ପଦାରେ ପଡ଼ିଲା ବିଜେପି ନେତାଙ୍କ ନାରୀ ସୁରକ୍ଷାକୁ ନେଇ ଆଚରଣ ଓ ଉଚ୍ଚାରଣ

1 min read

ଭୁବନେଶ୍ବର: ବିଜେପି ନେତାଙ୍କ ନାରୀ ସୁରକ୍ଷା ଆଚରଣ ଓ ଉଚ୍ଚାରଣ ଏବେ ପଦାରେ ପଡ଼ିଛି I ଜଣେ ଯୁବତୀଙ୍କୁ ନାବାଳିକା ଥିବା ବେଳେ ଘର ଲୋକେ ୮୦ ହଜାର ଟଙ୍କାରେ ଟିଟିଲାଗଡ଼ ବିଧାୟକଙ୍କ ଶାଳକ ଅନୁପ ଅଗ୍ରୱାଲଙ୍କୁ ବିକ୍ରି କରିଦେଇଥିଲେ । ବିବାହ ବେଳେ ତାଙ୍କୁ ୧୪ ବର୍ଷ ଓ ଅନୁପକୁ ୪୦ ବର୍ଷ ହୋଇଥିଲା । ଟିଟିଲାଗଡ଼ ବିଧାୟକ ନବୀନ ଜୈନ, ତାଙ୍କ ସ୍ତ୍ରୀ ମମତା ଜୈନ ଓ ଅନ୍ୟ ପରିବାର ଲୋକଙ୍କ ଉପସ୍ଥିତିରେ ହରିଶଙ୍କର ମନ୍ଦିରରେ ଜୋରଜବରଦସ୍ତି ବିବାହ କରାଯାଇଥିଲା ବୋଲି ମହିଳା ଜଣକ ଅଭିଯୋଗ ଆଣିଛନ୍ତି । ବିବାହ ପରେ ତାଙ୍କୁ ନିର୍ଯାତନା ଦିଆଯିବା ସହ ଅନୈତିକ କାର୍ଯ୍ୟ କରିବାକୁ ଚାପ ପ୍ରୟୋଗ କରାଯାଉଥିଲା । ମହିଳା ରାଜି ନହେବାରୁ ବଢି ବଢି ଚାଲିଥିଲା ନିର୍ଯାତନା । ମହିଳାଙ୍କ ଗୁରୁତର ଅଭିଯୋଗ ପରେ ଏବେ ଅଡୁଆରେ ପଡିଛନ୍ତି ବିଜେପି ବିଧାୟକ ନବୀନ ଜୈନ ।

ବିଜେପି ଶାସନରେ ମହିଳା କେତେ ସୁରକ୍ଷିତ ଏହା ହେଉଛି ତାହାର ଏକ ଉଦାହରଣ । ବିଜେପି ନେତା ତଥା ଟିଟିଲାଗଡ଼ ବିଧାୟକ ନବୀନ ଜୈନଙ୍କ ଶାଳକ ଅନୁପ ଅଗ୍ରୱାଲଙ୍କୁ ୨୦୧୫ ଜୁନ ୭ ତାରିଖରେ ମହିଳାଙ୍କ ପରିବାର ଲୋକେ ୮୦ ହଜାର ଟଙ୍କାରେ ବିକ୍ରି କରିଦେଇଥିଲେ । ବିବାହ ବେଳେ ମହିଳା ଜଣକ ନାବାଳିକା ଥିଲେ ଓ ତାଙ୍କୁ ୧୪ ବର୍ଷ ହେଉଥିଲା, ଆଉ ଅନୁପକୁ ୪୦ ବର୍ଷ । ନାବାଳିକା ଥିବା ସମୟରେ ସେ କିଛି ଜାଣି ନଥିବା ସମୟରେ ତାଙ୍କୁ ନେଇ ହରିଶଙ୍କରରେ ବିବାହ କରିଦେଇଥିଲେ । ବିବାହ ପରେ ତାଙ୍କ ପ୍ରତି ସ୍ଵାମୀ ଓ ସମ୍ପର୍କୀୟଙ୍କ ଅତ୍ୟାଚାର ବଢ଼ିଥିଲା । ଦୁଇ ବର୍ଷ ପରେ ଏକ ଶିଶୁକନ୍ୟା ଜନ୍ମ ହୋଇଥିଲା । ତା’ପରେ ଅତ୍ୟାଚାର ଆହୁରି ବଢ଼ିଥିଲା । ପ୍ରାୟ ସମୟରେ ସ୍ଵାମୀ ଅନୁପ ମଦ୍ୟପାନ କରି ଘରକୁ ଆସୁଥିଲେ ଓ ମାରଧର କରୁଥିଲେ । ପ୍ରତିବାଦ କଲେ ସ୍ୱାମୀଙ୍କ ସହ ମିଶି ନବୀନ ଏବଂ ତାଙ୍କ ପତ୍ନୀ ତଥା ଟିଟିଲାଗଡ଼ ପୌରପାଳିକା ଅଧ୍ୟକ୍ଷା ମମତା ଜୈନ ବି ତାଙ୍କୁ ନିର୍ଯାତନା ଦେଉଥିଲେ ବୋଲି ଅଭିଯୋଗ ଆଣିଛନ୍ତି ମହିଳା । ତାଙ୍କୁ କମ୍ ବୟସରେ ଅନୁପକୁ ବିକ୍ରି କରି ବିବାହ କରାଇବା ପଛରେ ତାଙ୍କ ଭିଣୋଇ ଚିତରଞ୍ଜନ ବରାଡର ହାତ ଥିବା ମହିଳା ଜଣଙ୍କ ଅଭିଯୋଗ କରିଛନ୍ତି । ଏନେଇ ସେ ବଲାଙ୍ଗୀର ଟାଉନ୍ ଥାନାରେ ଏତଲା ଦେଇଛନ୍ତି । ବିଜେପିର କିଛି ପ୍ରଭାବଶାଳୀ ବ୍ୟକ୍ତିଙ୍କ ଚାପରେ ପୋଲିସ କାର୍ଯ୍ୟାନୁଷ୍ଠାନ ନେଉନି ବୋଲି ସେ ଅଭିଯୋଗ କରିଛନ୍ତି । ସ୍ଵାମୀ ଓ ଭିଣୋଇ ତାଙ୍କୁ ହତ୍ୟା କରିବାକୁ ଷଡଯନ୍ତ୍ର କରୁଥିବା ମଧ୍ୟ ସେ ଅଭିଯୋଗ କରିଛନ୍ତି ।

ମହିଳାଙ୍କ ପ୍ରତି ହୋଇଥିବା ଅତ୍ୟାଚାର ନନ୍ଦିଘୋଷ ଟିଭିରେ ପ୍ରସାରିତ ହେବା ପରେ ଘଟଣାକୁ ତଦନ୍ତ ଆରମ୍ଭ କରିଛି ବଲାଙ୍ଗୀର ଟାଉନ୍ ପୋଲିସ । ଆଜି ମହିଳାଙ୍କୁ ଥାନାକୁ ଡାକି ପଚରାଉଚୁରା କରିଛନ୍ତି ବରିଷ୍ଠ ପୋଲିସ ଅଧିକାରୀ । ଦୀର୍ଘ ସମୟ ଧରି ମହିଳାଙ୍କୁ ପଚରାଉଚରା କରିଥିଲା ଟାଉନ୍ ପୋଲିସ । ମହିଳା ଜଣକ ତାଙ୍କ ଜୀବନପ୍ରତି ବିପଦ ଥିବା ନେଇ ଅଭିଯୋଗ କରିଛନ୍ତି । ମହିଳାଙ୍କ ଅଭିଯୋଗକୁ ଖଣ୍ଡନ କରିଛନ୍ତି ନବୀନ ଜୈନ । ସେ ମହିଳାଙ୍କୁ ଚିହ୍ନି ନଥିବା କହିଛନ୍ତି । ତାଙ୍କ ଶଳା ଜଣେ ମଦ୍ୟପ ବ୍ୟକ୍ତି ସେ ନିଶା ନିବାରଣ କେନ୍ଦ୍ରରେ ଚିକିତ୍ସିତ ହେଉଥିବା ନେଇ ଫୋନରେ ସୂଚନା ଦେଇଛନ୍ତି ବିଧାୟକ ।