ଗାଡି ଧକ୍କା ଦେବା ପରେ ମାଡ଼ ମାରି ଫେରାର ହୋଇଗଲେ, ଇଟାଭାଟି ଶ୍ରମିକଙ୍କ ମୃତ୍ୟୁ

ବାଲେଶ୍ବର: ପ୍ରଥମେ ଗାଡି ଧକ୍କା ଦେଲେ । ତା’ପରେ ଉଠାଇ ନେଇ ନିସ୍ତୁକ ମାଡ ମାରି ଇଟାଭାଟି ପାଖରେ ଫିଙ୍ଗି ଦେଇ ଫେରାର ହେଲେ ଦୁର୍ବୃତ୍ତ । ଗାଡି ଧକ୍କା ଓ ମାଡ ଯୋଗୁଁ ଗୁରୁତର ଶ୍ରମିକଙ୍କ ଶେଷରେ ହୋଇଗଲା ମୃତ୍ୟୁ । ଏମିତି ଘଟଣା ଘଟିଛି ବାଲେଶ୍ବର ଉପକଣ୍ଠରେ ।

ଅଭିଯୋଗ ଅନୁସାରେ ପଶ୍ଚିମବଙ୍ଗ ଝାଡ଼ଗ୍ରାମର ଟିକୁ ସିଂ, ବାଲେଶ୍ବର ଉପଖଣ୍ଡରେ ଇଟାଭାଟି ଶ୍ରମିକ ଭାବେ କାମ କରୁଥିଲେ । ଟିକୁ ବାଲେଶ୍ବରରୁ ଏକ ସାଇକେଲ ଯୋଗେ ଘରକୁ ଫେରୁଥିବା ବେଳେ କଣ୍ଟାବଣିଆ ଛକରେ ଏକ ବାଇକ୍ ତାଙ୍କୁ ଧକ୍କା ଦେଇଥିଲା ।

ହେଲେ ବାଇକ ଆରୋହୀମାନେ ତାଙ୍କୁ ମେଡିକାଲ ନେବା ବଦଳରେ ରାସ୍ତାରୁ ଉଠାଇ ନେଇ ନିସ୍ତୁକ ମାଡ଼ ମାରିଥିଲେ । ଏହାପରେ ଟିକୁଙ୍କୁ ଇଟାଭାଟି ନିକଟରେ ଛାଡି ଫେରାର ହୋଇଯାଇଥିଲେ ।

ଗୁରୁତର ଅବସ୍ଥାରେ ସ୍ଥାନୀୟ ଲୋକେ ଟିକୁଙ୍କୁ ଉଦ୍ଧାର କରି ସ୍ଥାନୀୟ ମେଡିକାଲରେ ଭର୍ତ୍ତି କରିଥିଲେ । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି । ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ପ୍ରକାଶ ପାଇଛି । ଅଭିଯୁକ୍ତ ବାଇକ ଆରୋହୀଙ୍କୁ ତୁରନ୍ତ ଗିରଫ କରିବା ସହ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବାକୁ ଅଞ୍ଚଳବାସୀ ଦାବି କରିଛନ୍ତି ।