ରାଜ୍ୟ ଶିକ୍ଷା ବିକାଶ ପାଇଁ ସହାୟତା ଦେବ ବିଶ୍ୱବ୍ୟାଙ୍କ

World Bank approves Financial Assistance for better education in Odisha

ରାଜ୍ୟର ଶିକ୍ଷା ବ୍ୟବସ୍ଥାକୁ ସୁଦୃଢ କରିବା ସହ ସରକାରୀ ସ୍କୁଲକୁ ଉନ୍ନତମାନର ଅଭିଜ୍ଞତା ଦେବା ପାଇଁ ବିଶ୍ୱ ବ୍ୟାଙ୍କ ଆର୍ଥିକ ସହଯୋଗ କରିବ  । ତେବେ କେବଳ ଓଡିଶା ନୁହେଁ, ଦେଶର ୬ଟି ରାଜ୍ୟରେ ଶିକ୍ଷା କ୍ଷେତ୍ରକୁ ଆର୍ଥିକ ସହାୟତା ଦେବା ପାଇଁ ବିଶ୍ୱ ବ୍ୟାଙ୍କ ପ୍ରସ୍ତୁତ ହୋଇଛି । ରାଜ୍ୟଗୁଡିକ ହେଲେ,  ଓଡିଶା ହିମାଚଳପ୍ରଦେଶ, କେରଳ, ମଧ୍ୟପ୍ରଦେଶ, ରାଜସ୍ଥାନ, ମହାରାଷ୍ଟ୍ର । ବିଶ୍ୱ ବ୍ୟାଙ୍କ ଏହି ପ୍ରୋଜେକ୍ଟର ନାମ ଷ୍ଟାର୍ସ ରଖିଥିବା ବେଳେ ଏହା ମାଧ୍ୟମରେ ୫ଶହ ମିଲିୟନ୍ ଡଲାର ଅର୍ଥରାଶିକୁ ମଞ୍ଜୁରୀ ଦେଇଛି । ଏହି ଅର୍ଥ ୧୫ ଲକ୍ଷ ବିଦ୍ୟାଳୟର ସାମଗ୍ରିକ ବିକାଶ ନିମନ୍ତେ ଖର୍ଚ୍ଚ ହେବ । ତେବେ ବିଶ୍ୱ ବ୍ୟାଙ୍କ ୧୯୯୪ରୁ ଦେଶର ବିଭିନ୍ନ ରାଜ୍ୟକୁ ଶିକ୍ଷା କ୍ଷେତ୍ରରେ ପ୍ରଗତି ପାଇଁ ସହଯୋଗ କରି ଆସୁଛି ।

 ତେବେ ୬ଟି ରାଜ୍ୟ ମଧ୍ୟରୁ ବିଶ୍ୱ ବ୍ୟାଙ୍କର ପ୍ରାଥମିକତାରେ ରହିଛି ଓଡିଶା । ୨୦୦୪ରୁ ୨୦୧୯ ମଧ୍ୟରେ ରାଜ୍ୟ ଏହି କାର୍ଯ୍ୟକ୍ରମ ଆଧାର ବେଶ ପ୍ରଗତି କରୁଛି ବୋଲି ବିଶ୍ୱବ୍ୟାଙ୍କ ପକ୍ଷରୁ ପ୍ରକାଶ କରାଯାଇଛି । ଏହି ଅର୍ଥ ରାଜ୍ୟର ଶିକ୍ଷା କ୍ଷେତ୍ରର ବିକାଶ ଓ ନବୀକରଣ ଦିଗରେ ବିନିଯୋଗ ହେବ । ଓଡିଶାରେ ଥିବା ସ୍କୁଲଗୁଡିକର ପରିଚାଳନା କମିଟିକୁ ବିକେନ୍ଦ୍ରୀକରଣ କରାଯିବ । କ୍ଲାସରୁମ ନବୀକରଣ କାର୍ଯ୍ୟ କରାଯିବ ଏବଂ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ଏହା ଯେ ଶିକ୍ଷାକୁ ଚାକିରୀ ଉପଯୋଗୀ କରାଯିବ ।

ବିଶ୍ୱ ବ୍ୟାଙ୍କର କହିବା କଥା ଯେ ସାରା ଦେଶରେ ଶିକ୍ଷା ଗ୍ରହଣ କରୁଥିବା ଛାତ୍ରଛାତ୍ରୀଙ୍କ ମଧ୍ୟରୁ ଅଧିକାଂଶ ପାଠ ପଢା ସାରି ନିଯୁକ୍ତି ଅଭାବରେ ବେକାର ରହୁଛନ୍ତି । ଏଭଳି ହେବା ଦ୍ୱାରା ଶିକ୍ଷାର ମୂଲ୍ୟବୋଧ କମିବା ସହ ଯୁବଶ୍ରେଣୀ ମଧ୍ୟରେ ପ୍ରତିଯୋଗୀ ମନୋଭବ ମଧ୍ୟ କମୁଛି । ଶିକ୍ଷା ମଧ୍ୟରେ ପ୍ରଶିକ୍ଷଣ ବ୍ୟବସ୍ଥା ସଂପ୍ରତି ପ୍ରଚଳିତ ହେଉଥିଲେ ମଧ୍ୟ ଏହା ବିକଶିତ ଓ ପ୍ରଭାବଶାଳୀ ନୁହେଁ । ତେଣୁ ଉଭୟ ଛାତ୍ରଛାତ୍ରୀ ଓ ଶିକ୍ଷକଙ୍କ ପାଇଁ ସ୍ୱତନ୍ତ୍ର ପ୍ରଶିକ୍ଷଣ ବ୍ୟବସ୍ଥାର ଆବଶ୍ୟକତା ରହିଥିବା ବିଶ୍ୱ ବ୍ୟାଙ୍କ ଅନୁଭବ କରୁଛି  ।

 

ମାନବ ସମ୍ୱଳକୁ ନେଇ ସାରା ରାଜ୍ୟରେ ଅଦ୍ଭୁଦପୂର୍ବ ସୁଯୋଗ ରହିଛି । ମାତ୍ର ମାନବସମ୍ୱଳକୁ ସଠିକ ଭାବେ ନିୟୋଜିତ କରିବା ପାଇଁ ମୂଳଦୁଆ ସ୍ତରରୁ ଛାତ୍ରଛାତ୍ରୀଙ୍କ ବୌଦ୍ଧିକ ବିକାଶକୁ ନେଇ ଏବେ ମଧ୍ୟ ସମସ୍ୟା ରହିଛି । ତେବେ ଷ୍ଟାର୍ସ ପ୍ରୋଜେକ୍ଟ ମାଧ୍ୟମରେ ବିଶ୍ୱ ବ୍ୟାଙ୍କ ତୃଣମୂଳ ସ୍ତରରୁ ଛାତ୍ରଛାତ୍ରୀଙ୍କର ବୌଦ୍ଧିକ ବିକାଶ କ୍ଷେତ୍ରରେ ପ୍ରମୁଖ ଭୂମିକା ନେବେ  । ସେହିଭଳି ବ୍ୟକ୍ତିଗତ ସ୍ତରରେ ପ୍ରତି ଛାତ୍ରଛାତ୍ରୀ କିମ୍ୱା ଶିକ୍ଷକମାନଙ୍କ ମଧ୍ୟରେ ପେଶାଗତ ସମସ୍ୟା ଭିନ୍ନ ଭିନ୍ନ ରହିଥିବା ହେତୁ ଏସବୁର ସମାଧାନ ପାଇଁ  ସେମାନଙ୍କ ସହ ପୃଥକ ଭାବେ ଆଲୋଚନା କରାଯିବ । ବିଶ୍ୱ ବ୍ୟାଙ୍କ ଏସବୁ ଦିଗ ଉପରେ ମଧ୍ୟ ଧ୍ୟାନ ଦେବେ ବୋଲି ନିଜ ଘୋଷଣାରେ ଜଣାଇଛି ।

 

Leave a Reply