ମହାକାଶରୁ ପୃଥିବୀ ପୃଷ୍ଟ ପର୍ଯ୍ୟନ୍ତ ନିଜର ପାରଦର୍ଶୀତା ଦେଖାଇଛନ୍ତି କୋଟିପତି ବ୍ୟବସାୟୀ ଏଲନ ମସ୍କ । ଏବେ ପୁଣି ଟେକ୍ନୋଲୋଜି ଦୁନିଆର ପାଦ ଥାପିଛନ୍ତି ଏଲନ ମସ୍କ । ବିଶ୍ୱର ସବୁଠୁ ଧନୀ କୁହାଯାଉଥିବା ଏଲନ ମସ୍କ ମଙ୍ଗଳବାର ସୋସିଆଲ ମିଡିଆ ପ୍ଲାଟଫର୍ମ ଟ୍ବିଟ୍ରକୁ ୪୪ ବିଲିୟନ ଡଲାରରେ କିଣିଛନ୍ତି । ବ୍ୟାପକ ମୁଲଚାଲ ପରେ ସେୟାର ହୋଲ୍ଡରଙ୍କୁ ପ୍ରତି ସେୟାର ମୂଲ୍ୟ ବାବଦରେ ସେ ୫୪.୨୦ ଡଲାର ନଗଦ ଦେବାକୁ ପ୍ରସ୍ତାବ ଦେଇଥିଲେ ।
ତାଙ୍କର ଏହି ପ୍ରସ୍ତାବକୁ ଟ୍ବିଟ୍ର ଗ୍ରହଣ କରିଛି । ବର୍ତ୍ତମାନ କୋଟି କୋଟି ୟୁଜର ଥିବା ଏହି ସୋସିଆଲ ମିଡିଆ ପ୍ଳାଟଫର୍ମର ମାଲିକାନା ଦାୟିତ୍ୱ ଏଲନ ମସ୍କଙ୍କ ହାତକୁ ଯାଇଛି । ବୋର୍ଡର ଅନୁମୋଦନ ପାଇବା ପରେ ମସ୍କ ଆନୁଷ୍ଠାନିକ ଭାବରେ ଟ୍ୱିଟରର ମାଲିକ ହୋଇଛନ୍ତି । ତେବେ ମାଲିକାନା ହାତକୁ ଯିବା ପୂର୍ବରୁ ତାଙ୍କୁ ଖୁବ କସରତ ମଧ୍ୟ କରିବାକୁ ପଡ଼ିଥିଲା ।
ଏହାପୂର୍ବରୁ, ଏଲନ୍ ମସ୍କ ଟ୍ୱିଟର କିଣିବା ପାଇଁ ପ୍ରସ୍ତାବ ଦେବା ମାତ୍ରେ ଆରମ୍ଭ ହୋଇଯାଇଥିଲା ହୋ ହାଲ୍ଲା । ଅନେକ ଅଂଶୀଦାର ତାଙ୍କର ଏହି ନିଷ୍ପତିକୁ ନେଇ ଅସନ୍ତୋଷ ହୋଇପଡ଼ିଥିଲେ । କେହି କେହି ଏହି ଡିଲକୁ ‘ପଏଜନ୍ ପିଲ ଡିଫେନ୍ସ’ ବୋଲି ମଧ୍ୟ କହିଛନ୍ତି । ଏହା ପରେ, ମସ୍କ ବ୍ୟକ୍ତିଗତ ଭାବରେ ଅନେକ ଅଂଶୀଦାରଙ୍କ ସହିତ ସାକ୍ଷାତ କରି ସେମାନଙ୍କ ସହ ଆଲୋଚନା କରିଥିଲେ । କେବଳ ସେତିକି ନୁହେଁ, ଭିଡିଓ କଲ୍ ମାଧ୍ୟମରେ ତାଙ୍କ ସପକ୍ଷରେ ସମ୍ମତି ଦେବାକୁ ମସ୍କ କିଛି ଅଂଶୀଦାରଙ୍କୁ ମଧ୍ୟ ନିବେଦନ କରିଥିଲେ । ତେବେ ଟୁଇଟର ବୋର୍ଡ ସହିତ ଆଲୋଚନା ପରେ ଶେଷରେ ଏହି ଡିଲକୁ ଫାଇନାଲ କରାଯାଇଥିଲା ।
ତେବେ ଏହି ନୂଆ ମାଲିକ ଟ୍ୱିଟରରେ କଣ ଆଣିପାରନ୍ତି ପରିବର୍ତ୍ତନ ଆସନ୍ତୁ ଜାଣିବା
ବିଶ୍ୱକୁ ମିଳିବ ସ୍ୱାଧିନ ବକ୍ତବ୍ୟ ରଖିବାର ପ୍ଲାଟଫର୍ମ
ଡିଲ ଫାଇନାଲ ହେବା ପରେ ମସ୍କ ଏକ ଲିଖିତ ବିବୃତ୍ତିରେ କହିଛନ୍ତି, “ମୁଁ ସର୍ବଦା ସ୍ୱାଧିନ ଭାବେ ଅଭିବ୍ୟକ୍ତି ଦେବାକୁ ସମର୍ଥନ କରେ ଆଉ ମୁଁ ଟୁଇଟରରେ ବିନିଯୋଗ କରିବାର କାରଣ ହେଉଛି ଏହି ପ୍ଲାଟଫର୍ମଟିରେ ସମଗ୍ର ବିଶ୍ୱରେ ସ୍ୱାଧିନ ଭାବେ ଅଭିବ୍ୟକ୍ତି ଦେବା ପାଇଁ ସାମର୍ଥ୍ୟ ରହିଛି । ମୋର ବିଶ୍ୱାସ ଯେ, କୌଣସି ଗଣତାନ୍ତ୍ରିକ ସମାଜ ପାଇଁ ସ୍ୱାଧିନ ଅଭିବ୍ୟକ୍ତି ରଖିବାର ଏକ ପ୍ଲାଟଫର୍ମ ରହିବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ।
ପ୍ରତ୍ୟେକ ଉପଭୋକ୍ତା ବ୍ଲୁ ଟିକ୍ ପାଇପାରିବେ
ଟ୍ୱିଟରରେ କୌଣସି ଉପଭୋକ୍ତାଙ୍କୁ ବ୍ଲୁ ଟିକ୍ ମିଳିବା କଷ୍ଟକର । କିନ୍ତୁ ଏହି ସୁବିଧା ସମସ୍ତ ଉପଭୋକ୍ତା ପାଇବା ଅତ୍ୟନ୍ତ ରୋମାଞ୍ଚକର ବିଷୟ । ଏଲନ୍ ମସ୍କଙ୍କ କହିବାନୁସାରେ, ବର୍ତ୍ତମାନ ପ୍ରତ୍ୟେକ ବ୍ୟବହାରକାରୀଙ୍କ ଆକାଉଣ୍ଟକୁ ବ୍ଲୁ ଟିକ୍ ଦିଆଯିବ । ସେ ପୂର୍ବରୁ କହିଥଲେ ଯେ ମୁଁ ଟ୍ୱିଟରକୁ ବ୍ୟକ୍ତିଗତ କରିବାକୁ ଚାହୁଁଛି ।
ଆଉ ଏଡିଟ୍ ବଟନ୍ ମଧ୍ୟ ହେବ ଉପଲବ୍ଧ
ଟେସଲାର ସହ-ପ୍ରତିଷ୍ଠାତା ତଥା ବର୍ତ୍ତମାନର ଟ୍ୱିଟରର ମାଲିକ ମସ୍କ ଏହି ପ୍ଲାଟଫର୍ମରେ ଖୁବ୍ ଶୀଘ୍ର ଏଡିଟ୍ ବଟନ ଉପଲବ୍ଧ କରିବେ । ସେ ଏଡିଟ୍ ବଟନକୁ ନେଇ ଟ୍ୱିଟରରେ ଏକ ସର୍ଭେ ମଧ୍ୟ କରିଥିଲେ । ଏହାର ଉଦ୍ଦେଶ୍ୟ ଥିଲା ଯେକୌଣସି ଟ୍ୱିଟରେ କରାଯାଇଥିବା ଭୁଲଗୁଡ଼ିକୁ ସଂଶୋଧନ କରିବା । ଯଦିଓ ଟ୍ୱିଟର ପୂର୍ବରୁ କହିଛି ଯେ, ଖୁବ୍ ଶୀଘ୍ର ଏହି ପ୍ଲାଟଫର୍ମରେ ଏଡିଟ୍ ବଟନ୍ ଅଣାଯିବ ।

