ନଦୀରେ ବୁଡ଼ି ନିଖୋଜ ଛାତ୍ରଙ୍କୁ ଜୀବିତ ବାହାର କରିବା ନାଁରେ ମହିଳା ତାନ୍ତ୍ରିକଙ୍କ ଡ୍ରାମା

ଦରଭଙ୍ଗା: ଅସହାୟତାର ସୁଯୋଗ ନେଇ ତନ୍ତ୍ରମନ୍ତ୍ରର ମାୟାଜାଲରେ ଫସାଇଥାନ୍ତି ଭଣ୍ଡ ତାନ୍ତ୍ରିକ । ଆଉ ଅନ୍ଧବିଶ୍ବାସରେ ଅନ୍ଧ ମଣିଷ ଜୀ ହାଁ, ଜୀ ହାଁ କରି ସେଥିରେ ସାମିଲ ହୋଇଯାଇଥାନ୍ତି । ଏମିତି ଜଣେ ମହିଳା ଭଣ୍ଡ ତାନ୍ତ୍ରିକ ଏକ ସପ୍ତାହରୁ ଅଧିକ ହେବ ନିଖୋଜ ଛାତ୍ରଙ୍କୁ ନଦୀରୁ ଜୀବିତ ବାହାର କରିବାକୁ ଘଣ୍ଟା ଘଣ୍ଟା ଧରି ନଦୀ କୂଳରେ କରିଥିଲା ଡ୍ରାମା । ଯାହାକୁ ଦେଖିବାକୁ ରୁଣ୍ଡ ହୋଇଥିଲେ ଆଖପାଖ ଅଞ୍ଚଳର ଶହ ଶହ ଲୋକ ।

ଘଟଣା ବିହାର ଦରଭଙ୍ଗା ଅଞ୍ଚଳର । ଗତ ୨୧ରେ ଏକ ଡଙ୍ଗା ବୁଡ଼ି ଘଟଣାରେ ନିଖୋଜ ଛାତ୍ରଙ୍କୁ ନଦୀରୁ ଜୀବିତ ବାହାର କରିବାକୁ  ଦାବି କରିଥିଲା ମହିଳା ତାନ୍ତ୍ରିକ କମଳା ବାଲନ । ତାନ୍ତ୍ରିକ ପୂରା ଟିମ୍ ସହ ନଦୀ କୂଳରେ କରିଥିଲା ତନ୍ତ୍ରମନ୍ତ୍ରର ଡ୍ରାମା ।

ପ୍ରଥମେ ନିଖୋଜ ଛାତ୍ରଙ୍କ ପରିବାର ଲୋକଙ୍କୁ ନଦୀରେ ବୁଡ଼ ପକାଇବାକୁ କହିଥିଲା । ସେମାନଙ୍କୁ ନଦୀ ବାଲିରେ ହାତ ଯୋଡ଼ି ବସାଇ ଦେଇଥିଲା । ଏହାପରେ ତାନ୍ତ୍ରିକ ଗ୍ୟାଙ୍ଗର ଅନ୍ୟ ସଦସ୍ୟ ଢୋଲ, ମୃଦଙ୍ଗ ବଜାଇ ନାଚିବାକୁ ଲାଗିଥିଲେ ।

ନଦୀକୂଳରେ ଆତ୍ମା ଥିବା କହି କମଳା ଡ୍ରାମା ଆରମ୍ଭ କରିଥିଲା । ଏହାପରେ ବି ନିଖୋଜ ଛାତ୍ର ନଦୀରୁ ନବାହାରିବାରୁ ନିଜେ ପାଣିରେ ପଶି ବୁଡ଼ ପକାଇବାକୁ ଲାଗିଥିଲା । ଦୁଇ ହାତକୁ ନଦୀ ପାଣିରେ ପଶାଇ ଛାତ୍ରଙ୍କୁ ବାହାର କରିବାକୁ ଉଦ୍ୟମ କରିବାର ନାଟକ କରିଥିଲା ।

 

 

ଏମିତି ଘଣ୍ଟା ଘଣ୍ଟା ବିତି ଯାଇଥିଲା । ଦେଖଣାହାରୀଙ୍କ ସଂଖ୍ୟା ବି ସମୟକୁ ତାଳ ଦେଇ ବଢ଼ିବାକୁ ଲାଗିଥିଲା । ସମସ୍ତଙ୍କ ନଜର କିନ୍ତୁ ନଈ ପାଣିରୁ ହଟୁ ନଥିଲା । ଚାତକ ପକ୍ଷୀ ପରି ସମେସ୍ତ ଅନାଇ ବସିଥିଲେ କେତେବେଳେ ନିଖୋଜ ଛାତ୍ର ନଦୀରୁ ଜୀବିତ ବାହାରକୁ ଆସିବ । ମଝିରେ ମଝିରେ କମଳା ମାତାଙ୍କ ଜୟ ଧ୍ବନୀ ମଧ୍ୟ ଦେଉଥିଲେ । ଶେଷରେ ଡ୍ରାମ ଧରାପଡ଼ିଯିବା ଜାଣି ଚମ୍ପଟ ମାରିବାକୁ ଯୋଜନା ଆରମ୍ଭ କରିଦେଲେ କମଳା ଓ ତାଙ୍କ ତନ୍ତ୍ରମନ୍ତ୍ର ଟିମ୍ । କାହିଁକି ଛାତ୍ର ବାହାରିଲେନି, ପୂଜାପାଠରେ କ’ଣ ସମସ୍ୟା ରହିଗଲା ଦେଖିବା କହି ତାନ୍ତ୍ରିକ ନିଜ ଟିମ୍ ସହ ସେଠୁ ଛୁ ମନ୍ତର ମାରିଥିଲା ।

ଘଣ୍ଟା ଘଣ୍ଟା ଗୁଣି ଗାରେଡିର ଏହି ଖେଳ ଚାଲିଥିଲେ ବି ସ୍ଥାନୀୟ ପୋଲିସ ସୂଚନା ପାଇନଥିଲା ।

ସୂଚନାଯୋଗ୍ୟ, ଗତ ୨୧ ତାରିଖରେ ନଦୀରେ ଡଙ୍ଗା ଦୁର୍ଘଟଣାରେ ୧୨ ଜଣ ଲୋକ ବୁଡ଼ି ଯାଇଥିଲେ । ୧୦ ଜଣଙ୍କୁ ଜୀବିତ ଉଦ୍ଧାର କରାଯାଇଥିବା ବେଳେ ୨ ଜଣ ଛାତ୍ର ନିଖୋଜ ଥିଲେ । ପରେ ଜଣେ ଛାତ୍ରଙ୍କ ମୃତଦେହ ଉଦ୍ଧାର ହୋଇଥିବା ବେଳେ ଅନ୍ୟ ଜଣଙ୍କ କୌଣସି ସନ୍ଧାନ ମିଳିନାହିଁ ।

Leave a Reply