ଚମକିବ ବାଣୀବିହାର ମୁଖ୍ୟ ଗେଟ୍, ଶୋଭା ବଢାଇବ ଓ୍ବାଟର ଫାଉଣ୍ଟେନ୍

ଭୁବନେଶ୍ବର: ବାଣୀବିହାର ଛକରୁ ଗଙ୍ଗୁଆ ନାଳ ଦେଇ ନୂଆ ରୋଡରେ ନିର୍ମାଣ କରାଯିବ ଉତ୍କଳ ବିଶ୍ବବିଦ୍ୟାଳୟର ପ୍ରବେଶ ଫାଟକ । ଆଖିଦୃଶିଆ ଗେଟ୍ ସାଙ୍ଗକୁ ପ୍ରଶସ୍ତ ରାସ୍ତା ଏବଂ ଦୁଇ ପାର୍ଶ୍ବ ହେବ ସୌନ୍ଦର୍ଯ୍ୟକରଣ । ନୂଆ ଗେଟ୍ ଓ ସୌନ୍ଦର୍ଯ୍ୟକରଣ ଫଳରେ ଏନଆଇଟି ଓ ଆଇଆଇଟି ଭଳି ଉତ୍କଳ ବିଶ୍ବବିଦ୍ୟାଳୟ ବି ଚମକିବ ।

ବଦଳିବ ଉତ୍କଳ ବିଶ୍ବବିଦ୍ୟାଳୟର ରୂପରେଖ । ନୂଆ ଗେଟରେ ଝଲସିବ ବିଶ୍ବବିଦ୍ୟାଳୟର ମୁଖଶାଳା । ପ୍ରଶସ୍ତ ରାସ୍ତା ସାଙ୍ଗକୁ ଗେଟ୍ ସମ୍ମୁଖରେ ଶୋଭା ପାଇବ ଓ୍ବାଟର ଫାଉଣ୍ଟେନ୍ । ବାଣୀବିହାର ଓଭରବ୍ରିଜଠାରୁ ୮ ଶହ ମିଟର ନୂଆ ରାସ୍ତା ନିର୍ମାଣ କରାଯିବ । ଏହାର ଡିଜାଇନ୍ କରିଛନ୍ତି ଓଡ଼ିଆ ଆର୍କିଟେକ ରୂଚିପୂର୍ଣ୍ଣ ଜେନା । ମୁଖ୍ୟ ଫାଟକ ସମେତ ସୁରକ୍ଷାକର୍ମଙ୍କ ପ୍ରକୋଷ୍ଠ, ସିସିଟିଭି, ଉଭୟ ପାର୍ଶ୍ବରେ ୯ ମିଟର ଲେଖାଏଁ ପକ୍କା ରାସ୍ତା, ରାସ୍ତାର ଦୁଇ କଡ଼ରେ ୬ ଫୁଟ ଲେଖାଏଁ ଫୁଟପାଥ ନିର୍ମାଣ କରାଯିବ । ବିଶ୍ବବିଦ୍ୟାଳୟ ପାଖ ଗଙ୍ଗୁଆ ନାଳ ଉପରେ ବ୍ରିଜ୍ ନିର୍ମାଣ ହେବ ।

ରାସ୍ତାର ଉଭୟ ପାର୍ଶ୍ବରେ ବୃକ୍ଷରୋପଣ କରାଯିବା ସହ ନୂଆ ମୁଖ୍ୟ ଫାଟକରେ କେବଳ ପ୍ରବେଶ ପଥ ରହିବ । ଏବେ ଥିବା ମୁଖ୍ୟ ଫାଟକ ହେବ ପ୍ରସ୍ଥାନ ପଥ । ଏଥିପାଇଁ ବାଣୀବିହାର ଛକରେ ଥିବା ଦୋକାନଗୁଡିକୁ ଉଚ୍ଛେଦ କରିବା ପାଇଁ ବିଡିଏ ଓ ବିଏମସିକୁ ଉତ୍କଳ ବିଶ୍ବବିଦ୍ୟାଳୟ କୁଳପତି ଚିଠି ଲେଖିଛନ୍ତି ।

ଉତ୍କଳ ବିଶ୍ବବିଦ୍ୟାଳୟକୁ ଆକର୍ଷଣୀୟ କରିବା ସହ କ୍ୟାମ୍ପସରେ ଏକ ଶୃଙ୍ଖଳିତ ଶିକ୍ଷାର ବାତାବରଣ ସୃଷ୍ଟି ପାଇଁ ବାଣୀବିହାର ସେଣ୍ଟ୍ରାଲ ଭିଷ୍ଟା ପ୍ରୋଜେକ୍ଟ ଖୁବଶୀଘ୍ର ଆରମ୍ଭ ହେବ । ଏଥିପାଇଁ ୨୫ କୋଟି ଟଙ୍କାର ବ୍ୟୟବରାଦ ହୋଇଛି ।

ସମ୍ପୂର୍ଣ୍ଣ ରାସ୍ତାରେ ସୋଲାର ସିଷ୍ଟମ ଲଗାଯିବ । ରାଜ୍ୟ ପୋଲିସ ହାଉସିଂ ବିଭାଗ କରିବ ଏହି କାମ । ବାଣୀବିହାର ଫ୍ଲାଇଓଭର ଛକରୁ ଛାତ୍ରଛାତ୍ରୀମାନେ ରଙ୍ଗରୁଟରେ ଯାଇ ୟୁନିଭର୍ସିଟିକୁ ପ୍ରବେଶ କରୁଛନ୍ତି । ଫଳରେ ଅନେକ ସମୟରେ ଦୁର୍ଘଟଣା ଘଟୁଛି । ନୂଆ ପ୍ରକଳ୍ପକୁ ଛାତ୍ରଛାତ୍ରୀମାନେ ସ୍ବାଗତ କରିଛନ୍ତି ।

ମୁଖଶାଳା ବଦଳିବା ପରେ ବଦଳିଯିବ କ୍ୟାମ୍ପସର ଭୂଗୋଳ । ୪ ଶହ ଏକର ଜମିରେ ଥିବା ଉତ୍କଳ ବିଶ୍ବବିଦ୍ୟାଳୟ ଓଡ଼ିଶାର ସର୍ବ ପୁରାତନ ବିଶ୍ବବିଦ୍ୟାଳୟ ହୋଇଥିବା ବେଳେ ଏହାର ନୂଆ ମୁଖଶାଳା ଜାତୀୟ ଏବଂ ଅନ୍ତର୍ଜାତୀୟ ସ୍ତରର ହେବ।