ବିଶ୍ବପ୍ରସିଦ୍ଧ ରଥଯାତ୍ରା ପାଇଁ ଆରମ୍ଭ ହେଲାଣି ପ୍ରସ୍ତୁତି, ରଥ କାଠ ନିମନ୍ତେ ହେବ ଗଛକଟା ଅନୁକୂଳ

ପୁରୀ : ବିଶ୍ବପ୍ରସିଦ୍ଧ ରଥଯାତ୍ରା ପାଇଁ ପ୍ରସ୍ତୁତ ହେଲାଣି ଶ୍ରୀମନ୍ଦିର ପ୍ରଶାସନ । ରଥ କାଠ ନିମନ୍ତେ ଗଛକଟା ଅନୁକୂଳ ପାଇଁ ଆଜି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ନୟାଗଡ଼ ଅଭିମୁଖେ ଯାତ୍ରା କରିବ ସ୍ବତନ୍ତ୍ର ଟିମ । ଟିମରେ ଶ୍ରୀମନ୍ଦିର ରଥ ତତ୍ତ୍ବାବଧାରକ, ରଥ ଅମିନ ଓ ଭୋଇ ସର୍ଦ୍ଦାର ଯିବାକୁ ଥିବାବେଳେ ଅନୁକୂଳ ନିମନ୍ତେ ସାଙ୍ଗରେ ମହାପ୍ରଭୁଙ୍କ ଲାଗି ମାଳମହାର୍ଦ୍ଦ, ଖଣ୍ଡୁଆ, ଧୂପଦୀପ, ନଡ଼ିଆ ପ୍ରଭୃତି ନିଆଯିବ ।

ପରମ୍ପରା ଅନୁଯାୟୀ ରଥକାଠ ନିମନ୍ତେ ଗଛ କଟାଯିବା ପୂର୍ବରୁ ଗଛ ଚି଼ହ୍ନଟ ହୋଇ ଗଣିଆର ବଡରାଉଳ ଠାକୁରାଣୀଙ୍କ ନିକଟରେ ପୂଜାର୍ଚ୍ଚନା ଓ ହୋମଯଜ୍ଞ ହୋଇ ଗଛକଟା ଅନୁକୂଳ କରାଯିବ । ପରେ ଆବଶ୍ୟକୀୟ ଗଛ କଟାଯାଇ ନୟାଗଡ଼ ବନବିଭାଗ ଶ୍ରୀମନ୍ଦିର ପ୍ରଶାସନ ନିକଟକୁ ପଠାଇବ । ତେବେ ରଥ ସହିଁତା ଅନୁଯାୟୀ ତିନି ରଥ ନିର୍ମାଣ ଲାଗି ମୋଟ ୮୬୫ ଖଣ୍ଡ କାଠ ଆବଶ୍ୟକତା ରହିଥିବା ବେଳେ ଗତ ବର୍ଷର ୫୩ ଖଣ୍ଡ କାଠ ବଳକା ରହିଛି । ଆବଶ୍ୟକୀୟ ମୋଟ ୮୧୨ ଖଣ୍ଡ କାଠ ଚି଼ହ୍ନଟ କରିବ ଟିମ । ଯାହାକୁ ପର୍ଯ୍ୟାୟ କ୍ରମେ ବନବିଭାଗ ପକ୍ଷରୁ ଶ୍ରୀମନ୍ଦିର ନିକଟକୁ କଟାଯାଇ ପଠାଯିବ ।