । ଯେଉଁମାନେ ହାତୀ ଭଳି ଜୀବର ସୁରକ୍ଷା ପାଇଁ ଅତି ସାଧାରଣ ଭାବେ ଚଳି ଆସନ୍ତି   । କିନ୍ତୁ ଆଜିର ପରିସ୍ଥିତି ସମ୍ପୂର୍ଣ୍ଣ ଭିନ୍ନ ହୋଇଛି  । ଜଙ୍ଗଲ ଆଜି କଂକ୍ରିଟରେ ଭର୍ତ୍ତି ହୋଇଛି  । ସବୁଜ ବଳୟ ଭିତରେ ପ୍ରବେଶ କରିଛି ରାକ୍ଷସ ରୂପୀ ବୃହତ କୋଠା  । ଯେଉଁଥିପାଇଁ ଏହି ବିଶାଳକାୟ ନିରୀହ ପ୍ରାଣୀ ଆଜି ସାଜିଛି ରକ୍ତ ମୁଖା  ।

ଆଜି ହେଉଛି ବିଶ୍ୱ ହସ୍ତୀ ଦିବସ । ହାତୀଙ୍କ ପାଇଁ ଆଜିର ଦିନଟିଏ । ଯେଉଁଭଳି ପିତୃ ମାତୃ ଦିବସ ଦିନଟିଏ ପାଇଁ ପାଳନ ହୁଏ  । ଠିକ ସେମିତି ଢଙ୍ଗରେ ଏ ମାନବ ସମାଜ ହାତୀଙ୍କ ପାଇଁ ମଧ୍ୟ ଦିନଟିଏ ପାଳନ କରୁଛି  । ସାଧାରଣରେ ଜନସଚେତନତା ସୃଷ୍ଟି କରିବା ପାଇଁ ହସ୍ତୀଦିବସ ପାଳନ ହୋଇଥାଏ । ଏଣୁ ପ୍ରତିବର୍ଷ ଅଗଷ୍ଟ ୧୨ ତାରିଖରେ ବିଶ୍ୱହସ୍ତୀ ଦିବସ ପାଳନ କରାଯାଉଛି । ପ୍ରଥମ ବିଶ୍ୱ ହସ୍ତୀଦିବସ ୨୦୧୨ ମସିହା ଅଗଷ୍ଟ୧୨ରେ ଆରମ୍ଭ ହୋଇଥିଲା । କିନ୍ତୁ ପ୍ରଶ୍ନ ଆସିବା ସ୍ୱଭାବିକ ଯେ, ହସ୍ତୀ ଦିବସ ପାଳନ କରିବାରେ କେଉଁଠି ଆବଶ୍ୟକତା ରହିଲା ?

ଜଙ୍ଗଲରେ ଭର୍ତ୍ତି ଏ ବିଶ୍ୱ ଏବେ ଜଙ୍ଗଲ ଦେଖିବା ପାଇଁ ମଧ୍ୟ ଭ୍ରମଣରେ ଯାଉଛି  । ଆଉ ଦିନେ ଜଙ୍ଗଲରେ ସାଥି ହୋଇ ଚଳୁଥିବା  ମଣିଷ-ହାତୀ ଏବେ ମୁହାଁମୁହିଁ ହୋଇଛନ୍ତି  । ଏହି ଲଢ଼େଇରେ କେତେବେଳେ ମଣିଷର ଜୀବନ ଯାଉଛି ତ କେବେ ହାତୀର..। ପ୍ରକୃତିର ଅବକ୍ଷୟ ବି ହାତୀକୁ ମରଣ ମୁହଁକୁ ଠେଲିଦେଇଛି। ମଣିଷ ତାହାର ଜୀବନ ଶୈଳୀକୁ ଭିନ୍ନ ଢଙ୍ଗରେ ଉପଭୋଗ କରିବା ପାଇଁ ଏହି ବିଶାଳକାୟ ଜୀବକୁ ମୃତ୍ୟୁ ମୁଖକୁ ଠେଲି ଦେଇଛି  । ବଞ୍ଚିବାର ରାସ୍ତା ଖୋଜି ଖୋଜି କେତେବେଳେ ଏହି ନିରୀହ ଜୀବ ଗାଁ ଏବଂ ସହରରେ ପ୍ରବେଶ କରିବାକୁ ବାଧ୍ୟ ହେଉଛି  ।

 

କେବଳ ଯଦି  ୧୧ ବର୍ଷକୁ ଅନୁଶୀଳନ କରିବା ତେବେ ଏହି ପରିଧି ଭିତରେ କେବଳ ଓଡ଼ିଶାରେ ୮୬୨ ହାତୀଙ୍କ ମୃତ୍ୟୁ ଘଟିଥିବା ଜଣାଯାଏ । ସେଥିମଧ୍ୟରୁ ଟ୍ରେନ୍ ଦୁର୍ଘଟଣାରେ ୩୧ଟି, ସଡ଼କ ଦୁର୍ଘଟଣାରେ ୬ଟି, ବିଦ୍ୟୁତ୍ ଆଘାତରେ ୧୩୫ଟି ହାତୀଙ୍କ ମୃତ୍ୟୁ ହୋଇଛି। ଏହାବ୍ୟତୀତ ୮୬ଟି ହାତୀଙ୍କୁ ଶିକାର କରାଯାଇଥିବା ବେଳେ ୩୭ଟି ବିଷକ୍ରିୟା ଦ୍ବାରା ମୃତ୍ୟୁମୁଖରେ ପଡ଼ିଛନ୍ତି। ଗତ ୨୦ ଦିନ ମଧ୍ୟରେ ରାଜ୍ୟରେ ୫ଟି ହାତୀଙ୍କ ମୃତ୍ୟୁ ଆହୁରି ଚିନ୍ତା ବଢ଼ାଇ ଦେଇଛି। ସେହିପରି ଯଦି ଅନ୍ୟ ଏକ ଦିଗରୁ ଦେଖିବା ତେବେ ୧୯୭୯ରେ ଓଡ଼ିଶାରେ ୨୦୪୪ଟି ହାତୀ ରହିଥିଲେ  । କିନ୍ତୁ ଏହାର ୪ ଦଶନ୍ଧି ପରେ ବି ସଂଖ୍ୟା ବଢ଼ିପାରିନି। ୨୦୧୭ ଗଣନା ବେଳେ ରାଜ୍ୟର ୨୬ଟି ଜିଲ୍ଲାରେ କେବଳ ୧୯୭୬ଟି ହାତୀ ଚିହ୍ନଟ ହୋଇଥିବା ଜଣାଯାଏ । ତେବେ ଏହି ହାତୀ ଦିବସକୁ କେବଳ ପୋଷ୍ଟରରେ ନୁହେଁ, ପ୍ରକୃତରେ ବୁଝିବାର ଆବଶ୍ୟକତା ରହିଛି  । ନଚେତ୍ ଦିନ ଆସିବ ଠିକ ଆମ ପରି ଆମର ପର ପିଢୀ ମଧ୍ୟ ଡାଇନସୋର ଭଳି ହାତୀର କାହାଣୀ କେବଳ ପଢିବେ…..

Leave a Reply