ଜଙ୍ଗଲ ସୁରକ୍ଷାରେ ଲାଗିଛନ୍ତି ମହିଳା, ଗଛ ବଞ୍ଚାଇବା ସହ ରୋକୁଛନ୍ତି ଅଗ୍ନିକାଣ୍ଡ

ଜୟପୁର: ବଢିଲାଣି ତାତି । ଗ୍ରୀଷ୍ମ ଋତୁ ଆସିଲେ ଜଙ୍ଗଲ ନିଆଁ ସୃଷ୍ଟି କରେ ଆତଙ୍କ । କିନ୍ତୁ ଏହାର ସୁରକ୍ଷା ଦେବାକୁ ଆଗେଇ ଆସିଛନ୍ତି ମହିଳା । ଗତ କିଛିବର୍ଷ ହେଲା ଓଡିଶାର ବିଭିନ୍ନ ଜଙ୍ଗଲରେ ନିଆଁ ଲାଗୁଥିବା ଖବର ଆସୁଥିଲେ ସୁଦ୍ଧା କୋରାପୁଟ ଜିଲ୍ଲାରେ ଏହି ଆଶଂକା କମ ରହିଛି । କାରଣ ଏଠାରେ ଗ୍ରାମ ଜଙ୍ଗଲ ସୁରକ୍ଷା ସମିତି ଓ ଏସଏଚଜି ଗ୍ରୁପ ମିଳିତ ଉଦ୍ଯମ ଯୋଗୁଁ ଏପରି ଜଙ୍ଗଲକୁ ମିଳୁଛି ସୁରକ୍ଷା ।

ଜଙ୍ଗଲ ସୁରକ୍ଷାରେ ଲାଗିଛନ୍ତି ମହିଳା । ଗଛ ବଞ୍ଚାଇବା ସହ ଅଗ୍ନିକାଣ୍ଡ ରୋକୁଛନ୍ତି ମହିଳା । ଗ୍ରାମ ଜଙ୍ଗଲ ସୁରକ୍ଷା ସମିତି ସହଯୋଗରେ ମହିଳାମାନେ ସଜାଗ ପ୍ରହରୀ ସାଜିଛନ୍ତି । ପ୍ରାକୃତିକ ସମ୍ପଦ ଓ ଜଙ୍ଗଲ ଭରା କୋରାପୁଟ ଜିଲ୍ଲା । ଏହି ଜିଲ୍ଲାରେ ୭୦ ଭାଗ ଲୋକ ଜଙ୍ଗଲ ଉପରେ ନିର୍ଭର କରନ୍ତି । ହେଲେ ଖରାଦିନ ଆସିଲେ ଜଙ୍ଗଲ ନିଆଁ ଆତଙ୍କ ସୃଷ୍ଟି କରେ । ସେଥିପାଇଁ ଜଙ୍ଗଲ ସୁରକ୍ଷା ଦିଗରେ ମହିଳାମାନେ ଆଗକୁ ଆସିଛନ୍ତି । ଗ୍ରାମ୍ଯ ଜଙ୍ଗଲ ସୁରକ୍ଷା ସମିତି ମାଧ୍ୟମରେ ଜଙ୍ଗଲକୁ ସୁରକ୍ଷା ଦେଉଛନ୍ତି ବିଭିନ୍ନ ସ୍ବୟଂ ସହାୟକ ଗୋଷ୍ଠୀ । ପ୍ରତିବର୍ଷ ବନ ବିଭାଗ ପକ୍ଷରୁ ଏସଏଚଜି ଗୃପ ଓ ଗ୍ରାମ୍ଯ ଜଙ୍ଗଲ ସୁରକ୍ଷା ସମିତିର ସଦସ୍ଯ ମାନଙ୍କୁ ତାଲିମ ଦିଆଯାଉଛି ।

କୋରାପୁଟ ଜିଲ୍ଲା ବନ ବିଭାଗ ଏହି କାମରେ ମହିଳା ମାନଙ୍କୁ ନିଯୋଜିତ କରି ଜଙ୍ଗଲକୁ ବଞ୍ଚାଇବାରେ ଅନେକାଂଶରେ ସକ୍ଷମ ହୋଇଛନ୍ତି । ଏଥିପାଇଁ ତାଲିମ ସହ ସମସ୍ତ ସହଯୋଗ ଯୋଗାଇ ଦିଆଯାଉଥିବା କହିଛନ୍ତି ଜିଲ୍ଲା ବନଖଣ୍ଡ ଅଧିକାରୀ । ଆଧୁନିକ ଜ୍ଞାନ କୌଶଳ ଦ୍ବାରା କୋରାପୁଟ ଜିଲ୍ଲାର ଜଙ୍ଗଲକୁ ସୁରକ୍ଷା ଦିଆଯାଉଛି । କିଛି ଲୋକ ଜଙ୍ଗଲରେ ନିଆଁ ଲଗାଇ ପଶୁ ଶିକାର କରିବା ସହିତ ଜାଳେଣୀ ପାଇଁ ନିଆଁ ଲଗାଇଦେଉଥିବା ଅଭିଯୋଗ ହୋଇଛି ।

ଗଛକୁ ସୁରକ୍ଷା ଦେବା ସହ ଜଙ୍ଗଲ ଲୁଟେରାଙ୍କ କବଳରୁ ସୁରକ୍ଷା ଦେଉଛନ୍ତି ସ୍ବୟଂ ସହାୟକ ଗୋଷ୍ଠୀ । ଏଥିପାଇଁ ବନ ବିଭାଗ ପକ୍ଷରୁ ସେମାନଙ୍କୁ ପୁରସ୍କୃତ କରାଯାଉଛି ।