ରାଜ୍ୟ ସରକାରଙ୍କ ସହଯୋଗରେ ମିଳିଛି ରୋଜଗାର: ମହିଳା ଆରମ୍ଭ କରିଛନ୍ତି ଷ୍ଟ୍ରବେରୀ ଚାଷ

କୋରାପୁଟ: ଉପାନ୍ତ ଅଞ୍ଚଳରେ ମହଙ୍ଗା ଫଳ । ଷ୍ଟ୍ରବେରୀ ଚାଷ କରି ସ୍ୱାବଲମ୍ୱୀ ହେଉଛନ୍ତି କୋରାପୁଟ ଜିଲ୍ଲାର କୋଟିଆ ପଞ୍ଚାୟତବାସୀ । ଆଦିବାସୀ ଉନ୍ନୟନ ସଂସ୍ଥାର ଏହି ପ୍ରୟାସ ଚାଷୀଙ୍କୁ ଅଧିକ ରୋଜଗାରକ୍ଷମ କରିବା ସହ ତାଙ୍କ ମୁହଁରେ ହସ ଫୁଟାଇଛି । ପଞ୍ଚାୟତର ପାହାଡିଆ ଡୋଲିଆମ୍ବ ଗାଁ ଏବେ ଷ୍ଟ୍ରବେରୀ ଚାଷ ପାଇଁ ଚର୍ଚ୍ଚାର ବିଷୟ ପାଲଟିଛି ।

ଚର୍ଚ୍ଚାରେ କୋରାପୁଟ ଜିଲ୍ଲାର କୋଟିଆ । ବିବାଦକୁ ନେଇ ନୁହେଁ । ରାଜ୍ୟ ସରକାରଙ୍କ ସହଯୋଗରେ ଲୋକଙ୍କୁ ମିଳିଛି ରୋଜଗାର । ପଞ୍ଚାୟତ ବିଭିନ୍ନ ଗାଁରେ ଥିବା ମହିଳାମାନଙ୍କ ସହଯୋଗରେ ଆରମ୍ଭ ହୋଇଛି ଷ୍ଟ୍ରବେରୀ ଚାଷ । ପଞ୍ଚାୟତର ପାହାଡିଆ ଡୋଲିଆମ୍ବ ଗାଁରେ ପୂର୍ବରୁ କେବଳ ଡଙ୍ଗର ଚାଷ ହେଉଥିଲା । ହେଲେ ଏଠାକାର ଥଣ୍ଡା ଜଳବାୟୁ ଷ୍ଟ୍ରବେରୀ ଚାଷ ହେବା ପାଇଁ ଅନୁକୂଳ ଥିବାରୁ କୋରାପୁଟ ଜିଲ୍ଲା ଆଦିବାସୀ ଉନ୍ନୟନ ସଂସ୍ଥା ଏଥିପାଇଁ ମହିଳାଙ୍କୁ ଦେଇଥିଲା ତାଲିମ । ୫ ଏକର ଜମିରେ ପ୍ରାୟ ୪୦ ହଜାରରୁ ଊର୍ଦ୍ଧ୍ୱ ଷ୍ଟ୍ରବେରୀ ଚାରା ଲଗାଇବା ସହ ଏହି ପ୍ରକଳ୍ପର ସମସ୍ତ ଖର୍ଚ୍ଚ ସଂସ୍ଥା ବହନ କରିଥିଲା । ଏବେ ଗଛରେ ଫଳ ଆସିଛି । ଏହାଦ୍ୱାରା ଗାଁର ୪୫ ଟି ପରିବାରର ପ୍ରାୟ ୩ଶହ ଜଣ ଉପକୃତ ହେବେ ।

ପ୍ରାୟ ୩୫ ଲକ୍ଷ ଟଙ୍କା ବ୍ୟୟରେ ଏହି ପ୍ରକଳ୍ପ ଆରମ୍ଭ ହୋଇଛି । ମାର୍ଚ୍ଚ ଓ ଏପ୍ରିଲ ମାସରେ ଏଥିରୁ ଷ୍ଟ୍ରବେରୀ ବାହାରିବା ପରେ ବିକ୍ରି କରିବାକୁ ଯୋଜନା କରିଛି ଜିଲ୍ଲା ଆଦିବାସୀ ଉନ୍ନୟନ ସଂସ୍ଥା । ଏହି ଚାଷ ପାଇଁ ଏକ ସ୍ଥାୟୀ ଡିପ ଇରିଗେସନର ବ୍ୟବସ୍ଥା ମଧ୍ୟ ବିଭାଗ ପକ୍ଷରୁ କରାଯାଇଛି ।

Leave a Reply