‘ରାଜ୍ୟରେ ଅସୁରକ୍ଷିତ ମହିଳା, ନାରୀ ନିର୍ଯାତନା ବଢିବଢି ଚାଲିଥିବା ବେଳେ ଶୋଇଛନ୍ତି ସରକାର’

ଭୁବନେଶ୍ବର : ବାଲେଶ୍ବରରୁ ବଳଙ୍ଗା । ସବୁଠି ମହିଳା ନିର୍ଯାତନାର ଶିକାର ହୋଇ ମାଗୁଛି ନ୍ୟାୟ । ରାଜଧାନୀ ରାଜରାସ୍ତାରେ ବି ଅସୁରକ୍ଷିତ ମହିଳା । ପ୍ରତ୍ୟେକ ଦିନ ଦୁଷ୍କର୍ମ, ହତ୍ୟା, ଅସଦାଚରଣ ଅଭିଯୋଗର ଲମ୍ବା ଫର୍ଦ୍ଦ । ଘରେ କି ବାହାରେ କେଉଁଠି ବି ସୁରକ୍ଷିତ ନୁହେଁ ମହିଳା । ଓଡିଶାରେ ମହିଳା ନିର୍ଯାତନା ଦେଶ ଓ ବିଦେଶରେ ଚର୍ଚ୍ଚାର ବିଷୟ । ସାଧାରଣ ଜନତା ଠାରୁ ଆରମ୍ଭ କରି ସୁପ୍ରିମକୋର୍ଟ ଯାଏ ମହିଳା ନିର୍ଯାତନା ନେଇ ସମସ୍ତେ ଚିନ୍ତିତ । ହେଲେ ସରକାର ଚୁପ ଓ ନିରବଦ୍ରଷ୍ଟା । ଓଡିଶାରେ ବିଜେପି ସରକାର ଆସିବା ଦିନଠାରୁ ରାଜ୍ୟରେ ମହିଳା ବଢିଚାଲିଥିବାରୁ ରାଜରାସ୍ତାକୁ ଓହ୍ଲାଇଛି ବିଜେଡି । ମହିଳାମାନଙ୍କୁ ନ୍ୟାୟ ଦେବା ପାଇଁ ଦଳ ସବୁ ଫୋରମରେ ଲଢେଇ ଜାରି ରଖିଛି । ପ୍ରତିବାଦ, ଆନ୍ଦୋଳନ କରି ସରକାରଙ୍କ ଉପରେ ଚାପ ପକାଇଛି । ଆଗକୁ ଏ ପ୍ରସଙ୍ଗକୁ ନେଇ ଲମ୍ବା ଲଢେଇ ଜାରି ରହିବ ବୋଲି ବିରୋଧୀ ଦଳ ଉପ ମୁଖ୍ୟ ସଚେତକ ପ୍ରତାପ ଦେବ କହିଛନ୍ତି । ସେପଟେ ରାଜ୍ୟରେ ମହିଳା ନିର୍ଯାତନା ବୃଦ୍ଧି ପାଇଥିବାରୁ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଛି କଂଗ୍ରେସ । ନାରୀ ନିର୍ଯାତନା ବଢିବଢି ଚାଲିଥିବାରୁ ତୁରନ୍ତ ରାଜ୍ୟ ସରକାର ବିଧାନସଭା ଅଧିବେଶନ ଡାକିବାକୁ ଦଳ ଦାବି କରିଛି ।
ବିରୋଧୀଙ୍କ ଅଭିଯୋଗର କଡ଼ା ଜବାବ ଦେଇଛି ବିଜେପି । ଦଳୀୟ ବିଧାୟକ ସରୋଜ ପାଢୀ କହିଛନ୍ତି କଂଗ୍ରେସ ନାରୀ ନିର୍ଯାତନା ପ୍ରସଙ୍ଗରେ କହିବାର ଅଧିକାର ନାହିଁ । ଛାତ୍ର କଂଗ୍ରେସ ସଭାପତି ନାରୀ ନିର୍ଯାତନା ମାମଲାରେ ଗିରଫ ହୋଇଛନ୍ତି । ଅନ୍ଯପଟେ ବିଜେପି ଅଭିଯୋଗର କଡା ଜବାବ ଦେଇଛନ୍ତି କଂଗ୍ରେସ ମୁଖପାତ୍ର ନିଶିକାନ୍ତ ମିଶ୍ର । ବିଜେପି ସରକାରକୁ ଗାଦିଚ୍ୟୁତ ନକରିବା ଯାଏ କଂଗ୍ରେସ ଲଢେଇ ଜାରି ରଖିବ ବୋଲି ଦଳ କହିଛି । ମହିଳା ନିର୍ଯାତନା ରୋକିବାରେ ସରକାର ବିଫଳ ହୋଇଛନ୍ତି । ଦୁଇ ବିରୋଧୀ ସରକାରଙ୍କୁ ଏ ପ୍ରସଙ୍ଗରେ ଷଣ୍ଢୁଆସୀ ଆକ୍ରମଣ କରୁଥିବା ବେଳେ ଶାସକ ଦଳ ବି କଡା ଜାବବ ଦେଉଛି ।