ବିଶ୍ବକପର ବଡ଼ ବିପର୍ଯ୍ୟୟ: ଦକ୍ଷିଣ ଆଫ୍ରିକାକୁ ୩୮ ରନରେ ହରାଇଲା ନେଦରଲ୍ୟାଣ୍ଡସ

ହିମାଚଳ ପ୍ରଦେଶ: ବିଶ୍ବକପରେ ପୁଣି ଏକ ବିପର୍ଯ୍ୟୟ । ଶକ୍ତିଶାଳୀ ଦକ୍ଷିଣ ଆଫ୍ରିକାକୁ ହରାଇଲା ନେଦରଲ୍ୟାଣ୍ଡସ । ୨୪୬ ରନର ବିଜୟ ଲକ୍ଷ୍ୟକୁ ପିଛା କରି ୨୦୭ ରନରେ ଅଲଆଉଟ ହୋଇଗଲା ଦକ୍ଷିଣ ଆଫ୍ରିକା । ଫଳରେ ମ୍ୟାଚକୁ ୩୮ ରନରେ ଜିତି ନେଇଛି । ଦକ୍ଷିଣ ଆଫ୍ରିକାକୁ ପରାଜିତ କରିବା ସହ ବିଶ୍ବକପରେ ପ୍ରଥମ ବିଜୟ ସ୍ବାଦ ଚାଖିଛି ନେଦରଲ୍ୟାଣ୍ଡସ ।

ବର୍ଷା ଯୋଗୁଁ ବିଳମ୍ବରେ ଆରମ୍ଭ ହୋଇଥିବା ଏହି ମ୍ୟାଚରେ ଦକ୍ଷିଣ ଆଫ୍ରିକା ଟସ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା । ମ୍ୟାଚ ବିଳମ୍ବରେ ଆରମ୍ଭ ହୋଇଥିବାରୁ ଓଭରକୁ ୪୩କୁ କମାଇ ଦିଆଯାଇଥିଲା । ପ୍ରଥମେ ବ୍ୟାଟିଂ କରିଥିବା ନେଦରଲାଣ୍ଡସ୍ ଆରମ୍ଭରୁ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲା । ଦଳର ଆଗଧାଡ଼ିର ବ୍ୟାଟ୍ସମ୍ୟାନ ଶକ୍ତିଶାଳୀ ଦକ୍ଷିଣ ଆଫ୍ରିକା ବୋଲିଂର ସାମନା କରିପାରିନଥିଲେ । ଏପରିକି ଦଳ ୮୨ ରନରେ ୪ଟି ଓ୍ବିକେଟ ଓ ୧୪୦ ରନରେ ୭ଟି ଓ୍ବିକେଟ ହରାଇ ସଂକଟରେ ପଡ଼ିଥିଲା । ତେବେ ସ୍କଟ୍ ଏଡଓ୍ବାଡସ ଅଧିନାୟକ ଇନିଂସ ଖେଳି ଦଳୀୟ ସ୍କୋରକୁ ଏକ ଭଲ ସ୍ଥିତିକୁ ନେଇଯାଇଥିଲେ । ସେ ୬୯ଟି ବଲ ଖେଳି ଅପରାଜିତ ୭୮ ରନ କରିଥିଲେ । ଫଳରେ ଦଳ ନିର୍ଦ୍ଧାରିତ ୪୩ ଓଭରରେ ୮ ଓ୍ବିକେଟ ହରାଇ ୨୪୫ ରନ କରିଥିଲା ।ଦକ୍ଷିଣ ଆଫ୍ରିକା ପକ୍ଷରୁ କାସିଗୋ ରାବାଡା, ଲୁଙ୍ଗି ଏନଗିଡି ଓ ମାର୍କୋ ଜାନସେନ ୨ଟି ଲେଖାଏଁ ଓ୍ବିକେଟ ନେଇଥିଲେ । ସେପଟେ ୨୪୬ରନ ବିଜୟ ଲକ୍ଷ୍ୟକୁ ନେଇ ପଡ଼ିଆକୁ ଓହ୍ଲାଇଥିବା ଦକ୍ଷିଣ ଆଫ୍ରିକା ଆରମ୍ଭରୁ ବିପର୍ଯ୍ୟୟର ସାମ୍ନା କରିଥିଲା । ସ୍ଥିତି ଏପରି ହୋଇଥିଲା ଯେ ଦଳର କୌଣସି ଖେଳାଳି ଅର୍ଦ୍ଧଶତକ ମଧ୍ୟ କରିପାରିନଥିଲେ । ଶେଷରେ ଗୋଟିଏ ବଲ ପୂର୍ବରୁ ଦକ୍ଷିଣ ଆଫ୍ରିକା ୨୦୭ ରନରେ ଅଲଆଉଟ ହୋଇଯାଇଥିଲା ।