ରାସ୍ତାରେ ଚୁଲି ଫୁଙ୍କିଲେ ବିଜେଡ଼ି ନେତ୍ରୀ, ସବୁଠି କଲେ ଦରବୃଦ୍ଧି ପ୍ରତିବାଦ

ଭୁବନେଶ୍ୱର: ରବିବାର ରାଜଭବନ ସମ୍ମୁଖରେ ପ୍ରତିବାଦ କରିଥିଲେ, ସୋମବାର ରାଜରାସ୍ତାରେ ପ୍ରତିବାଦ  । ଗ୍ୟାସ ଏବଂ ତୈଳ ଦରର ଅହେତୁକ ବୃଦ୍ଧି ପ୍ରତିବାଦକୁ ବ୍ୟାପକ କରିଛି ବିଜେଡ଼ି  । ରାଜ୍ୟର ଅନେକ ଅଞ୍ଚଳରେ ବିଜେଡ଼ିର ମହିଳା ନେତ୍ରୀମାନେ ପ୍ରତିବାଦ ଜାରି ରଖିଛନ୍ତି  । କେନ୍ଦ୍ର ସରକାରଙ୍କ ବେଲଗାମ୍ ଦର ବୃଦ୍ଧି ଫଳରେ ଖାଉଟି ହନ୍ତସନ୍ତ ହେଉଛନ୍ତି  । ନିମ୍ନ ମଧ୍ୟବିତ ପରିବାର ଦର ବୃଦ୍ଧି ଯନ୍ତ୍ରଣାରେ ଛଟପଟ ହେଉଛନ୍ତି  । ଫଳରେ ଏହି ମୁଦ୍ଦାକୁ ଆଜି ରାଜ୍ୟବ୍ୟାପୀ ବିଜେଡ଼ି ପକ୍ଷରୁ ଆନ୍ଦୋଳନର ଡାକରା ଦିଆଯାଇଛି  ।

ଆଜି ମହିଳା ବିଜେଡି ନେତା ଓ କର୍ମୀ ରାଜ୍ୟର ସବୁ ନିର୍ବାଚନମଣ୍ଡଳୀରେ ପ୍ରତିବାଦ କରୁଛନ୍ତି । ହୁ ହୁ ହୋଇ ବଢ଼ି ଚାଲିଥିବା ତୈଳ ଓ ଗ୍ୟାସ ଦରକୁ ବିରୋଧ କରାଯାଉଛି । ଭୁବନେଶ୍ବର ଉତ୍ତର ନିର୍ବାଚନମଣ୍ଡଳୀରେ ବିଜୁ ମହିଳା ଜନତା ଦଳ ପକ୍ଷରୁ ପେଟ୍ରୋଲ, ଡିଜେଲ ଓ ଗ୍ୟାସର ଦର ବୃଦ୍ଧି ପ୍ରତିବାଦରେ ଆଇଓସିଏଲ କାର୍ଯ୍ୟାଳୟ ସମ୍ମୁଖରେ ପ୍ରତିବାଦ, ଧାରଣା ଓ ବିକ୍ଷୋଭ କରାଯାଇଛି । ବିଧାୟକ ସୁଶାନ୍ତ ରାଉତଙ୍କ ନେତୃତ୍ୱରେ ଶତାଧିକ ମହିଳା ଉପ ଜିଲ୍ଲାପାଳଙ୍କୁ ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ଦାବି ପତ୍ର ପ୍ରଦାନ କରାଯାଇଛି ।

ସେହିପରି ବ୍ରହ୍ମପୁର, ବାଲେଶ୍ୱର, କଟକ, ରାଉରକେଲା, ସମ୍ବଲପୁର, ଯାଜପୁର ଆଦି ସହରରେ ମଧ୍ୟ ବିଜେଡ଼ିର ଛାମୁଆ ମହିଳା ନେତ୍ରୀ ପ୍ରତିବାଦ ଚଳାଇଛନ୍ତି  । କେନ୍ଦ୍ରର ବିରୋଧରେ ବିଜେଡ଼ି ଦେଇଥିବା ଏହି ରଣହୁଙ୍କାର ରାଜ୍ୟର ପ୍ରତି ନିର୍ବାଚନ ମଣ୍ଡଳୀରେ ପ୍ରତିବାଦ କରିବ ବୋଲି କହିଛି ଦଳ  ।  ଆଗାମୀ ଦିନରେ ମଧ୍ୟ ବିକ୍ଷୋଭ ଏବଂ ପ୍ରତିବାଦ ଜାରି ରହିବ  । ଆସନ୍ତା ୫ରୁ ୭ତାରିଖ ଯାଏଁ ସବୁ ପେଟ୍ରୋଲ ପମ୍ପ ଆଗରେ ବିକ୍ଷୋଭ ପ୍ରଦର୍ଶନ କରିବ ଯୁବ ଓ ଛାତ୍ର ବିଜେଡି ।

 

Leave a Reply