ରାଜ୍ୟସଭାରେ ପାରିତ ହେଲା ମହିଳା ସଂରକ୍ଷଣ ବିଲ୍, ସପକ୍ଷରେ ପଡ଼ିଲା ୨୧୫ ଭୋଟ୍

1 min read

ନୂଆଆଦିଲ୍ଲୀ: ରାଜ୍ୟସଭାରେ ପାରିତ ହେଲା ମହିଳା ସଂରକ୍ଷଣ ବିଲ୍ (ନାରୀ ଶକ୍ତି ବନ୍ଦନ ଅଧିନିୟମ) । ଆଜି ଗୃହରେ ଉପସ୍ଥିତ ଥିବା ସମସ୍ତ ସାଂସଦ ବିଲ୍ ସପକ୍ଷରେ ଭୋଟ୍ ଦେଇଛନ୍ତି । ବିଲ୍ ସପକ୍ଷରେ ପଡ଼ିଛି ୨୧୫ ଭୋଟ । ବିଲ୍ ବିରୋଧରେ ଗୋଟିଏ ବି ଭୋଟ ପଡ଼ିନାହିଁ । ସର୍ବସମ୍ମତି କ୍ରମେ ରାଜ୍ୟସଭାରେ ବିଲ୍ ପାରିତ ହୋଇଛି । ଲୋକସଭା ଏବଂ ଏବଂ ବିଧାନସଭାରେ ମହିଳାଙ୍କ ପାଇଁ ୩୩ ପ୍ରତିଶତ ସଂରକ୍ଷଣ ଦେବାର ରାସ୍ତା ଏବେ ଫିଟିଯାଇଛି । ଏହାକୁ ଲାଗୁ କରିବା ପାଇଁ ଲୋକସଭା ଏବଂ ରାଜ୍ୟସଭାରେ ଏହି ବିଲକୁ ଦୁଇ-ତୃତୀୟାଂଶ ବହୁମତରେ ପାରିତ ହେବାର ଆବଶ୍ୟକତା ଥିଲା । ଯାହାକି ପାରିତ ହୋଇଯାଇଛି ।

ଏବେ ରାଷ୍ଟ୍ରପତିଙ୍କ ଦସ୍ତଖତ ପରେ ଏହା ଆଇନରେ ପରିଣତ ହେବ । ବିଲକୁ ରାଷ୍ଟ୍ରପତିଙ୍କ ସ୍ବୀକୃତି ପାଇଁ ପଠାଯିବ । ଏହି ପ୍ରକ୍ରିୟା ପରେ ଜନଗଣନା କରାଯିବ ଏବଂ ଏହାପରେ ପରିସିମନର କାର୍ଯ୍ୟ ଆରମ୍ଭ କରାଯିବ । ଏହି ନିୟମ ଲାଗୁ ହେଉ ହେଉ ୨୦୨୯ ହୋଇଯିବ ବୋଲି ଆକଳନ କରାଯାଉଛି । ତେବେ ଗତକାଲି ଲୋକସଭାରେ ବିଲ୍ ପାରିତ ହୋଇଥିଲା । ବିଲ୍ ସପକ୍ଷରେ ୪୫୪ ଖଣ୍ଡ ଭୋଟ୍ ପଡିଥିବା ବେଳେ, ବିଲ୍ ବିରୋଧରେ ପଡ଼ିଥିଲା ମାତ୍ର ୨ଟି ଭୋଟ୍ । ବିଲ୍ ଆଇନରେ ପରିଣତ ହେବା ପରେ ୫୪୩ ସଦସ୍ୟ ବିଶିଷ୍ଟ ଲୋକସଭାରେ ମହିଳା ସାଂସଦଙ୍କ ସଂଖ୍ୟା ବୃଦ୍ଧି ପାଇ ୧୮୧ ହୋଇଯିବ । ଏବେ ମହିଳା ସାସଂଦଙ୍କ ସଂଖ୍ୟା ୮୨ ରହିଛି । ରାଜ୍ୟ ବିଧାନସଭାରେ ମଧ୍ୟ ମହିଳାଙ୍କ ପାଇଁ ୩୩ ପ୍ରତିଶତ ଆସନ ସଂରକ୍ଷିତ ହୋଇଯିବ ।