କ୍ଷମତାକୁ ଆସିବା ପରେ ଓଡ଼ିଆ ଅସ୍ମିତାକୁ ଭୁଲି ଯାଇଛି ବିଜେପି ! ବିନା ଶ୍ରୀମନ୍ଦିରର ପରିଚାଳନା କମିଟିରେ ଚାଲିଛି କାମ

ନନ୍ଦିଘୋଷ ବ୍ୟୁରୋ: ବିନା ପରିଚାଳନା କମିଟିରେ ଚାଲିଛି ଶ୍ରୀମନ୍ଦିରର କାମ। ଯେଉଁ କମିଟି ଥିଲା, ତା’ର କାର୍ଯ୍ୟକାଳ ୮ ମାସ ତଳୁ ସରିଲାଣି । କିନ୍ତୁ ଏଯାଏଁ ନୂଆ କମିଟି ଗଠନ କରିପାରି ନାହାନ୍ତି ରାଜ୍ୟ ସରକାର । ଏହାକୁ ନେଇ ଉଦବେଗ ପ୍ରକାଶ କରିଛନ୍ତି ବିରୋଧୀ । ନିରଞ୍ଜନ ପଟ୍ଟନାୟକ ଅଭିଯୋଗ କରିଛନ୍ତି, ବିଜେପି ସରକାର ଶ୍ରୀଜଗନ୍ନାଥଙ୍କ ଭକ୍ତଙ୍କ ବିଶ୍ବାସକୁ ଉପେକ୍ଷା କରୁଛନ୍ତି । ବିଜେଡି ବି ସେଇ କଥା କହିଛି । ରାଜ୍ୟ ସରକାର କାହିଁକି ଏ ପ୍ରସଙ୍ଗରେ ନୀରବଦ୍ରଷ୍ଟା ସାଜିଛନ୍ତି ତାକୁ ନେଇ ପ୍ରଶ୍ନ ଉଠିବାରେ ଲାଗିଛି ।
ଶ୍ରୀମନ୍ଦିରର ପରିଚାଳନା କମିଟି ନାହିଁ । ଗତ ପରିଚାଳନା କମିଟିର କାର୍ଯ୍ୟକାଳ ୩ ସେପ୍ଟେମ୍ବର ୨୦୨୪ରୁ ସରିଲାଣି । କିନ୍ତୁ ଏଯାଏଁ ଗଠନ ହୋଇପାରିନାହିଁ ନୂଆ କମିଟି । ଏଥିପାଇଁ ବିଜେପି ସରକାରଙ୍କୁ ସିଧା ନିଶାନା କରିଛନ୍ତି ପୂର୍ବତନ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ । ଓଡ଼ିଆ ଅସ୍ମିତାର ନାରା ଦେଇ ସରକାରକୁ ଆସିଥିବା ବିଜେପି ସରକାର କାହିଁକି ଓଡ଼ିଆ ଅସ୍ମିତା ଓ ବିଶ୍ୱର କୋଟି କୋଟି ଜଗନ୍ନାଥ ଭକ୍ତଙ୍କ ବିଶ୍ୱାସକୁ ଉପେକ୍ଷା କରୁଛନ୍ତି ବୋଲି ପ୍ରଶ୍ନ କରିଛନ୍ତି ନିରଞ୍ଜନ । ବିଜେପି ସରକାରକୁ ବର୍ଷେ ପୂରିବାକୁ ଯାଉଛି । କିନ୍ତୁ କାହିଁକି ଏଯାଏଁ ଶ୍ରୀମନ୍ଦିର ପରିଚାଳନା କମିଟି ଗଠନ ହୋଇପାରିନାହିଁ ବୋଲି ନିରଞ୍ଜନ ପଚାରିଛନ୍ତି । ତାଙ୍କୁ ଜବାବ ଦେଇ ବିଜେପି ବିଧାୟକ ସରୋଜ ପାଢୀ କହିଛନ୍ତି, ଅସ୍ମିତା କ’ଣ ନିରଞ୍ଜନ ଜାଣିନାହାନ୍ତି ।
ଶ୍ରୀମନ୍ଦିର ପରିଚାଳନା କମିଟି ଗଠନ ହୋଇ ପାରି ନଥିବାରୁ ବିଜେଡି ମଧ୍ୟ ବିଜେପି ସରକାର ଉପରେ ବର୍ଷିଛି । ରାଜ୍ୟରେ ଡବଲ ଇଞ୍ଜିନ ସରକାର ଆସିଲା ପରେ ଓଡ଼ିଆ ଅସ୍ମିତା କୁଆଡ଼େ ଗଲା ବୋଲି ପ୍ରଶ୍ନ କରିଛି ବିଜେଡି । ବିଧାୟକ ସାରଦା ଜେନା ପଚାରିଛନ୍ତି, ବିନା ପରିଚାଳନା କମିଟିରେ କେମିତି ରଥଯାତ୍ରାର ଠିକ୍ ପରିଚାଳନା ହେବ ।
ଓଡ଼ିଆ ଅସ୍ମିତା ନାରା ଦେଇ ବିଜେପି ସରକାରକୁ ଆସିବା ପରେ ସେହି ଅସ୍ମିତା ନାରାକୁ ଭୁଲି ଯାଇଛି । ୧୧ ମାସର ବିଜେପି ସରକାର ବିଭିନ୍ନ କ୍ଷେତ୍ରରେ ଫେଲ ମାରିଛି । ଜଗତର ନାଥ ଜଗନ୍ନାଥ ଓଡ଼ିଆ ଅସ୍ମିତାର ବଡ଼ ପରିଚୟ ହୋଇଥିବାରୁ ରାଜ୍ୟ ସରକାର ତୁରନ୍ତ ଶ୍ରୀମନ୍ଦିର ପରିଚାଳନା କମିଟି ଗଠନ କରନ୍ତୁ ବୋଲି ଦାବି କରିଛନ୍ତି ବିରୋଧୀ । ଏହି ପ୍ରସଙ୍ଗରେ ବ୍ୟାକ୍ ଫୁଟରେ ରାଜ୍ୟ ସରକାର ।