ମହିଳାଙ୍କ ଡିମ୍ବାଶୟ କଢା ଗଲେ ହେଉଛି ଭୁଲା ରୋଗ

1 min read

ନୂଆଦିଲ୍ଲୀ: ମହିଳାଙ୍କ ଡିମ୍ବାଶୟ କଢା ଗଲେ ହେଉଛି ଆଲଝାଇମର୍ସ ବା ଭୁଲା ରୋଗ । ମହିଳାଙ୍କ ଶରୀରରେ ଇ-୪ କୁହାଯାଉଥିବା ଆପୋଲିପୋ ପ୍ରୋଟିନ୍ ସକ୍ରିୟ ହେବା ଫଳରେ ଭୁଲା ରୋଗ ଆକ୍ରାନ୍ତ କରୁଛି । କାନାଡାରା ଟରଣ୍ଟୋ ଓ ଅଲବର୍ଟା ବିଶ୍ବବିଦ୍ୟାଳୟର ବୈଜ୍ଞାନିକ ଏହି ନୂଆ ତଥ୍ୟ ଆବିଷ୍କାର କରିଛନ୍ତି । ୨୦୫୦ ବେଳକୁ ବିଶ୍ବରେ କୋଟିଏ ୨୭ ଲକ୍ଷ ଲୋକ ଆଲଝାଇମର୍ସ ରୋଗରେ ଆକ୍ରନ୍ତ ହେବେ । ସେଥିରୁ ଦୁଇ ତୃତୀୟାଂଶଙ୍କ ସଂଖ୍ୟା ମହିଳା ହେବ ବୋଲି ଆକଳନ କରାଯାଇଛି ।

ପୁରୁଷଙ୍କ ଅପେକ୍ଷା ମହିଳାଙ୍କୁ ହୋଇପାରେ ଅଧିକ ଆଲଝାଇମର୍ସ ରୋଗ । ୫୦ ବର୍ଷରୁ କମ୍ ବୟସର ମହିଳାଙ୍କର ଡିମ୍ବାଶୟ କଢା ଯିବା ପରେ ସେହି ମହିଳା ୬୦ ବର୍ଷ ହେବା ପରେ ଭୁଲା ରୋଗର ଶିକାର ହେଉଛନ୍ତି । ଆଉ ଏଥିପାଇଁ ଦାୟୀ ହେଉଛି ଆପୋଲିପୋ ପ୍ରୋଟିନ୍ ବା ଇ-୪ ସକ୍ରିୟ ହେବା । କାନାଡାର ଟରଣ୍ଟୋ ଓ ଅଲବର୍ଟା ବିଶ୍ବବିଦ୍ୟାଳୟର ବୈଜ୍ଞାନିକ ଏପରି ନୂଆ ତଥ୍ୟ ଉଜାଗର କରିଛନ୍ତି ।

ବିଶେଷଜ୍ଞଙ୍କ ମତ, ଭାରତୀୟ ଚିକିତ୍ସା ଅଧିନିୟମ ଅନୁଯାୟୀ ମହିଳାଙ୍କର ଗର୍ଭାଶୟ ଜନିତ କର୍କଟ ରୋଗ ଦେଖା ଦେଲେ ଗର୍ଭାଶୟ ସହିତ ଉଭୟ ଫଲୋପିଆନ୍ ଟ୍ୟୁବ୍ ଅସ୍ତ୍ରୋପଚାର କରି କଢା ଯିବାର ନିୟମ ରହିଛି । କୌଣସି ବି ସ୍ଥିତିରେ ଟିକିଏ ବି ସୁସ୍ଥ ଥିବା ଡିମ୍ବାଶୟ କଢାଯାଏନି । କିନ୍ତୁ ଯଦି ଡିମ୍ବାଶୟରେ ଟ୍ୟୁମର କିମ୍ବା କର୍କଟ ରୋଗ ଦେଖାଦିଏ ତା’ହେଲେ ସମ୍ପୃକ୍ତ ରୋଗୀ ଓ ତାଙ୍କ ପରିବାରର ସହମତି ଆଧାରରେ କଢା ଯାଇଥାଏ । ମହିଳାଙ୍କ ଦେହରେ ଥିବା ଦୁଇଟି ଡିମ୍ବାଶୟ ମୁଖ୍ୟତଃ ଏଷ୍ଟ୍ରନ୍, ଏଷ୍ଟ୍ରାଡାୟାଲ ଓ ଏଷ୍ଟ୍ରାୟାଲ ହରମୋନ କ୍ଷରଣ କରିଥାନ୍ତି । ଯାହାଙ୍କୁ ଇଂରାଜୀରେ ଇ-ଓ୍ବାନ୍, ଇ-ଟୁ ଓ ଇ-୩ ଭାବେ ନାମିତ କରାଯାଇଛି । ସେଥିରୁ ମହିଳାଙ୍କ ପ୍ରଜନନ କ୍ଷମତା ପାଇଁ କାମ କରେ ଇ-ଟୁ । ବାକି ଦୁଇଟି ଯାକ ହରମୋନ୍ ଶରୀରର ଅନ୍ୟ ଅଂଶରୁ ବି ସଂଗୃହୀତ ହୋଇଥାଏ । ଅଳସୁଆ ହୋଇ ବସି ରହିଲେ ଯେ କୌଣସି ବ୍ୟକ୍ତି ଭୁଲା ରୋଗର ଶିକାର ହୋଇପାରନ୍ତି । ଯଦି କୌଣସି ମହିଳାଙ୍କର ଡିମ୍ବାଶୟ କଢା ଯାଇଥାଏ ତା’ହେଲେ ସେହି ମହିଳାଙ୍କ ହରମୋନ ସନ୍ତୁଳନ ପାଇଁ ତାଙ୍କୁ ହରମୋନ ପରିପୂରଣ ଚିକିତ୍ସା- ଏଚ୍ଆରଟି ଦେବାର ବ୍ୟବସ୍ଥା ଉପଲବ୍ଧ ଅଛି ।

ପୁରୁଷଙ୍କ ତୁଳନାରେ କାହିଁକି ମହିଳା ଆଲଝାଇମର୍ସ ରୋଗରେ ପଡନ୍ତି ତାର ନିର୍ଦ୍ଦିଷ୍ଟ କାରଣ ଏ ପର୍ଯ୍ୟନ୍ତ ଜଣାପଡ଼ିନି । ଗବେଷଣା ଅନୁଯାୟୀ, ୨୦୫୦ ବେଳକୁ ବିଶ୍ବରେ ୧ କୋଟି ୨୭ ଲକ୍ଷ ଲୋକ ଆଲ୍ଝାଇମର୍ସ ରୋଗରେ ପୀଡ଼ିତ ହେବେ । ସେଥିରୁ ମହିଳାଙ୍କ ସଂଖ୍ୟା ଦୁଇ ତୃତୀୟାଂଶ ରହିବ ବୋଲି ଆକଳନ କରାଯାଇଛି । ଡିମ୍ବାଶୟ କଢାଯିବା ପରେ ସମ୍ପୃକ୍ତ ମହିଳା ଅଧିକ ଚିଡିଚିଡ଼ା ସ୍ବଭାବ କରିଥାନ୍ତି । ଏହାସହିତ ତାଙ୍କର ହାଡ଼ ଦୁର୍ବଳ ହେବା ସହ ଅସ୍ଥିକ୍ଷୟ ରୋଗ ଦେଖାଦେଇଥାଏ । ସମ୍ପୃକ୍ତ ମହିଳାଙ୍କୁ ଶୀତଦିନେ ବି ଅଧିକ ଗରମ ଅନୁଭୁତ ହୋଇଥାଏ । ସ୍ତ୍ରୀ ରୋଗ ବିଶେଷଜ୍ଞଙ୍କ ମତରେ ଏପରି ରୋଗୀଙ୍କୁ ସୁସ୍ଥ ପରିବେଶ ସହିତ ମାନସିକ ଗ୍ଲାନିରୁ ଦୂରରେ ରଖିବା ଦରକାର । କୌଣସି ବି ପରିସ୍ଥିତିରେ ଏହି ରୋଗୀ ଯେପରି ଏକୁଟିଆ ଅନୁଭବ ନ କରନ୍ତି ସେଥିପ୍ରତି ଧ୍ୟାନ ଦିଆଯିବା ଦରକାର । ନହେଲେ ସେ ଆତ୍ମହତ୍ଯା କରିଦେବାର ଆଶଂକା ମଧ୍ଯ ରହିଛି ।

ବୈଜ୍ଞାନିକଙ୍କ ମତ, ଡିମ୍ବାଶୟ କଢ଼ା ଯାଇଥିବା ମହିଳାଙ୍କୁ ଯଦି ନିୟମିତ ଏଷ୍ଟ୍ରୋଜେନ୍ ଥେରାପିରେ ରଖାଯାଏ, ତାହେଲେ ଆଲଝାଇମର୍ସ ରୋଗରୁ ସେମାନଙ୍କୁ ସୁରକ୍ଷା ମିଳିପାରିବ ।