ଜାରି ରହିବ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ

ଭୁବନେଶ୍ବର: ପରିକ୍ରମା ପ୍ରକଳ୍ପରେ କୌଣସି ପ୍ରତିବନ୍ଧକ ନାହିଁ । ହାଇକୋର୍ଟଙ୍କ ନିର୍ଦ୍ଦେଶ ଓ ଏଏସଆଇ ସହଯୋଗରେ କାମ ହେବ ବୋଲି ପରିଚାଳନା ବୈଠକ ପରେ ସୂଚନା ଦେଇଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ବୀର ବିକ୍ରମ ଯାଦବ । ପୂର୍ବରୁ ଗଜପତିଙ୍କ ଅଧ୍ୟକ୍ଷତାରେ ହୋଇଥିବା ସାଂସ୍କୃତିକ ଉପଦେଷ୍ଟା କମିଟି ନିଷ୍ପତ୍ତିକୁ ମଧ୍ୟ ଅନୁମୋଦନ କରାଯାଇଛି ।

ଏଏସଆଇ ଡିଜିଙ୍କ ନିର୍ଦ୍ଦେଶ କ୍ରମେ ଯାତ୍ରୀ ଅଭ୍ୟର୍ଥନା କେନ୍ଦ୍ର ଶହେ ମିଟର ପରିଧି ବାହାରେ କରିବା ପାଇଁ ନିଷ୍ପତ୍ତି ହୋଇଛି । ତେବେ ଏହା କେଉଁ ସ୍ଥାନରେ କରାଯିବ ତାହା ସ୍ପଷ୍ଟ ହୋଇନାହିଁ । ସେହିପରି ଆଉଟଡୋର ଆକ୍ସେସ ରୋଡ ପାଇଁ ଆବଶ୍ୟକ ହେଲେ ଅଧିକ ଜମି ଅଧିଗ୍ରହଣ କରାଯିବା ସହ ଯାତ୍ରୀ ପରିକ୍ରମା ମାର୍ଗ ମଧ୍ୟରେ ହୋଇଥିବା ସମସ୍ତ କାର୍ଯ୍ୟ କଳିଙ୍ଗ ସ୍ଥାପତ୍ୟ ଶୈଳୀରେ କରାଯିବ | ଏହା ମେଘନାଦ ପାଚେରୀଠାରୁ ଅଧିକ ଉଚ୍ଚ ହେବ ନାହିଁ ବୋଲି ପୂର୍ବରୁ ସାଂସ୍କୃତିକ ଉପଦେଷ୍ଟା କମିଟିରେ ନିଷ୍ପତ୍ତି ନିଆଯାଇଥିଲା ।

ଏହି ପ୍ରକଳ୍ପ କାର୍ଯ୍ୟ ଦ୍ବାରା ଶ୍ରୀମନ୍ଦିର ଦୃଶ୍ୟମାନ ହେବାରେ ଯେଭଳି କୌଣସି ପ୍ରତିବନ୍ଧକ ନଉପୁଜିବ ତାହା ଉପରେ ମଧ୍ୟ ସାଂସ୍କୃତିକ ଉପଦେଷ୍ଟା କମିଟି‌ ନେଇଥିବା ନିଷ୍ପତ୍ତିକୁ ପରିଚାଳନା କମିଟିରେ ମୋହର ବାଜିଛି । ସେହିଭଳି ଗୁରୁକୁଳ ପାଇଁ ସୋସାଇଟି ଗଠନକୁ ମଧ୍ୟ ଅନୁମୋଦନ ମିଳିଛି । ଆସନ୍ତା ଦୁଇବର୍ଷ ମଧ୍ୟରେ କାର୍ଯ୍ୟ ଶେଷ କରିବାକୁ ଲକ୍ଷ୍ୟ ରଖାଯାଇଛି । ସେହିପରି ଗରିବ ସେବାୟତଙ୍କ ପାଇଁ ମାଟି ମଣ୍ଡପ ସାହିରେ ୨.୮୧ ଓ ହରଚଣ୍ଡୀ ସାହି ମୈଜାରେ ୩.୧୮ ଏକର ଜମି ଚିହ୍ନଟ ହୋଇଛି। ଏହି ଜମି ଶ୍ରୀମନ୍ଦିର ପ୍ରଶାସନ ଅଧୀନକୁ ଆସିବା ପରେ ଓବିସିସିକୁ ଡିଜାଇନ୍ ପ୍ରସ୍ତୁତ ପାଇଁ କୁହାଯିବ । ଅନ୍ୟପଟେ ଶୃଙ୍ଖଳିତ ସ୍ନାନଯାତ୍ରା ଓ ରଥଯାତ୍ରା ନେଇ ପରିବର୍ତ୍ତି ପରିଚାଳନା ବୈଠକରେ ଆଲୋଚନା କରାଯିବ ବୋଲି ସୂଚନା ଦେଇଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ।

ଆଜି ଅପରାହ୍ନରେ ଅନୁଷ୍ଠିତ ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକରେ ଗଜପତି ମହାରାଜା ଦିବ୍ୟସିଂହ ଦେବ ଅଧ୍ୟକ୍ଷତା କରିଥିବା ବେଳେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ, ଜିଲ୍ଲାପାଳ, ଶ୍ରୀମନ୍ଦିର ପ୍ରଶାସନିକ ଅଧିକାରୀ, ପରିଚାଳନା କମିଟି ସଦସ୍ୟ ମାନେ ଉପସ୍ଥିତ ଥିଲେ ।